ଟ୍ରାକ୍ଟର ସୋ’ରୁମ୍‌ ମାଲିକଙ୍କୁ ଅପହରଣ

ଟାଙ୍ଗୀରୁ ଉଦ୍ଧାର କଲା ପୁଲିସ, ୨ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍‌

ଭୁବନେଶ୍ବର: ଶୁକ୍ରବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଓଭରବ୍ରିଜ୍‌ ଉପରୁ ଅପହରଣ ହୋଇଥିବା ଟ୍ରାକ୍ଟର ସୋ’ରୁମ୍‌ ମାଲିକ ସଞ୍ଜୟ କୁମାର ପାତ୍ରଙ୍କୁ ଆଜି ଇନ୍‌ଫୋଭ୍ୟାଲି ଥାନା ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଖୋର୍ଦ୍ଧା ଟାଙ୍ଗୀରେ ଚଢ଼ଉ କରି ପୁଲିସ ସଞ୍ଜୟଙ୍କୁ ଏକ ବନ୍ଦ ଘରୁ ଉଦ୍ଧାର କରିବା ସହ ୨ ଜଣ ଅପହର୍ତ୍ତାଙ୍କୁ ଗିରଫ କରିଛି। ଧରାପଡ଼ିଥିବା ଅଭିଯୁକ୍ତଦ୍ବୟ ହେଲେ ନୟାଗଡ଼ ଚାନ୍ଦପୁରର ମାନସ ରଂଜନ ଦାସ ଓ ମଧୁସୂଦନ ମଲ୍ଲିକ। କିନ୍ତୁ ପୁଲିସ ଚଢ଼ଉ ବେଳେ ମାଷ୍ଟରମାଇଣ୍ଡ ମନୋରଞ୍ଜନ ଦାସ ଓ ତା’ର ଦୁଇ ସହଯୋଗୀ ବୁଦ୍ଧଦେବ ଦାସ ଓ ଅରୁ ସେଠ ଚମ୍ପଟ ମାରିଛନ୍ତି।

ପୁଲିସ ସୂଚନାନୁସାରେ ସଞ୍ଜୟଙ୍କର ପିତାପଲ୍ଲୀରେ ଏକ ଟ୍ରାକ୍ଟର୍ ସୋ’ରୁମ୍‌ରେ ଅଛି। କିଛିଦିନ ପୂର୍ବେ ଅପହରଣର ମାଷ୍ଟରମାଇଣ୍ଡ ମନୋରଂଜନ ଟ୍ରାକ୍ଟର୍ କିଣିବାକୁ ସେଠାକୁ ଆସିଥିଲେ। ପ୍ରାଥମିକ କଥାବାର୍ତ୍ତା କରି ଚାଲିଯାଇଥିଲେ। ଶୁକ୍ରବାର ଅପରାହ୍ନରେ ସଞ୍ଜୟ କୌଣସି କାମରେ ଭୁବନେଶ୍ବରକୁ ଆସିଥିଲେ। କାମ ସାରି ସେ ପିତାପଲ୍ଲୀ ଫେରୁଥିବା ବେଳେ ଯାଁଳା ଓଭରବ୍ରିଜ୍ ଉପରେ ତାଙ୍କ କାର୍ ଆଗରେ ଆଉ ଏକ କାର୍ ଅଟକିଥିଲା। ସେ ଗାଡ଼ି ଅଟକାଇବା ମାତ୍ରେ ଆଗ କାର୍‌ରୁ ମନୋରଂଜନ ତା’ର ୪ ସହଯୋଗୀ ବାହାରି ତାଙ୍କୁ ଅତର୍କିତ ଭାବେ ମାଡ଼ ମାରିବା ସହ ସଂଜୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ ଏବଂ କାର୍ ସହ ତାଙ୍କୁ ଅପହରଣ କରିନେଇଥିଲେ। ତାଙ୍କୁ ଖୋର୍ଦ୍ଧା ଟାଙ୍ଗୀରେ ଏକ ନିଛାଟିଆ ଘରେ ବନ୍ଦ ରଖି ଦେଢ଼ଲକ୍ଷ ଟଙ୍କା ଦାବି କରିଥିଲେ।

ଟଙ୍କା ନ ମିଳିଲେ, ସେମାନେ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ତେଣୁ ସଂଜୟ ତାଙ୍କ ପତ୍ନୀ ମଧୁସ୍ମିତାଙ୍କୁ ଫୋନ୍ କରି ଟଙ୍କା ଆଣି ଟାଙ୍ଗୀକୁ ଆସିବାକୁ କହିଥିଲେ। ସ୍ବାମୀଙ୍କ ଜୀବନ ରକ୍ଷା କରିବାକୁ ମଧୁସ୍ମିତା ବିକଳରେ ପୁଲିସକୁ ନଜଣାଇ ଟଙ୍କା ଧରି ଟାଙ୍ଗୀକୁ ଯାଇଥିଲେ। କିନ୍ତୁ ଅପହରଣକାରୀମାନେ ଟଙ୍କା ନେବାକୁ ଆସିନଥିଲେ। ତେଣୁ ମଧୁସ୍ମିତା ଆଉ କାଳବିଳମ୍ବ ନକରି ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ କରିଥିଲେ। ଆଇଆଇସି ବିଜୟ କୁମାର ବାରିକ୍ ଓ ତାଙ୍କର ସ୍ବତନ୍ତ୍ର ଟିମ୍ ମୋବାଇଲ୍‌ ଟ୍ରାକ୍‌ କରି ଟାଙ୍ଗୀରେ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର