ସୁଧୁରିବା ପୂର୍ବରୁ ବିଗିଡ଼ିଯାଉଛି ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା: ୩ ବର୍ଷରେ ବଦଳିଲେଣି ୩ ଡିସିପି

ଭୁବନେଶ୍ବର : ରାଜଧାନୀର ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଯେତେ ଯୋଜନା କରାଯାଉଛି, ସେସବୁ ଅଧାରୁ ଅକାମି ହୋଇପଡ଼ୁଛି। ରାଜଧାନୀର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ସୁଧୁରି ଆସିବା ବେଳକୁ ପୁଣି ବିଗିଡ଼ି ଯାଉଛି। କାରଣ ଏହି ବ୍ୟବସ୍ଥାର ସୁଧାର ଦାୟିତ୍ବ ବହନ କରୁଥିବା ଅଧିକାରୀ ହଠାତ୍ ବଦଳି ହୋଇଯାଉଛନ୍ତି। ୩ ବର୍ଷ ଭିତରେ ୩ ଜଣ ଟ୍ରାଫିକ୍‌ ଡିସିପି ବଦଳି ଥିବାରୁ ଏଭଳି ଅବ୍ୟବସ୍ଥା ଲାଗି ରହୁଛି।

ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ନୂଆ ରୂପ ଦେବା ପାଇଁ ସ୍ବତନ୍ତ୍ର ଭାବେ ଜଣେ ଆଇପିଏସ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଗଲା। ୨୦୧୯ ମସିହାରେ ଆଇପିଏସ୍‌ ସାଗରିକା ନାଥଙ୍କୁ ଟ୍ରାଫିକ୍‌ ଡିସିପି ଭାବେ ଦାୟିତ୍ବ ଦିଆଗଲା। ସେ ରାଜଧାନୀର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା‌ରେ ଏକ ନୂଆ ରୂପ ଦେଲେ। ଲେନ୍‌ ଡ୍ରାଇଭ୍‌ ଠାରୁ ଆରମ୍ଭ କରି ହେଲମେଟ୍‌ ପିନ୍ଧିବା ଓ ସିଟ୍‌ବେଲ୍ଡ ବାନ୍ଧିବା କଡ଼ାକଡ଼ି କରାଯାଇଥିଲା। ଟ୍ରାଫିକ୍‌ ଛକରେ ଜେବ୍ରା କ୍ରସିଂ ନିୟମ କଡ଼ାକଡ଼ି କରାଯାଇଥିଲା। ତେଣୁ ସେତେବେଳେ ବେଶ୍ ଚର୍ଚ୍ଚାକୁ ଆସିଥିଲେ ଟ୍ରାଫିକ୍‌ ଡିସିପି ସାଗରିକା। ମାତ୍ର ଲୋକେ ଟ୍ରାଫିକ୍‌ ନିୟମ ସହ ଅଭ୍ୟସ୍ତ ହେବା ପୂର୍ବରୁ ଡିସିପି ସାଗରିକାଙ୍କୁ ୨୦୨୦ ମସିହାରେ ସୁନ୍ଦରଗଡ଼ ଏସ୍‌ପି ଭାବେ ବଦଳି କରିଦିଆଗଲା। ତାଙ୍କ ବଦଳି ପରେ ଏହି ପଦବି କିଛି ଦିନ ପର୍ଯ୍ୟନ୍ତ ଖାଲିପଡ଼ିଥିଲା। ଫଳରେ ଲୋକେ ପୁଣି ଟ୍ରାଫିକ୍‌ ନିୟମକୁ ଅଣଦେଖା କରିବାକୁ ଲାଗିଲେ। ଏହା ପରେ ୨୦୨୦ ‌ସେପ୍ଟେମ୍ବରରେ ଟ୍ରାଫିକ୍‌ ଡିସିପି ଭାବେ ଯୋଗଦେଲେ ଆଇପିଏସ୍‌ ସୌମ୍ୟା ମିଶ୍ର। କିନ୍ତୁ ସେ ବି ବେଶି ଦିନ ରହିଲେ ନାହିଁ। ଅଳ୍ପ ଦିନରେ ନିଜର କ୍ୟାଡର୍‌ ପରିବର୍ତ୍ତନ କରି ୨୦୨୧ ଫେବ୍ରୁଆରିରେ ସେ ପଞ୍ଜାବ ଚାଲିଗଲେ। ପୁଣି ସମାନ ସ୍ଥିତି ଉପୁଜିଥିଲ।

ପାଖାପାଖି ବର୍ଷକ ପରେ ୨୦୨୨ ‌ଜାନୁଆରିରେ ଆଇପିଏସ୍‌ ଏସ୍‌ ସୁଶ୍ରୀ ଟ୍ରାଫିକ୍‌ ଡିସିପି ଭାବେ ଯୋଗଦେଇଥିଲେ। କିଛି ଦିନ ପୁଣି ଟ୍ରାଫିକ୍ ନିୟମ କଡ଼ାକଡ଼ି ହେଲା। ବିଶେଷକରି ଆମ୍ବୁଲାନ୍‌ସକୁ ରାସ୍ତା ଛାଡ଼ିବାକୁ ସେ ଗୁରୁତ୍ବ ଦେଇଥିଲେ ଓ ଟ୍ରାଫିକ୍‌ ଛକର ବାମ ପାର୍ଶ୍ବକୁ ଫାଙ୍କା ରଖିବାକୁ କଡ଼ା ନିର୍ଦ୍ଦେଶ ରହିଲା। ଏହାକୁ ରାଜଧାନୀବାସୀ ବେଶ୍ ପ୍ରଶଂସା କରିଥିଲେ। ମାତ୍ର ଏବେ ତାଙ୍କର ବଦଳି ହୋଇଛି। ତାଙ୍କୁ ନବରଂଗପୁର ଜିଲ୍ଲା ଏସ୍‌ପି ଭାବେ ନୂଆ ଦାୟିତ୍ବ ମିଳିଛି। ଏବେ ଏହି ଗୁରୁତ୍ବପୂର୍ଣ୍ଣ ପଦବି ଖାଲି ପଡ଼ିଛି। କାହାକୁ ନୂଆ ନିଯୁକ୍ତି ମିଳିନାହିଁ। ତେଣୁ ପୁଣି ରାଜଧାନୀର ଟ୍ରାଫିକ୍‌ ପରିଚାଳନା ଅବ୍ୟବସ୍ଥିତ ହୋଇପଡ଼ିବା ଲକ୍ଷ୍ୟ କରାଯାଉଛି।

ସମ୍ବନ୍ଧିତ ଖବର