କଂକ୍ରିଟ୍‌ ଜଙ୍ଗଲ ଭିତରେ ଉଜୁଡ଼ି ଯାଉଛି ସବୁଜିମା : ଗଛ କାଟିଲେ ରୋକିବାକୁ କେହି ନାହିଁ

ରାଜ୍ୟରେ ଟ୍ରି ଆକ୍ଟ୍‌ ପ୍ରଚଳନ ପାଇଁ ପରିବେଶବିତ୍‌ଙ୍କ ଦାବି

ଚନ୍ଦ୍ରଶେଖରପୁର : ମାର୍ଚ ମାସ ଆରମ୍ଭରୁ ରାଜଧାନୀରେ ତାପମାତ୍ରା ୩୮ ଡିଗ୍ରି ଟପିଲାଣି। ଅସମୟରେ ଅସହ୍ୟ ଖରା ଓ ତାତିର ସାକ୍ଷୀ ରହୁଛି ରାଜଧାନୀ। ହେଲେ ବାଟ ଘାଟ କେଉଁଠି ମଧ୍ୟ ଆଶ୍ରା ନେବାକୁ ଗଛଟିଏ ନାହିଁ। ସହରୀ ସଭ୍ୟତାକୁ ଆଗକୁ ନେବାକୁ ବଳି ପଡ଼ୁଛନ୍ତି ମାଳ ମାଳ ଗଛ। ରାଜଧାନୀରେ ଜନସଂଖ୍ୟା ବଢ଼ିବା ସହ ତାଳ ଦେଇ ବାସସ୍ଥାନ ପାଇଁ ସୃଷ୍ଟି ହେଉଛି କଂକ୍ରିଟ୍‌ ଜଙ୍ଗଲ। ଆଉ ସେହି କଂକ୍ରିଟ୍‌ ଜଙ୍ଗଲ ଭିତରେ ହଜିଯାଉଛି ସବୁଜିମା। କାରଣ ବ୍ୟକ୍ତିଗତ ଜାଗା ହେଉ ଅଥବା ସରକାରୀ ଜାଗା। ରାଜଧାନୀ ଭିତରେ ଗଛଟିଏ କାଟିଲେ ରୋକିବାକୁ କେହି ନାହିଁ। ନାଁ ଅଛି ଆଇନ ନାଁ ଦଣ୍ଡବିଧାନ।

ଗାଁ ଗହଳିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଗଛ କାଟିଲେ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କ ନିକଟରେ ଦରଖାସ୍ତ ଦେବାକୁ ପଡ଼ିଥାଏ। ରାଜସ୍ୱ ନିରୀକ୍ଷକଙ୍କ ସରଜମିନ୍‌ ତଦନ୍ତ ଓ ତହସିଲ୍‌ଦାରଙ୍କ ଅନୁମତି ପରେ ଗଛ କଟାଯିବା ନେଇ ଆଇନ ରହିଛି। ମାତ୍ର ଏହାକୁ ଠିକ୍‌ ଭାବେ ପାଳନ କରାଯାଉ ନାହିଁ। ସହର କଥା ତ’ ନକହିବା ଭଲ। ରାଜଧାନୀ ଭୁବନେଶ୍ୱର ଅଧୀନରେ ଚନ୍ଦକା, ଓଏଫ୍‌ଡିସି ଓ ସିଟି ଫରେଷ୍ଟ ଡିଭିଜନ୍‌ ଭଳି ତିନିଟି ଡିଭିଜନ୍‌ ରହିଛି। ଏମାନଙ୍କ ତତ୍ତ୍ୱାବଧାନରେ ବୃକ୍ଷରୋପଣ କରାଯିବା ସହିତ ଜଙ୍ଗଲ ସୃଷ୍ଟିର ଦାୟିତ୍ୱ ନ୍ୟସ୍ତ ରହିଛି। ମାତ୍ର ବିଗତ କିଛି ବର୍ଷର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ସରକାରୀ ସଂସ୍ଥାଗୁଡ଼ିକ ବିଫଳ ହୋଇଛନ୍ତି। ଏହି ତିନିଟି ସଂସ୍ଥା ମିଳିତ ଭାବରେ ଗତ ବର୍ଷ ପ୍ରାୟ ଏକ ଲକ୍ଷ ବୃକ୍ଷରୋପଣ କରିଥିବା ଦାବି କରୁଛନ୍ତି। ମାତ୍ର ସେହି ଗଛଗୁଡ଼ିକ ମଧ୍ୟରୁ କେତୋଟି ବଞ୍ଚୁଛି ସେନେଇ ରହିଛି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
୨୦୦୮ ମସିହାରେ ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍‌ଡିସି) ଅଧୀନରେ ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ଏକ ଯୋଜନା ହୋଇଥିଲା। ତାହା ସଫଳ ହୋଇଥିଲା ମଧ୍ୟ। ପରେ ସରକାର ଏହାକୁ ସାରା ରାଜ୍ୟରେ ପ୍ରଚଳିତ କରାଇବା ସହିତ ‘ଗ୍ରିନ୍‌ ଓଡ଼ିଶା’ ନାମ ଦେଇଥିଲେ। ମାତ୍ର ୨୦୧୬-୧୭ ମସିହାରୁ ଏହି ଯୋଜନାକୁ ବନ୍ଦ କରିଦିଆଯାଇଛି। ସହରରେ ବନୀକରଣ ଯୋଜନା ଏକପ୍ରକାର ବନ୍ଦ କରିଦିଆ ଯାଇଥିବା ଜଣାପଡ଼ିଛି। ଭରତପୁର ସଂରକ୍ଷିତ ଜଙ୍ଗଲରେ ୧୦ରୁ ୧୫ଲକ୍ଷ ବୃକ୍ଷରୋପଣ କରିବାର ସୁଯୋଗ ରହିଛି। ମାତ୍ର କିଏ ସେ ଦାୟିତ୍ୱ ନେବ। କେବଳ ବର୍ଷା ଦିନେ ସୃଷ୍ଟି ହେଉଥିବା ସବୁଜିମାକୁ ଦେଖେଇ ସରକାର ବାହାବା ନେବାର ପ୍ରୟାସ କରୁଛନ୍ତି। ବର୍ତ୍ତମାନ ଯଦି ଦେଖିବା ଭରତପୁର ସଂରକ୍ଷିତ ଜଙ୍ଗଲରେ କେବଳ ବୁଦୁବୁଦିଆ ଜଙ୍ଗଲରେ ସୀମିତ ରହିଯାଇଛି।

ସେହିପରି ଅଣଜଙ୍ଗଲ ଜମିରେ ବୃକ୍ଷରୋପଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଫଳାଫଳ ଶୂନ୍‌। ଗୋଟିଏ ଗଛର ତିନି ବର୍ଷିଆ ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୭୦୦ଟଙ୍କା ଖର୍ଚ୍ଚ ହେଉଛି। ଜନବସତିପୂର୍ଣ୍ଣ କଲୋନି, ଶିକ୍ଷାନୁଷ୍ଠାନ, ରାସ୍ତା ପାର୍ଶ୍ୱବର୍ତ୍ତୀ ସ୍ଥାନଗୁଡ଼ିକରେ ଗଛ ଲଗାଯାଉଛି। ମାତ୍ର କୌଣସି ଫଳ ମିଳୁନାହିଁ। କାରଣ ଘର କରିବା ପାଇଁ ହେଉ ଅବା ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଏହି ଗଛ ଗୁଡ଼ିକୁ ଅବାଧରେ କଟାଯାଉଛି। ଗୋଟିଏ ଗଛ କାଟିଲେ ୧୦ଟି ଗଛର ପଇସା ଦେବାକୁ ପଡ଼ିବ। ଏହି ନିୟମକୁ ମଧ୍ୟ ଅନେକ ବେଖାତିର୍‌ କରୁଛନ୍ତି। ସରକାରୀ ଜାଗାରେ ଥିବା ଗଛ ଗୁଡ଼ିକ କାଟିଲେ ଭାରତୀୟ ଆଇନ ବ୍ୟବସ୍ଥାରେ ଦଣ୍ଡବିଧାନର କୌଣସି ବିହିତ ବ୍ୟବସ୍ଥା ନଥିବାରୁ ଏମିତି ପରିସ୍ଥିତି ଉପୁଜୁଛି। ରାଜଧାନୀରେ ତ’ ବର୍ତ୍ତମାନ ହୁ ହୁ ହୋଇ ଅଜସ୍ର ଅଟ୍ଟାଳିକ ନିର୍ମାର ହେଉଛି। ସେଥିପାଇଁ ପ୍ରଥମ ଶିକାର ହେଉଛନ୍ତି ବୃକ୍ଷ ମହାପ୍ରଭୁ। ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ହେଲେ ଏକ ଶକ୍ତିଶାଳୀ ଟ୍ରି ଆକ୍ଟ୍‌ର ପ୍ରଣୟନ ଜରୁରୀ ହୋଇପଡ଼ିଥିବା ପରିବେଶବିତ୍‌ମାନେ ମତ ଦେଇଛନ୍ତି।

ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀ ସମେତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ, ଚଣ୍ଡିଗଡ଼, କର୍ଣ୍ଣାଟକ ଆଦି ରାଜ୍ୟ ଗୁଡ଼ିକରେ ବୃକ୍ଷ କଟା ନିରୋଧ ଆଇନ୍‌ ପ୍ରଚଳିତ ହେଉଅଛି। ଏହି ଆଇନ୍‌ ଅନୁଯାୟୀ ସରକାରୀ ଜାଗାରୁ ଗଛ କାଟିଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ଆମ ରାଜ୍ୟରେ ସେପରି କୌଣସି ବ୍ୟବସ୍ଥା ନଥିବାରୁ ବେଧଡ଼କ ଭାବରେ ଗଛ କଟା ଚାଲୁଛି। ବିଏମ୍‌ସି, ବିଡ଼ିଏ ମଧ୍ୟ ଏନେଇ ହାତ ଟେକି ଦେଇଛନ୍ତି। କେବଳ ସରକାରୀ ସ୍ଥାନରୁ ଗଛ କାଟିଲେ ପୁଲିସ୍‌ ଯାହା କାର୍ଯ୍ୟାନୁଷ୍ଠାନ ନେଇପାରିବ। ମାତ୍ର କିଏ ସେ ଦାୟିତ୍ୱ ନେବ। ଅନେକ ସଚେତନ ନାଗରିକମାନେ ମଧ୍ୟ ଏହାକୁ ବିରୋଧ କରିବାକୁ ଉପଯୁକ୍ତ ଫୋରମ୍‌ ପାଉନାହାନ୍ତି। ତେଣୁ ବିଭିନ୍ନ ଯୋଜନା ପାଇଁ ଅନ୍ୟାନ୍ୟ ରାଜ୍ୟକୁ ଅନୁକରଣ କରୁଥିବା ଓଡ଼ିଶା ଟ୍ରି ଆକ୍ଟ୍‌ ପାଇଁ ମଧ୍ୟ ଯତ୍ନବାନ ହେବା ଉଚିତ୍‌ ବୋଲି ପରିବେଶ୍‌ବିତମାନେ ମତ ଦେଇଛନ୍ତି।

ଓଏଫ୍‌ଡିସିର ଡିଏମ୍‌ ତରୁଣ ସାହୁ କହିଛନ୍ତି, ବେଆଇନ୍‌ ଭାବରେ ସରକାରୀ ସ୍ଥାନରୁ ଗଛ କାଟୁଥିବା ବ୍ୟକ୍ତିଙ୍କୁ ଦଣ୍ଡିବିଧାନ କରିବା ପାଇଁ ରାଜ୍ୟରେ ଟ୍ରି ଆକ୍ଟ୍‌ର ଆବଶ୍ୟକତା ରହିଛି। ଏହି ଆଇନ୍‌ରେ ଗଛକଟା ବିରୋଧରେ ଶକ୍ତିଶାଳୀ ଦଣ୍ଡିବିଧାନର ବ୍ୟବସ୍ଥା ରଖାଗଲେ କେହି ମଧ୍ୟ ଗଛ କାଟିବାକୁ ସାହସ କରିବେ ନାହିଁ।

ସମ୍ବନ୍ଧିତ ଖବର