ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣା: ହତ୍ୟା ପରେ ମୁଣ୍ଡ କାଟ

ପରକୀୟାରୁ ହତ୍ୟା ନା ଅନର କିଲିଂ!

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଚନ୍ଦକା ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡବିହୀନ ମିଳିବା ଘଟଣାକୁ ତିନି ଦିନ ବିତିଗଲାଣି। ମାତ୍ର ନା ମିଳୁଛି କଟାମୁଣ୍ଡ, ନା ମିଳୁଛି ମହିଳାଙ୍କ ପରିଚୟ। କଟାମୁଣ୍ଡ କୁଆଡ଼େ ଗଲା ତାହାକୁ ନେଇ ମୁଣ୍ଡବ୍ୟଥା ବଢ଼ିଲାଣି। ୫ଟି ଟିମ୍‌ ତନାଘନା କରୁଥିଲେ ମଧ୍ୟ ମହିଳାଙ୍କ ପରିଚୟ ମିଳିପାରୁ ନାହିଁ। ମହିଳା ବାହାର ରାଜ୍ୟର ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରି ପୁଲିସ ରାଜ୍ୟ ସହ ବାହାର ରାଜ୍ୟର ଥାନାକୁ ମଧ୍ୟ ସୂଚନା ଦେଇଛି। ତା ସହିତ ଶବ ଚିହ୍ନଟ ପାଇଁ ସର୍ବସାଧାରଣ ଜାଗାରେ କମିସନରେଟ୍‌ ପୁଲିସ ଆଜି ପୋଷ୍ଟର ଲଗାଇଛି। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଏହି ପୋଷ୍ଟର ଲାଗିଛି। ମହିଳାଙ୍କ ଫଟୋ ସହ ଘଟଣାସ୍ଥଳରୁ ମିଳିଥିବା ଲୁଗାପଟାର ଫଟୋଚିତ୍ର ଏହି ପୋଷ୍ଟରରେ ରହିଛି। ମହିଳାଙ୍କ ସମ୍ବନ୍ଧରେ ସୂଚନା ଦେଲେ ସୂଚନାକାରୀକୁ କମିସନରେଟ୍‌ ପୁଲିସ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବାକୁ ଘୋଷଣା କରିଛି। ଏ ପର୍ଯ୍ୟନ୍ତ ଏଭଳି କୌଣସି ମହିଳ‌ାଙ୍କ ନିଖୋଜ ଏତଲା କମିସନରେଟ୍ ପୁଲିସର କୌଣସି ଥାନାକୁ ଆସି ନ ଥିବାରୁ ମହିଳା ଜଣକ ରାଜଧାନୀ ଏପରିକି ରାଜ୍ୟ ବାହାରର ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।

ପୁଲିସ ଲଗାଇଥିବା ପୋଷ୍ଟରରେ ଏହି ମହିଳାଙ୍କ ସଂପର୍କରେ ଦେଇଥିବା ତଥ୍ୟ ଅନୁଯାୟୀ ତାଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ।ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ। ଗୋରା ରଙ୍ଗ। ବେକରେ ଅକ୍ୟଏକ ଗଭୀର କ୍ଷତ ରହିଛି। ଏହା ବ୍ୟତୀତ ଡାହାଣ ହାତ କହୁଣୀ ତଳେ ଏକ ‘ତ୍ରିଶୂଳ’ ଟାଟୁ ରହିଛି। ମହିଳାଙ୍କ ପରିଚୟ ଜାଣିବା ଲାଗି ଏହି ତ୍ରିଶୂଳ ଟାଟୁକୁ ଭରସା କରିଛି ପୁଲିସ। କାରଣ କାଳେ ଏହି ଟାଟୁ ସଂପର୍କରେ ଜାଣିଥିବା କେହି ନିକଟ ସଂପର୍କୀୟ ପୁଲିସକୁ ସୂଚନା ଦେଇପାରେ। ମହିଳାଙ୍କ ସଂପର୍କରେ ପରିଚୟ ପାଇଲେ ଜଣାଇବା ପାଇଁ ଦୁଇଟି ନମ୍ବର ମଧ୍ୟ ଦିଆଯାଇଛି। ପୂର୍ବରୁ ଅନେକ ମୁଣ୍ଡ ବିହୀନ ଶବ ରାଜ୍ୟର ବିଭିନ୍ନ ସ୍ଥାନରେ ଜବତ କରାଯାଇଥିବା ନଜିର ରହିଛି। ହେଲେ ଶବର ପରିଚୟ ପାଇଁ ଏଭଳି ପୋଷ୍ଟର ଲାଗିବା ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ପରିଚୟ ମିଳୁ ନ ଥିବାରୁ ପୁଲିସର ମୁଣ୍ଡବ୍ୟଥା ବଢ଼ିଛି। ଏଥିପାଇଁ ଅନ୍ୟ କୌଣସି ଦିଗରେ ତଦନ୍ତ ଆଗେଇ ପାରୁନାହିଁ। ପୁଲିସର ପ୍ରଥମ କାମ ହେଉଛି ଶବର ମୁଣ୍ଡ ଖୋଜିବା। କଟାମୁଣ୍ଡ ମିଳିଲେ ହିଁ ପରିଚୟ ମିଳିପାରିବ ବୋଲି ପୁଲିସ କହିଛି।

ଅନ୍ୟପଟେ ଶବକୁ ଦୁଇ ଦୁଇ ଥର ବ୍ୟବଚ୍ଛେଦ କରାଯାଇ ସାରିଲାଣି। ପ୍ରଥମେ କ୍ୟାପିଟାଲ ହସ୍‌ପିଟାଲରେ ହୋଇଥିବାବେଳେ ପରେ ଗତକାଲି ଏମ୍ସରେ ବ୍ୟବଚ୍ଛେଦ କରାଯାଇଥିଲା। ପ୍ରଥମେ ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କୁ ପ୍ରଥମେ ଶ୍ବାସରୁଦ୍ଧ କରି ହତ୍ୟା କରାଯିବା ପରେ ମୁଣ୍ଡକାଟ କରାଯାଇଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ପିନ୍ଧିଥିବା ପୋଷାକକୁ ମୁଣ୍ଡ କାଟିବା ପରେ ଓହ୍ଲାଇ ଦିଆଯାଇଛି। ପରେ ମୁଣ୍ଡ ବିହୀନ ଶବକୁ ନାଇଟି ପିନ୍ଧାଇ ଫିଙ୍ଗି ଦିଆଯାଇଛି। ଏହି କାରଣରୁ ମହିଳାଙ୍କ ନାଇଟିରେ ଯଥେଷ୍ଟ ପରିମାଣର ରକ୍ତଦାଗ ନଥିବା ଦେଖାଯାଇଛି। ଅନ୍ୟପଟେ ଦ୍ବିତୀୟ ବ୍ୟବଚ୍ଛେଦରେ ମହିଳା ଜଣକ ଗର୍ଭବତୀ ଥିଲେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅଧିକ ସୂଚନା ପାଇଁ ଶବକୁ ଦୁଇ ଦୁଇ ଥର ବ୍ୟବଚ୍ଛେଦ କରିବାକୁ ପଡ଼ିଲା ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ।

ଚିହ୍ନଟ ପାଇଁ ଲାଗିଲା ପୋଷ୍ଟର
ତ୍ରିଶୂଳ ଟାଟୁ ପରିଚୟ ଭରସା
ସୂଚନା ଦେଲେ ମିଳିବ ୫୦ ହଜାର

ପରକୀୟାରୁ ହତ୍ୟା ନା ଅନର କିଲିଂ!
ହତ୍ୟାକାରୀ ଧରା ନ ପଡ଼ିବା ଲାଗି ଅତି ଚତୁରତାର ସହ ମହିଳାଙ୍କୁ ହତ୍ୟା କରିଛି। ଗୋଟିଏ ଜାଗାରେ ହତ୍ୟା କରାଯିବା ପରେ ଅନ୍ୟ ଜାଗାରେ ଫିଙ୍ଗା ଯାଇଛି। ହତ୍ୟା ପରେ ରକ୍ତ ଜୁଡ଼ୁବୁଡ଼ୁ ପୋଷାକକୁ ବାହାର କରି ଦିଆଯାଇଛି। ପ୍ରମାଣ ନଷ୍ଟ କରିବା ପାଇଁ ମୁଣ୍ଡକୁ କାଟି ନିଆଯାଇଛି। ମୁହଁରୁ ହିଁ ଲୋକର ପରିଚୟ ଜଣାପଡ଼ିଯାଏ। ଏଣୁ ପରିଚୟ ଯେଭଳି ପ୍ରକାଶ ନ ହେବ ସେଥିପାଇଁ ଯଥାସମ୍ଭବ ଉଦ୍ୟମ କରିଛି ହତ୍ୟାକାରୀ।
ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ କହୁଛି ମହିଳାଙ୍କ ସହ ଦୁଷ୍କର୍ମ ହୋଇ ନାହିଁ। ହତ୍ୟା କାଣ୍ଡ ଘଟିବା ବେଳେ ଧସ୍ତାଧସ୍ତିରେ ଶରୀରରେ ଦାଗ ସୃଷ୍ଟି ହେବା କଥା। ହେଲେ କେବଳ ବେକକୁ ଛାଡ଼ିଦେଲେ କୌଣସି ଜାଗାରେ ଦାଗ ନାହିଁ। ଅର୍ଥାତ୍‌ ନିଜ ଲୋକ ହିଁ ଧୋକାରେ ହତ୍ୟା କରିଛି। ଜବତ ପୋଷାକପତ୍ର ମଧ୍ୟ ସମ୍ପୃକ୍ତ ମହିଳାଙ୍କର ହୋଇନଥାଇ ପାରେ। କାରଣ ପୋଷାକରୁ ପଡ଼ୋଶୀ ମଧ୍ୟ ଚିହ୍ନି ଦେଇ ପାରନ୍ତି। ଏଣୁ ପୁଲିସକୁ ଭୁଆଁ ଭୁଲାଇବା ପାଇଁ ଆଉ କାହାର କପଡ଼ା ଆଣି ଏଭଳି ଫିଙ୍ଗି ଦିଆଯାଇଛି। ପରକୀୟା ପ୍ରୀତି କିମ୍ବା ଘରର ସମ୍ମାନ ହାନି ଯୋଗୁଁ ନିଜ ଲୋକ ହିଁ ଏଭଳି ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର