ଖୋଲା ଆକାଶ ତଳେ ଶୀତରେ କଲବଲ ଏମ୍‌ସ ରୋଗୀ, ରୋଗ କଷ୍ଟଠାରୁ ବଳି ପଡ଼ୁଛି ପ୍ରତୀକ୍ଷାର ଯନ୍ତ୍ରଣା

ଖଣ୍ଡଗିରି: ଉନ୍ନତ ଚିକିତ୍ସା ପାଇଁ ଏମ୍‌ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା) ଆସୁଛନ୍ତି। କିନ୍ତୁ ବ୍ୟବସ୍ଥା ଏମିତି ଯେ ରୋଗୀ ତ ରୋଗୀ, ସାଙ୍ଗରେ ଆସିଥିବା ସଂପର୍କୀୟ ବି ରୋଗୀ ପାଲଟି ଯାଉଛନ୍ତି। ଖୋଲା ଆକାଶ ତଳେ ଶୀତ ରାତିରେ ଥରୁଛନ୍ତି ହୃଦରୋଗ, କର୍କଟ ଭଳି ଗୁରୁତର ରୋଗୀ ଏବଂ ପରିଜନ। ଅପେକ୍ଷାରତ ରୋଗୀଙ୍କ ପାଇଁ ଏମ୍ସରେ ସ୍ଥିତ ସ୍ବତନ୍ତ୍ର ବିଶ୍ରାମ କକ୍ଷରେ ସ୍ଥାନାଭାବ ଯୋଗୁଁ ସେମାନେ ଏଭଳି କଲବଲ ହେଉଛନ୍ତି।

ବରଗଡ଼ ଜିଲ୍ଲାର ନିତ୍ୟାନନ୍ଦ ମେହେର(୫୭)ଙ୍କର ସ୍ନାୟବିକ ସହିତ କିଡ୍‌ନି ସମସ୍ୟା ରହିଛି। ଅବସ୍ଥା ଏଭଳି ଯେ ଗୋଡ଼ରେ ଗୋଟିଏ ମୁହୂର୍ତ୍ତ ଛିଡ଼ା ହେବା ବି ଅସମ୍ଭବ। ଦୁଇ ପାହୁଣ୍ଡ ଯିବା ପାଇଁ ମଧ୍ୟ ୪ ଜଣଙ୍କ ଆବଶ୍ୟକତା ହୁଏ। ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ନହେବାରୁ ୩ ତାରିଖ ସକାଳୁ ଭୁବନେଶ୍ବର ଏମ୍ସ ପହଞ୍ଚିଥିଲେ। ଟିକଟ କରି ଡାକ୍ତରଙ୍କୁ ଦେଖାଇବା ପାଇଁ ୨ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ଡାକ୍ତରଖାନାରେ ସ୍ଥାନାଭାବ ଥିବାରୁ ତାଙ୍କୁ ଭର୍ତ୍ତି କରାଗଲା ନାହିଁ। ବରଂ ଟେଷ୍ଟ ରିପୋର୍ଟ ଦେଖାଇବା ପରେ ନିଷ୍ପତ୍ତି ନେବେ ବୋଲି ଡାକ୍ତର କହିଥିଲେ। ଅଲଟ୍ରାସାଉଣ୍ଡ ସହିତ ଅନ୍ୟାନ୍ୟ ରିପୋର୍ଟ ସୋମବାର ସୁଦ୍ଧା ଆସିବା ପରେ ଡାକ୍ତରଙ୍କୁ ଦେଖାଇବେ ବୋଲି ନିତ୍ୟାନନ୍ଦଙ୍କ ପୁଅ କହିଛନ୍ତି। ଟଙ୍କା ଅଭାବରୁ ବାହାରେ ହୋଟେଲ ନେଇ ରହିବା ପରିବାର ପାଇଁ ସମ୍ଭବ ନୁହେଁ। ସେଥିରେ ପୁଣି ନିତ୍ୟାନନ୍ଦଙ୍କୁ ବୋହିକି ନେବା ଆଣିବା କରିବାକୁ ପଡ଼ୁଥିବାରୁ ସ୍ତ୍ରୀ, ପୁଅ ସହିତ ଆଉ ୩ ଜଣ ସମ୍ପର୍କୀୟ ଆସିଛନ୍ତି। ସମସ୍ତେ ଏମ୍‌ସ ପରିସରରେ ଥିବା ବିଶ୍ରାମ କକ୍ଷ ସମ୍ମୁଖ ସ୍ଥିତ ପଡ଼ିଆରେ ଶୋଇବାକୁ ବାଧ୍ୟ ହେଉଛନ୍ତି।

ରାତିରେ ଶୀତ ସହିତ ମଶାର ପ୍ରାଦୁର୍ଭାବ ରୋଗ କଷ୍ଟଠାରୁ ବଳି ପଡ଼ୁଥିବା କହନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଆସିଥିବା ହୃଦରୋଗୀ ଗଙ୍ଗାଧର ବେହେରା(୫୦)। ଦେଢ଼ ମାସ ହେଲା ସେ ଏମ୍‌ସରେ ଚିକିତ୍ସିତ ହେଉଥିଲେ। କିଛି ଦିନ ଘରକୁ ଯାଇ ପୁଣି ଫେରିଛନ୍ତି। ଏହା ସତ୍ତ୍ବେ ରିପୋର୍ଟ ଦେଖାଇବା ପାଇଁ ପୁଣି କିଛି ଦିନ ଖୋଲା ଆକାଶ ତଳେ ଅପେକ୍ଷା କରିବାକୁ ପଡ଼ୁଛି। ଯାଜପୁର ଜିଲ୍ଲାର କର୍କଟ ରୋଗୀ ପ୍ରଦୀପ ନାଏକଙ୍କ ସ୍ଥିତି ଏଭଳି ଯେ ୩ ବର୍ଷିୟା ଶିଶୁ କନ୍ୟା, ସ୍ତ୍ରୀ ସହିତ ଟିକେଟ କରି ଡାକ୍ତରଙ୍କୁ ଦେଖାଇବା ପାଇଁ ୪ଦିନ ହେଲା ଅପେକ୍ଷା କରିବାକୁ ପଡ଼ିଛି। ପ୍ରଦୀପ ଜଣେ ଦିନ ମଜୁରିଆ ହୋଇଥିବାବେଳେ ରୋଗ ବାହାରିବା ପରେ କାର୍ଯ୍ୟ ବନ୍ଦ ହୋଇଯାଇଛି, ଏଭଳି ଅବସ୍ଥାରେ ରାତିରେ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଅବସ୍ଥା ଅସମ୍ଭାଳ ହୋଇ ପଡ଼ୁଛି।

ଏହା କେବଳ କିଛି ଉଦାହରଣ ମାତ୍ର। ଏମ୍‌ସରେ ପ୍ରତିଦିନ ପ୍ରାୟ ୨୦୦ରୁ ଅଧିକ ରୋଗୀ, ପରିଜନ ଏଭଳି ଖୋଲା ଆକାଶ ତଳେ ରାତି କଟାନ୍ତି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ରୋଗୀ ବି ଏଠାକୁ ଆସନ୍ତି। ପ୍ରତିଦିନ ଏଭଳି ଭିଡ଼ ହୁଏ ଯେ ଭୁବନେଶ୍ବର ବାହାରୁ ଆସୁଥିବା ରୋଗୀଙ୍କ ପରିଜନଙ୍କୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଟିକେଟ କରିବାକୁ ମଧ୍ୟ ଦିନ-ଦିନ ଧରି ଏଭଳି ଅପେକ୍ଷା କରିବାକୁ ପଡ଼େ। ସେମାନଙ୍କ ଅବସ୍ଥା ପ୍ରତି କିଏ ଦୃଷ୍ଟି ଦେବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୬ ମାସ ମଧ୍ୟରେ ଧର୍ମଶାଳା ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ: ଏମ୍‌ସ କର୍ତ୍ତୃପକ୍ଷ
ଏମ୍‌ସ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, କିଛି ବର୍ଷ ହେଲା ସ୍ଥାପିତ ଭୁବନେଶ୍ବର ଏମ୍‌ସ ପକ୍ଷରୁ ରୋଗୀଙ୍କୁ ଉଚ୍ଚ ମାନର ଚିକିତ୍ସା ସହିତ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ଯୋଜନା ଉପଲବ୍ଧ। ଏଥିଯୋଗୁଁ ପ୍ରତିଦିନ ଅନେକ ସଂଖ୍ୟାରେ ସମ୍ଭ୍ରାନ୍ତ ବର୍ଗ ଠାରୁ ବିଶେଷକରି ଗରିବ ରୋଗୀ ଏଠାରେ ପହଞ୍ଚୁଛନ୍ତି। ତେଣୁ ଅପେକ୍ଷାରତ ରୋଗୀଙ୍କ ପାଇଁ ଥିବା ୨୦୦ ବ୍ୟକ୍ତିଙ୍କ ରଖିବାର କ୍ଷମତା ଥିବା ବିଶ୍ରାମ ଗୃହ ଏଥିପାଇଁ ଯଥେଷ୍ଟ ହେଉ ନାହିଁ। ତେଣୁ ଅପେକ୍ଷାରତ ରୋଗୀଙ୍କ ସୁବିଧା ପାଇଁ ୨୦ କୋଟି ଟଙ୍କାରେ ଏକ ଧର୍ମଶାଳାର ନିର୍ମାଣ କରାଯାଉଛି। ୪ରୁ୬ ମାସ ମଧ୍ୟରେ ଏହାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ କିଛି ରୋଗୀଙ୍କ ପାଇଁ ନିଃଶୁଳ୍କ, ଆଉ କିଛି ଜଣଙ୍କ ପାଇଁ ନାମମାତ୍ର ଦେୟ ବ୍ୟବସ୍ଥା ହେବ। ଏହାକୁ ନେଇ ଅନ୍ତିମ ନିଷ୍ପତ୍ତି ହୋଇ ନାହିଁ। ଏହି ଧର୍ମଶାଳା ତିଆରି ହେବା ପରେ ଏହି ସମସ୍ୟା ସମାଧାନ ହେବ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର