ଦୁର୍ଘଟଣାରେ ଯୁବକ ମୃତ, ଶବ ରଖି ଥାନା ଘେରିଲେ ପରିବାର ଲୋକ

ଚନ୍ଦ୍ରଶେଖରପୁର : ଶୈଳଶ୍ରୀବିହାର ପାୱାରଗ୍ରିଡ୍‌ ଛକ ନିକଟରେ ସୋମବାର ଏକ ଦ୍ରୁତଗାମୀ କାର୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ମହାବୀର ବସ୍ତିର ରାଜୀବ ସେନାପତି (୩୫)। ସୂଚନାନୁଯାୟୀ, ସୋମବାର ମଧ୍ୟାହ୍ନରେ ପାୱାର୍‌ ଗ୍ରିଡ୍‌ ଛକ ନିକଟରେ ରାଜୀବ ଚାଲିଚାଲି ଯାଉଥିଲେ। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଚଳଚ୍ଚିତ୍ରର କୌଣସି ଦୃଶ୍ୟ ଭଳି ରଜୀବ ପାଖପାଖି ୧୦ଫୁଟ୍‌ ଉପରକୁ ଉଠି ତଳେ ପଡ଼ି ଘୋଷାଡ଼ି ହୋଇ ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ଫଳରେ ଘଟଣାସ୍ଥଳ‌ରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଓ କାର୍‌ ଚାଳକକୁ ଗିରଫ ଦାବିରେ ରାଜୀବଙ୍କ ପରିବାର ଓ ସ୍ଥାନୀୟ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଥାନା ଆଗରେ ଶବ ରଖି ପାଟିତୁଣ୍ଡ, ହୋ-ହଲ୍ଲା କରିଥିଲେ। ତେବେ ପୁଲିସ ସେମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ହଟିଥିଲେ।

ସମ୍ବନ୍ଧିତ ଖବର