ଲୋଭୀ ଧଣ୍ଡ ସାପ
ତୁମ କାହାଣୀ - ସତ୍ୟବ୍ରତ ସାହୁ
ଶୀତ କମି କମି ଆସୁଥାଏ। ଖାଲ ଖମାରେ ଭରି ଯାଇଥିବା ପାଣି ମଧ୍ୟ ଧୀରେ ଧୀରେ କମି ଆସୁଥାଏ। ଏହି ସମୟରେ ସେହି ଛୋଟ ଛୋଟ ଖାଲରୁ ଲୋକମାନେ ମାଛ ଧରନ୍ତି। ଅଳ୍ପ ପାଣିଥାଏ। ତେଣୁ ପାଣି ବୁହାଇଦେଇ ମାଛ ଧରି ନିଅନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାସ୍ତା କଡ଼କୁ ଲାଗି ଛୋଟ ଖାଲଟିଏ ଥିଲା। ସେଥିରେ ପ୍ରବଳ ମାଛ ଥାଆନ୍ତି। ପାଣି କମ୍ ଥିବାରୁ ମାଛମାନେ ଫକ୍ ଫକ୍ ଡେଉଁଥାଆନ୍ତି। କିଛି ଗାଁ ଲୋକ ମାଛ ଧରିବା ପାଇଁ ସେଠାକୁ ଆସିଥାନ୍ତି। ଏତିକିବେଳେ ସେହି ଖାଲ ଦେଇ ଧଣ୍ଡ ସାପଟିଏ ଯାଉଥିଲା। ମାଛ ଦେଖି ସେ ପାଣି ଭିତରେ ପଶିଗଲା। ମନ ଆନନ୍ଦରେ କେତୋଟି ମାଛ ଖାଇଲା। ଏପଟେ ଗାଁ ଲୋକ ମଧ୍ୟ ଜାଲ ଧରି ପହଞ୍ଚି ଯାଇଥାଆନ୍ତି। ଧଣ୍ଡଟି ମୁଣ୍ଡ େଟକି ଦେଖିଲା ଲୋକମାନେ ମାଛ ଧରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଭାବିଲା ଲୋକମାନେ ମାଛ ଧରିବା ପୂର୍ବରୁ ମଁୁ ଆଉ କିଛି ମାଛ ଖାଇ ବାହାରିଯିବି। ଏହା ଭାବି ପୁଣି ପାଣିରେ ବୁଡ଼ି ମାଛ ଖାଇବାରେ ଲାଗିଲା।
ଲୋକମାନେ ଦଳ, ଘାସ ଇତ୍ୟାଦି ସଫାକରି ଜାଲ ବିଛାଇ ଦେଲେ ଓ ପାଣି ବୁହାଇବାକୁ ଲାଗିଲେ। ଯେତେବେଳେ ପାଣି ଧୀରେ ଧୀରେ କମିବାକୁ ଲାଗିଲା ସେତେବେଳେ ଧଣ୍ଡର ଚେତା ପଶିଲା। ସେ ତର ତର ହେଲା ପାଣିରୁ ବାହାରି ଯିବା ପାଇଁ। ହେଲେ ଯିବ ବା କେମିତି? ଚାରିପଟରେ ଜାଲ ବିଛା ଯାଇଛି। ବିଚରା ବହୁତ ଚେଷ୍ଟା କଲା। କିନ୍ତୁ ବାଟ ପାଇଲା ନାହିଁ।
ଏପଟେ ପାଣି କମି କମି ଆସୁଥାଏ। ମାଛମାନେ ଡେଉଁଥାଆନ୍ତି। ଧଣ୍ଡ ସାପଟି ମନେ ମନେ ନିଜର ଲୋଭ ପାଇଁ ଆପଣାକୁ ଦାୟୀ କରି ଧିକ୍କାର କରୁଥାଏ। ଭାବୁଥାଏ ଲୋଭ ପାଇଁ ମୋ’ ଜୀବନଟା ଆଜି ଯାଇପାରେ। ଶେଷରେ ଭାବିଲା ଜାଲର କୌଣସି କଣା ଦେଖି ବାହାରି ଯିବା ପାଇଁ। ଗୋଟିଏ କଣାରେ ମୁଣ୍ଡ ଗଳାଇଦେଲା। କିନ୍ତୁ ବାହାରିପାରିଲା ନାହିଁ। ମାଛ ଧରାଳୀମାନେ ମନେକଲେ ବଡ଼ ମାଛଟିଏ ପଡ଼ିଛି ବୋଧହୁଏ। ତେଣୁ ଜାଲ ଟେକିଲେ। ଦେଖିଲେ ଧଣ୍ଡଟି ଛଟପଟ ହେଉଛି। ଏଣେ କଣା ଭିତରେ ଧଣ୍ଡ ସାପ ବେକ ଚିପି ହୋଇ ତା’ ଜୀବନ ଯିବା ଉପରେ। ଲୋକମାନେ କିନ୍ତୁ ଦୟାକରି ଧଣ୍ଡସାପ ଉଦ୍ଧାର କଲେ ଓ ଛାଡ଼ିଦେଲେ।
ଫଲ୍ଲାସାହି, କମାଳପୁର
ଯାଜପୁର