ନଦୀ ଜଳ ବିବାଦ ବିଲ୍‌କୁ ବିଜେଡିି କେଉଁ ସ୍ୱାର୍ଥରକ୍ଷା ପାଇଁ ସମର୍ଥନ କଲା ବୋଲି ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ରାଜ୍ୟର ସ୍ୱାର୍ଥକୁ ବଳି ଦେଇ ସଂସଦରେ ନଦୀ ବିବାଦ ବିଲ୍‌କୁ ସମର୍ଥନ କରିଥିବାରୁ କଂଗ୍ରେସ ଦଳ ପକ୍ଷରୁ ଆଜି ବିଧାନସଭାରେ ନିନ୍ଦା କରାଯାଇଛି।

ଗୃହରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍‌ଥାପନ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ, ଶାସକ ଦଳ ବିଜେଡ଼ି ସଂସଦରେ ରାଜ୍ୟର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛି । ଲୋକସଭାରେ ନଦୀ ଜଳ ବଣ୍ଟନ ବିବାଦ ବିଲ୍‌କୁ ବିଜେଡ଼ି ସମର୍ଥନ କରିଛି, ଯାହାକି ଆଶ୍ଚର୍ଯ୍ୟଜନକ। ପୂର୍ବରୁ ବିଜେଡ଼ି ଏହି ବିଲ୍‌କୁ ବିରୋଧ କରି ଆସୁଥିଲା।

ଶ୍ରୀ ମିଶ୍ର କହିଥିଲେ ଯେ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଜଳ ବିବାଦ ପ୍ରସଙ୍ଗ ରାଜ୍ୟ ବିଧାନସଭାରେ ବହୁ ବାର ଆଲୋଚିତ ହୋଇଛି ଏବଂ ଏ ସଂକ୍ରାନ୍ତରେ ଦୁଇ ଦୁଇଟି ଗୃହ କମିଟି ଗଠନ କରାଯିବ ବୋଲି ଘୋଷଣା କରାଯାଇଥିଲା। ସବୁ ଦଳର ନେତାମାନେ ନିଷ୍ପତ୍ତି କରିଥିଲେ ଯେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ଗୃହ କମିଟି ଗଠନ କରାଯାଉ। ରାଜ୍ୟ ସରକାର ମଧ୍ୟ ମହାନଦୀ ଜଳ ବିବାଦ ସଂକ୍ରାନ୍ତରେ ଏକ ଟ୍ରିବ୍ୟୁନାଲ୍‌ ଗଠନ କରିବା ପାଇର୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ସର୍ବୋଚ୍ଚ ଅଦାଲତଙ୍କ ନର୍ଦ୍ଦେଶରେ ମହାନଦୀ ଟ୍ରିବ୍ୟୁନାଲ୍‌ ଗଠିତ ହୋଇଛି। ଟ୍ରିବ୍ୟୁନାଲ୍‌ର ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି।

Representational Picture

ଏହି ସମୟରେ ଏନ୍‌.ଡି.ଏ ସରକାର ପକ୍ଷରୁ ସଂସଦରେ ନଦୀ ଜଳ ବିବାଦ ବିଲ୍‌ ଆଗତ ହେଲା, ଯାହାକୁ ବିଜେଡ଼ି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ତେବେ ବର୍ତ୍ତମାନ କେଉଁ ପରିସ୍ଥିତିରେ ଓଡ଼ିଶା ସରକାର ଓ ବିଜେଡ଼ି ନିଜର ଆଭିମୁଖ୍ୟ ବଦଳାଇ ଏହି ବିଲ୍‌କୁ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ କଲେ ସେ ପଂପର୍କରେ ଗୃହରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କଂଗ୍ରେସ ନେତା ଦାବି କରିଥିଲେ।

ସେହିଭଳି ବିଜେଡ଼ି ଜି.ସ୍‌ଟି ବିଲ୍‌, ବିମୁଦ୍ରାକରଣ ,ସୂଚନା ଅଧିକାର ଆଇନ ସଂଶୋଧନ ବିଲ୍‌ ଏବଂ ନିକଟରେ ତିନି ତଲାକ୍‌ ବିଲ୍‌କୁ ନିଜର ସ୍ୱର ବଦଳାଇ ସମର୍ଥନ କରିଛନ୍ତି। ତିନି ତଲାକ୍‌ ବିଲ୍‌ ଆଗତ କଲାବେଳେ ବିଜେଡ଼ି ବିରୋଧ କରିଥିବା ବେଳେ ଏହା ଗୃହୀତ ହେବା ବେଳକୁ ସମର୍ଥନ କଲା। ରାଜ୍ୟର କେଉଁ ସ୍ୱାର୍ଥ ରକ୍ଷା ପାଇଁ ଏହି ବିଲ୍‌କୁ ବିଜେଡ଼ି ସମର୍ଥନ କଲା,ତାହା ଜାଣିବାର ଅଧିକାର ଏହି ଗୃହର ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର