ଜନାଦେଶର ସଙ୍କେତ : ଜାତୀୟ ରାଜନୀତିରେ ଆସିପାରେ ଅନେକ ପରିବର୍ତ୍ତନ

ଅନିଲ କୁମାର ବିଶ୍ୱାଳ

ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ଜାତୀୟ ରାଜନୀତିର ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଆସିଥିବା ଉତ୍ତରପ୍ରଦେଶ, ପଂଜାବ ସମେତ ଅନ୍ୟ ତିନୋଟି ରାଜ୍ୟ ଉତ୍ତରାଖଣ୍ଡ, ଗୋଆ ଓ  ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି । ୪ଟି ରାଜ୍ୟରେ ବିଜେପି ଜିତିଥିବା ବେଳେ ପଂଜାବରେ ଆମ ଆଦମି ପାର୍ଟି ପ୍ରଥମ ଥର ପାଇଁ ସରକାର କରିବାକୁ ଯାଉଛି । ଏହି ଜନାଦେଶକୁ ରାଜନୈତିକ ଦୃଷ୍ଟିରୁ ତର୍ଜମା କରିଲେ ଆମକୁ ଅନେକ କିଛି ସଙ୍କେତ ମିଳୁଛି, ଯାହା ଆଗାମୀ ସମୟରେ ଜାତୀୟ ରାଜନୀତିକୁ ବହୁମାତ୍ରାରେ ପ୍ରଭାବିତ କରିବାକୁ ଯାଉଛି ।

ଏହି ଜନାଦେଶରେ ଜାତୀୟ ରାଜନୀତିରେ ଆମ ଆଦମି ପାର୍ଟି ଭଳି ଏକ ଆଂଚଳିକ ଦଳର ପ୍ରବେଶ ହେବାକୁ ଯାଉଥିବାର ସମ୍ଭାବନା ଦେଖିବାକୁ ମିଳିଛି। ଆଉ ଏପଟେ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ ଦଳର ଅସ୍ତିତ୍ୱନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଭୋଟିଂକୁ ନେଇ ବହୁ ଦିନ ତଳୁ ଚାଲିଆସିଥିବା ପାରମ୍ପରିକ ଗଣିତ ଏଥର ଭୁଲ ପ୍ରମାଣିତ ହୋଇଛି । ଯେପରି ସମସ୍ତେ ଭାବୁଥିଲେ ଯେ ଆଗରୁ ଉତ୍ତର ପ୍ରଦେଶରେ ଜାତି ଆଧାରରେ ମତଦାନ ହେଉଥିଲା, ମୁସଲମାନ ଭୋଟର ଧୃବୀକରଣ ହେଉଥିଲା; ତାହା ଚଳିତ ନିର୍ବାଚନରେ ହୋଇପାରିନାହିଁ ବା ସେପରି ହେବାର ଧାରା ଭାଙ୍ଗିଛି । ଯାଦବ ଭୋଟ, ଜାଠ ଭୋଟ, ଦଳିତ ଭୋଟ, ମୁସଲମାନ ଭୋଟ ଏପରି ଯେଉଁ ଧୃବୀକରଣ ଆଗରୁ ହେଉଥିଲା ସେଥିରେ ଏଥର ପରିବର୍ତ୍ତନ ଆସିଛି । ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର ମୁସଲମାନ, ଯାଦବ, ଜାଠ ସମୀକରଣ ବିଫଳ ହୋଇଛି । ଲୋକେ ଭୋଟ ଦେଲାବେଳେ ପ୍ରାର୍ଥୀ କେଉଁ ଜାତିର, କେଉଁ ଧର୍ମର ସେକଥାକୁ ବେଶୀ ପ୍ରାଥମିକତା ନ ଦେଇ ଅନ୍ୟ ଦିଗ ପ୍ରତି  ଅଧିକ ପ୍ରାଥମିକତା ଦେଇଛନ୍ତି । ବହୁଜନ  ସମାଜ ପାର୍ଟି ଏକ  ଜାତି ଆଧାରିତ ଦଳ ଥିଲା, ସେମାନେ ମାତ୍ର ଗୋଟିଏ ଆସନରେ ସୀମିତ ହୋଇଯାଉଛନ୍ତି । ସେହିଭଳି ପଞ୍ଜାବରେ ଅକାଳୀ ଦଳ ଭଳି ଧର୍ମ ଆଧାରିତ ଦଳ ମାତ୍ର ତିନୋଟି ଆସନରେ ଅଟକି ଯାଇଛନ୍ତି । ସେହି ଦୁଇ ଦଳ ଦିନେ ସେହି ରାଜ୍ୟରେ ଶାସନ କ୍ଷମତାରେ ରହିଥିଲେ । ପଂଜାବରେ ଶିଖ-ହିନ୍ଦୁ ଅଲଗା ଅଲଗା ଦଳକୁ ସମର୍ଥନ କରନ୍ତି ବୋଲି ଯାହା ଧାରଣା ଥିଲା ତାହା ବି ଏଥରକ ଭୁଲ ପ୍ରମାଣିତ ହୋଇଛି ।

Deccan Herald

ଏହି ନିର୍ବାଚନ ଫଳାଫଳର ଆଉ ଏକ  ବିଶେଷତ୍ୱ ହେଉଛି ଯେ ପାରିବାରିକ ରାଜନୀତିକୁ ଲୋକମାନେ ଆଉ ଗ୍ରହଣ କରିବା ସପକ୍ଷରେ ନାହାନ୍ତି । ଆମେ ଯଦି ଜନମତର ଫଳାଫଳକୁ ତର୍ଜମା କରିବା ତା’ହେଲେ ଏକଥା ସ୍ପଷ୍ଟ ହେଉଛି ଯେ ଧୀରେ ଧୀରେ ଦେଶର ଜନତାଙ୍କର ମତଦାନ ନେଇ ବିଚାର ବିଜ୍ଞ ହୋଇଯାଉଛି, ଭୋଟରମାନଙ୍କର ପରିପକ୍ୱତା ବଢୁଛି । ପଂଜାବରେ ବାଦଲ ପରିବାରର ସମସ୍ତ ପ୍ରାର୍ଥୀ ହାରିଛନ୍ତି। ଉତ୍ତର ପ୍ରଦେଶ ଭଳି ଉତ୍ତରାଖଣ୍ଡରେ ବି ସମାନ କଥା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ଲୋକମାନଙ୍କର ମତାଦାନର ଫଳାଫଳର ଶୈଳୀରୁ ଯାହା ବୁଝାପଡୁଛି କେବଳ ପଂଜାବରେ ଲୋକମାନେ ସରକାରକୁବଦଳାଇଥିବା ବେଳେ ବାକି ଚାରି ରାଜ୍ୟରେ ସରକାର ସପକ୍ଷରେ ମତଦାନ ହୋଇଛି । ବୋଧହୁଏ ଭାରତୀୟ ଗଣତନ୍ତ୍ର ତାର ଚତୁର୍ଥ ପର୍ଯ୍ୟାୟରେ ପହଂଚିବାକୁ ଯାଉଛି । ସ୍ୱାଧୀନତାର ପ୍ରଥମ ୨୫ ବର୍ଷ ପ୍ରାୟତଃ ଶାସକଦଳ ସପକ୍ଷରେ ଜନାଦେଶ ହେଉଥିଲା । ତା’ପର ୨୫ ବର୍ଷରେ ଏହା ପୂରା ବଦଳିଗଲା, ଯିଏ ଶାସନରେ ରହିଲା ସେ କିଛିନା କିଛି କାରଣ ପାଇଁ ବଦନାମ ହେଲା, ସରକାର ପ୍ରତି ନିର୍ବାଚନରେ ବଦଳିଲା । ଯାହାଫଳରେ ପାଖାପାଖି ୧୯୭୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରାୟତଃ ରାଜ୍ୟରେ ଓ କେନ୍ଦ୍ରରେ ଝୁଲା ନହେଲେ ମେଂଟ ସରକାରମାନ ଗଠିତ ହେଉଥିଲା । ଏହା ପର ୨୫ ବର୍ଷରେ ମିଶ୍ରିତ ଫଳାଫଳ ଦେଖିବାକୁ ମିଳିଲା । ଏବେ ବୋଧହୁଏ ଆମେ ପରବର୍ତ୍ତୀ ୨୫ ବର୍ଷର ଧାରାରେ ଚାଲିଛେ । ଏବେ ପ୍ରାୟତଃ ଅନେକ ରାଜ୍ୟରେ କେନ୍ଦ୍ରରେ ଶାସକ ଦଳ ବିରୋଧରେ ବିଶେଷ ଜନାକ୍ରୋଶ ଦେଖିବାକୁ ମିଳୁନାହିଁ ।

ଏହି ନିର୍ବାଚନରେ ଦୁଇ ଜଣ ରାଜନେତାଙ୍କର ରାଜନୈତିକ ଅଭ୍ୟୁଦୟ ହୋଇଛି କହିଲେ ଭୁଲ ହେବ ନାହିଁ । ଜଣେ ହେଲେ ଯୋଗୀ ଆଦିତ୍ୟନାଥ ଆଉ ଜଣେ ହେଲେ ଅରବିନ୍ଦ କେଜ୍ରିୱାଲ୍ । ଯୋଗୀ ଆଦିତ୍ୟନାଥଙ୍କୁ ବିଜେପିର ପରବର୍ତ୍ତୀ ଶୀର୍ଷ ନେତୃତ୍ୱ ଭାବରେ ଅନେକ ଲୋକ ଦେଖିବାକୁ ଆରମ୍ଭ  କରିଥିଲେ, ଏବେ ତାଙ୍କର ଏହି ବିଜୟ ସେହି ଦିଗରେ ତାଙ୍କୁ ସାହାଯ୍ୟ କରିବ । ସେହିପରି ଅରବିନ୍ଦ କେଜ୍ରିୱାଲଙ୍କୁ  ମଧ୍ୟ ଜଣେ ଜାତୀୟସ୍ତରର ନେତାର ମାନ୍ୟତା ଦେବାରେ ଏହି ନିର୍ବାଚନ ଫଳାଫଳ ସାହାଯ୍ୟ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ । କୁହାଯାଇପାରେ ଏହି ନିର୍ବାଚନ ଅରବିନ୍ଦ କେଜ୍ରିୱାଲଙ୍କର ଜାତୀୟ ରାଜନୀତିରେ ପ୍ରବେଶ କରିବାର ସମୟ ଆଣିଛି । ପ୍ରଥମ ଥର ପାଇଁ କୌଣସି ଆଂଚଳିକ ରାଜନୈତିକ ଦଳ ଆଉ କୌଣସି ରାଜ୍ୟରେ ସରକାର କରିପାରିଲା । ଆଗରୁ କେହି କେବେ ସରକାର କରିବା ତ ଦୂରର କଥା ଲଢାଇରେ ବି ରହିପାରୁ ନଥିଲେ । ଅତୀତରେ ମାୟାବତୀ, ଶରଦ ପାୱାର ଭଳି ନେତାମାନେ ଯାହା କରିପାରିନାହାନ୍ତି ତାହା କେଜ୍ରିୱାଲ୍ କରିପାରିଲେ । ଆଗାମୀ ଦିନରେ ଅରବିନ୍ଦ କେଜ୍ରିୱାଲ୍ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଆହ୍ୱାନ ସୃଷ୍ଟି କରିପାରନ୍ତି । କଂଗ୍ରେସ ଦଳ ଯେପରି ଭାବରେ ଦିନକୁ ଦିନ ତଳକୁ ତଳ ଖସୁଛି ସେପରି ସ୍ଥିତିରେ ଦେଶରେ ଏକ ଶକ୍ତ ବିରୋଧୀ ଦଳ ଭାବରେ ଯେଉଁ ଶୂନ୍ୟ ସ୍ଥାନ ତିଆରି ହେଉଥିଲା ସେହି ସ୍ଥାନ ହୁଏତ ଆମ ଆଦମି ପାର୍ଟି ହାସଲ କରିବା ଦିଗରେ ଆଗଉଛି । କିନ୍ତୁ ଦେଶରେ ଏମିତି ଅନେକ ଆଂଚଳିକ ଦଳ ଅଛନ୍ତି ଯେଉଁମାନେ ଲଗାତାର ପ୍ରୟାସରେ ଅଛନ୍ତି କିଭଳି ଜାତୀୟ ରାଜନୀତିରେ ପ୍ରବେଶ କରିବେ। ମାତ୍ର ସେମାନେ ନିଜର ଆଂଚଳିକତାବାଦର ଉପରକୁ ଉଠି ଆସିପାରୁନାହାନ୍ତି । କିନ୍ତୁ ଆମ୍ ଆଦମି ପାର୍ଟି ପାଇଁ ତାହା ଏକ ସମସ୍ୟା ହୋଇ ନପାରେ ।

Zee News

ପଂଜାବରେ ଚାଷୀ ଆନ୍ଦୋଳନରେ ଯେଉଁ ଯେଉଁମାନେ ସାମିଲ ହୋଇଥିଲେ ସେମାନେ ସମସ୍ତେ ହାରିଛନ୍ତି । ପଶ୍ଚିମ ଉତ୍ତର ପ୍ରଦେଶରେ ମଧ୍ୟ ବିଜେପି ବହୁ ଭୋଟରେ ଜିତିଛି । ଏହାର ଅର୍ଥ ହେଉଛି ଲୋକମାନେ ଚାଷୀ ଆନ୍ଦୋଳନ ସପକ୍ଷରେ ନଥିଲେ ବା କୃଷି ଆଇନର ବିରୋଧରେ ନଥିଲେ । “ଚାଷୀର ସ୍ୱାର୍ଥରେ ଆଇନ ଆଣିଥିଲୁ, ଦେଶର ହିତରେ ବିଲ ପ୍ରତ୍ୟାହାର କରୁଛୁ” ପ୍ରଧାନମନ୍ତ୍ରୀଙ୍କର ଏହି ଉକ୍ତିଟି ବିଜେପି ପାଇଁ ଲାଭଦାୟକ ହୋଇଛି। ଗଣତନ୍ତ୍ରରେ ଅହଙ୍କାରର କିଛି ଅର୍ଥ ନାହିଁ, ସଂସଦରେ ସଂଖ୍ୟା ଅଛି ବୋଲି ଆଣିଥିବା ବିଲକୁ ପ୍ରତ୍ୟାହାର କରିବୁ ନାହିଁ, ଆନ୍ଦୋଳନକୁ ଶାସନ କଳ ଦ୍ୱାରା ବଳପ୍ରୟୋଗ କରି ଚପାଇ ଦିଆଯିବ ଏସବୁକୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି ବିଜେପି ଆଗୁଆ ବୁଝିପାରି ତାର ସମାଧାନର ରାସ୍ତା କାଢିପାରିଛି ଭଳି ପ୍ରତୀୟ ହେଉଛି ।

ଏହି ନିର୍ବାଚନରେ ପ୍ରାୟତଃ ବାହୁବଳିମାନେ ପରାଜୟର ସାମ୍ନା କରିଛନ୍ତି । ପ୍ରଥମ ଥର ପାଇଁ ବୋଧହୁଏ କୌଣସି ରାଜ୍ୟ ନିର୍ବାଚନରେ ଆଇନ ଶୃଙ୍ଖଳା ସବୁଠାରୁ ବଡ଼ ଭୂମିକା ନେଇଛି । ଉତ୍ତର ପ୍ରଦେଶରେ ଆଇନ ଶୃଙ୍ଖଳା, ପଂଜାବରେ ବେଆଇନ ଡ୍ରଗ୍ସ କାରବାର ସବୁଠାରୁ ବଡ଼ ପ୍ରସଙ୍ଗ ଥିଲା ।ସରକାରକୁ ଆସିଲେ ଏମିତି କରିବୁ, ସେମିତି କରିବୁ ବୋଲି ଉତ୍ତରପ୍ରଦେଶରେ କିଛି ନେତାଙ୍କର ଯେଉଁ ଆହ୍ବାନ ଆସିଥିଲା ତାହାକୁ ଜନତା ଗମ୍ଭୀରତାର ସେହି ନେଇ ସେମାନଙ୍କୁ ପରାଜିତ କରାଇଛନ୍ତି ।

କଂଗ୍ରେସ ଦଳର ଅବସ୍ଥା ୨୦୧୯ ଅପେକ୍ଷା ଭଲ ନାହିଁ କହିଲେ ଭୁଲ ହେବ ନାହିଁ । ଭୁଲ ରଣନୀତି ଓ ନେତୃତ୍ୱ ପ୍ରତି ଅସହମତି କାରଣରୁ ନିକଟ ଅତୀତରେ ଅନେକ ବରିଷ୍ଠ ନେତା କଂଗ୍ରେସ ଛାଡିଛନ୍ତି । ଯେଉଁମାନେ ଦିନେ ରାହୁଲ ଗାନ୍ଧୀଙ୍କର ଅତି ନିକଟତର ଥିଲେ ସେମାନେ ବି ଦଳ ଛାଡୁଛନ୍ତି। ଏହାର ଲାଭ ସ୍ୱାଭାବିକ ଭାବରେ ବିଜେପି ଓ ଅନ୍ୟ ଆଂଚଳିକ ଦଳମାନଙ୍କୁ ହେଉଛି । ପଂଜାବ ବିପର୍ଯ୍ୟୟ ପଛରେ ଦଳୀୟ ଗୋଷ୍ଠୀ କନ୍ଦଳ ଖୋଲାଖୋଲି ଦେଖାଯାଉଛି । ଉତ୍ତରାଖଣ୍ଡରେ କଂଗ୍ରେସ ସରକାରକୁ ନଆସିବାର କାରଣ ମଧ୍ୟ ସେହି ଗୋଷ୍ଠୀ କନ୍ଦଳ । ବିଜେପି ବିରୋଧରେ ବିଚାରଧାରାକୁ ନେଇ ଯେଉଁ କିଛି ନିଶ୍ଚିତ ଭୋଟ ଅଛି ସେହି ଭୋଟର ଲାଭାର୍ଥୀ ହେଉଛି କଂଗ୍ରେସ, କାରଣ ସେମାନଙ୍କ ପାଇଁ ଏବେ ବି କଂଗ୍ରେସ ହେଉଛି ବିଜେପିର ଏକ ମାତ୍ର ବିକଳ୍ପ । କିନ୍ତୁ ଆପ୍, ତୃଣମୂଳ କଂଗ୍ରେସର ଅଭ୍ୟୁଦୟ ଏବେ କଂଗ୍ରେସ ପାଇଁ ଘାତକ । ରାଏବରେଲି ଓ ଆମେଥିରେ କଂଗ୍ରେସ ୪ ନମ୍ବରରେ ଅଛି । ଜନତା ସଙ୍କେତ ଦେଲେଣି କଂଗ୍ରେସକୁ ନିଜ ଦଳକୁ ସଜାଡିବା ପାଇଁ । ଯଦି କଂଗ୍ରେସ ତାହା ନ କରି ସେହି ପୁରୁଣା ନେତୃତ୍ୱରେ ରହିଯାଏ ତା’ହେଲେ ଦିନେ କଂଗ୍ରେସ ଏକ ଆଂଚଳିକ ଦଳରେ ପରିଣତ ହୋଇଯିବ । ଯେତେବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସର ସାଧାରଣ ସମ୍ପାଦିକା ନିଯୁକ୍ତି କରାଗଲା ସେତେବେଳେ ଭାରି ଚର୍ଚ୍ଚା ଆଲୋଚନା ହୋଇଥିଲା ସେହିଁ କଂଗ୍ରେସକୁ ଆଗକୁ ନେଇପାରିବେ ବୋଲି । ହେଲେ ୟୁପିରେ କଂଗ୍ରେସର ସେତେବେଳେ ଦୁଇ ଜଣ ସାଂସଦ ଓ ଦୁଇ ଜଣ ବିଧାୟକ ଥିଲେ ଯାହା ଏବେ କେବଳ ଜଣେ ସାଂସଦରେ ସୀମିତ ହୋଇଗଲା ।

News85.in

ଆମେ ବିଜେପିର ଦୃଷ୍ଟିକୋଣରୁ ଦେଖିଲେ ବିଜେପି ପାଇଁ ଏହି ନିର୍ବାଚନ ବହୁତ ଭଲ ଫଳ ଦେଇଛି । କାରଣ ଦଳ ୫ଟି ରାଜ୍ୟରୁ ୪ଟିରେ ଜିତିଛି, ହାରିଥିବା ଆସନଟି କଂଗ୍ରେସକୁ ନଦେଇ ଆମ ଆଦାମି ପାର୍ଟିକୁ ଦେଇଛି । ୨୦୧୭ ୟୁପି ନିର୍ବାଚନରେ ବିଜେପି ପାଇଥିଲା ୪୦% ଭୋଟ । ସମାଜବାଦୀ ପାର୍ଟି ପାଇଥିଲା ୨୨%, କଂଗ୍ରେସ ପାଇଥିଲା ୬%, ବହୁଜନ ସମାଜ ପାର୍ଟି ପାଇଥିଲା ୨୨% । ଏଥର ୟୁପିରେ ୧୯% ମୁସଲମାନ ଭୋଟକୁ ଧୃବୀକରଣ କରିବା ପାଇଁ ଅଣ୍ଟାଭିଡ଼ିଥିଲେ ହୋଇଥିଲେ ଓସାଉଦ୍ଦିନ୍ ଓୱେସି । କିନ୍ତୁ ସେ ବିଫଳ ହୋଇଛନ୍ତି । ଦେଓବନ୍ଦ, ମିରଟ ଭଳି ସ୍ଥାନରେ ତାଙ୍କର ପ୍ରାର୍ଥୀମାନେ ଏତେ କମ ଭୋଟ ପାଇଛନ୍ତି ଯେ ସେମାନଙ୍କର ଅମାନତ ଚାଲିଯିବ । ଚଳିତ ନିର୍ବାଚନରେ ବିଏସପି ତାର ୧୦% ଭୋଟ ହରାଇଛି ଯାହା ସିଧାସଳଖ ସପା ଓ ବିଜେପି ଖାତାକୁ ଯାଇଛି ।

ପଂଜାବ ନିର୍ବାଚନରେ ଯେଉଁ କୌତୁହଳପୂର୍ଣ୍ଣ ସ୍ଥିତି ଥିଲା ତାହା ଦେଖିବାକୁ ମିଳିନି । ସେଠାରେ ଚର୍ତୁମୁଖୀ ଲଢାଇ ହେବ ବୋଲି ଆକଳନ ହେଉଥିଲା । କିନ୍ତୁ ସେଠାରେ ଆମ ଆଦମି ପାର୍ଟି ୪୨% ଭୋଟ ପାଇଛି ଯାହା ଚର୍ତୁମୁଖୀ ଲଢାଇ ହେଉ ନଥିଲା ବୋଲି ପ୍ରମାଣିତ କରୁଛି । ୨୦୧୭ରେ ସେଠାରେ କଂଗ୍ରେସ ପାଇଥିଲା ୩୮% ଭୋଟ, ଏଥର ତାହା ଖସିଆସିଛି ୨୩%କୁ । ଆପ ୨୪% ରୁ ବଢି ୪୨%ରେ ପହଂଚିଛି । ଏଥର ଶିଖ ଭୋଟ ବି ବିଭାଜନ ହୋଇଛି ଓ ଅଣଶିଖ ଭୋଟ ବି ବିଭାଜନ ହୋଇଛି । ଉତ୍ତରାଖଣ୍ଡ କଂଗ୍ରେସକୁ  ଟିକିଏ ଆଶ୍ୱସ୍ତ ଦେଇଛି । ୨୦୧୭ ଅପେକ୍ଷା ୫% ଅଧିକ ଭୋଟ ଓ ୮ଟି ଆସନ ଅଧିକ ପାଇଛି । ବିଜେପିର ଆସନ ସଂଖ୍ୟାରେ ୧୦ଟି ଆସନ ଓ ୪% ଭୋଟ କମୁଛି । ତେଣୁ ଏକଥା ସ୍ପଷ୍ଟ ଯେ ଉତ୍ତରାଖଣ୍ଡରେ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇବା ତାର ଆସନ୍ନ ପରାଜୟକୁ ଟାଳିଦେଇଛି । ସେହିଭଳି ମଣିପୁରରେ ଜନତା ଦଳ ୟୁନାଇଟେଡର ୬ଟି ଆସନ ଜିତିବା ଏକ ନୂଆ ସଙ୍କେତ ।

-ଅନିଲ କୁମାର ବିଶ୍ୱାଳ

ହରିରାଜପୁର, ପୁରୀ

ସମ୍ବନ୍ଧିତ ଖବର