ତୁଳସୀ ଗଛରେ ବନ୍ଧା ପଡ଼ିଛି ସଞ୍ଜନାର ଜୀବନ, ଗଛ ମରିଗଲେ ପ୍ରାୟବାୟୁ ଉଡ଼ିଯିବ !

କେନ୍ଦୁଝର: ଘର ଅଗଣାରେ ତୁଳସୀ, ଘର ବାରଣ୍ଡାରେ ସଞ୍ଜନା। ତୁଳସୀ ବଞ୍ଚିଲେ ସଞ୍ଜନା ବଞ୍ଚିବ, ତୁଳସୀ ମରିଗଲେ ସଞ୍ଜନାର ଜୀବନ ଦୀପ ଲିଭିଯିବ। କ୍ୟାନସର ପୀଡିତା ଝିଅକୁ ବଞ୍ଚଇବାକୁ ବିଶ୍ୱାସ-ଅନ୍ଧବିଶ୍ୱାସ ମଝିରେ ଛିଡା ହୋଇଥିବା ବାପାମାଆ ଏ ତୁଳସୀ ଗଛ ଲଗାଇଛନ୍ତି। ଆଉ ଗଛକୁ ବଞ୍ଚାଇ ରଖିବାକୁ ସକାଳୁ ସଞ୍ଜ ଯାଏ ପାଣି ଦେଉଛନ୍ତି। କାରଣ ଗୁଣିଆ କହିଛି, ଯେତେଦିନ ଯାଏଁ ଏ ଗଛ ବଞ୍ଚି ଥିବ, ସେତେ ଦିନ ଯାଏଁ ତାଙ୍କ ଝିଅ ବଞ୍ଚି ରହିବ।

କେନ୍ଦୁଝର ସଦର ବ୍ଲକ ଧାତିକା ଗାଁର ଶୁକ୍ର ମହାକୁଡଙ୍କ ୧୦ ବର୍ଷର ସାନ ଝିଅ ସଞ୍ଜନା ସ୍କୁଲରେ ପାଠ ପଢ଼ିଲା ବେଳେ ତଳେ ପଡ଼ି ଯାଇଥିଲା।  ଘଟଣା ପରେ ତାକୁ କେନ୍ଦୁଝର ଓ ପରେ କଟକ ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ସଞ୍ଜନାକୁ ଟ୍ୟୁମର ହୋଇଥିବା କଥା ଡାକ୍ତର ଜଣାଇବା ସହ କଟକରେ ରହି ଚିକିତ୍ସା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ମାତ୍ର ଅଭାବ ଅନଟନରେ ଚଳୁଥିବା ଶୁକ୍ର ଝିଅର ଚିକିତ୍ସା କରାଇବାକୁ ଅକ୍ଷମ ଥିବାରୁ ସଞ୍ଜନାକୁ ଘରକୁ ଫେରାଇ ଆଣିଥିଲେ । ଦିନ ଗଡ଼ିବା ସହ ଝିଅର ଅବସ୍ଥା ବି ବିଗିଡ଼ିବାକୁ ଲାଗିଲା।

ଚାଷବାସ କରି ଘର ଚଳାଉଥିବା ଶୁକ୍ର ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ପୁଣି ଥରେ କଟକ ନେଇଥିଲେ ବି ଡାକ୍ତର କ୍ୟାନସର ସନ୍ଦେହ କରି ଆଚର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ପଠାଇଥିଲେ। ତେବେ କ୍ୟାନସରର ଜୀବାଣୁ ସାରା ଦେହକୁ ସଂକ୍ରମଣ କରି ସାରିଥିବାରୁ ଝିଅକୁ ବଞ୍ଚାଇବା ମୁସ୍କିଲ୍ ବୋଲି ଡାକ୍ତର ସିଧାସିଧା ମନାକରି ଦେଇଥିଲେ। ବାସ୍‌ ତାପରେ ଡାକ୍ତରୀ ବିଦ୍ୟାରୁ ଭରସା ତୁଟାଇ ଗୁଣିଗାରେଡ଼ିର ସହାୟତା ନେଇଥିଲେ ବାପାମାଆ।

ସେପଟେ କିଛି ବର୍ଷ ପୂର୍ବେ ଅଜଣା ରୋଗରେ ବଡ଼ଝିଅର ମୃତ୍ୟୁ ହୋଇଥିବାରୁ ସାନ ଝିଅକୁ ହରାଇବାକୁ ଚାହୁଁନି ମାଆ। ସେଇଥି ପାଇଁ ତ ଝିଅ ଦେହ ଭଲ ହେବା ପାଇଁ ନିତି ସକାଳରୁ ସଞ୍ଜ ଚଉରା ମୂଳେ ସଞ୍ଜନା ପାଇଁ ସଞ୍ଜବତୀ ଜାଳୁଛି। ଆଉ ଏ ତୁଳସୀ ଗଛ ସବୁଦିନ ବଞ୍ଚିରହୁ ବୋଲି ଭଗବାନଙ୍କୁ ଡାକୁଛି। ଆଉ ବାପାମାଆଙ୍କ ପରି ସଞ୍ଜନା ବି କର୍କଟ କୋଳରେ ଶୋଇରହି ଗଛ ବଞ୍ଚିରହୁ ବୋଲି ଆଖିରେ ଆଖିଏ ଆଶା ବାନ୍ଧିଛି।

ସମ୍ବନ୍ଧିତ ଖବର