ମଧ୍ୟ ପ୍ରଦେଶରେ ଜେଲ୍‌କୁ ଉଦ୍ୟାନରେ ପରିଣତ କରିଥିବା ଜଣେ ତରୁଣୀ ପୁଲିସ କର୍ମଚାରୀ

ମଧ୍ୟ ପ୍ରଦେଶ: କୃଷି ଏବଂ ଉଦ୍ୟାନ କୃଷି ବିଷୟରେ ଜ୍ଞାନ ଏବଂ ପାରଦର୍ଶିତା ଥିବା ଜଣେ ତରୁଣୀ ପୁଲିସ କର୍ମଚାରୀ ମଧ୍ୟପ୍ରଦେଶରର ନରସିଂହପୁର କେନ୍ଦ୍ରୀୟ କାରାଗାରକୁ ‘ସବୁଜ ଜେଲ୍‌’ରେ ପରିଣତ କରିଛନ୍ତି।

କେନ୍ଦ୍ରୀୟ କାରାଗାରର ସହକାରୀ ଅଧିକ୍ଷକ ଥିବା ଏହି ପୁଲିସ କର୍ମଚାରୀଜଣକ ହେଉଛନ୍ତି ଶିଳ୍ପା ଛତ୍ତର। ପ୍ରଥମ ନିଯୁକ୍ତି ମିଳିବାର ୨୦ ମାସ ମଧ୍ୟରେ ସେ ଜେଲ୍ ପରିସରରେ ଥିବା ଏକାଧିକ ଏକର ଟାଙ୍ଗରା ଭୂଇଁକୁ ଫୁଲ, ଫଳ ଓ ପନିପରିବା ଭରା ସବୁଜ ପ୍ରାନ୍ତରରେ ପରିଣକ କରିଛନ୍ତି।

ଜବଲପୁର ଜିଲ୍ଲାବାସିନୀ ଛତ୍ତର ହିମାଚଳ ପ୍ରଦେଶର ପାଲାନପୁରରେ ଥିବା ରାଜ୍ୟ କୃଷି ବିଶ୍ବବିଦ୍ୟାଳୟରୁ କୃଷି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ୨୦୧୮ ସେପ୍ଟେମ୍ବର ମାସରେ ସେ ମଧ୍ୟପ୍ରଦେଶ ଜେଲ୍ ସର୍ଭିସେସ୍‌ରେ ପ୍ରଥମ ନିଯୁକ୍ତି ପାଇଥିଲେ।

Image Courtesy of New Indian Express

ନିଯୁକ୍ତି ପାଇବାର ଅଳ୍ପ କେତେକ ସପ୍ତାହ ପରେ କେନ୍ଦ୍ରୀୟ ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ୍ ଶେଫାଳୀ ତିୱାରି ତାଙ୍କୁ ଜେଲ୍‌ ପରିସରରେ ପନିପରିବା ଚାଷ ଆରମ୍ଭ କରିବାକୁ ଉତ୍ସାହିତ କରି‌ଥିଲେ। ତେଣୁ, ସେ ପ୍ରଥମେ ସଜନା ଭୁର୍ସୁଙ୍ଗା ଗଛ ରୋପଣ କରିଥିଲେ। ଏହାପରେ ସେ ଫଳ, ଫୁଲ ଓ ଅନ୍ୟାନ୍ୟ ପନିପରିବା ଚାଷ ଆରମ୍ଭ କରିଥିଲେ।

କୃଷିକାର୍ଯ୍ୟ ଜାଣିଥିବା କଏଦୀମାନଙ୍କ ସହ ଏହି ତରୁଣୀ ପୁଲିସ ଅଧିକାରୀଜଣକ କ୍ରମେ ଟାଙ୍ଗର ଜେଲ୍ ପରିସରକୁ ସବୁଜ ସୁନ୍ଦର କ୍ଷେତରେ ପରିଣତ କରି ଦେଇଛନ୍ତି। ଏହାଛଡ଼ା ସେ ସ୍ନାପ୍‌ଡ୍ରାଗନ୍, ଲିଲି, ଗେଣ୍ଡୁ ଓ ଅନ୍ୟାନ୍ୟ ଫୁଲର ଝୁଲନ୍ତା ଉଦ୍ୟାନ ମଧ୍ୟ କରାଇଛନ୍ତି।

ତାଙ୍କ କାର୍ଯ୍ୟରେ ଉତ୍ସାହିତ ହୋଇ ରାଜ୍ୟ ଜେଲ୍ ନିର୍ଦେଶାଳୟ କିଛି ମାସ ତଳେ ରାଜ୍ୟରେ ଥିବା ସବୁ ଜେଲ୍‌ ଗାର୍ଡମାନଙ୍କୁ ଉଦ୍ୟାନ ଓ କୃଷି ସମ୍ପର୍କରେ ତାଲିମ ଦେବା ପାଇଁ ତାଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର