ବିବି ସାହେବଙ୍କ ସୁଆଦିଆ ବର୍‌ଫି

ବିବି ସାହେବଙ୍କ ସୁଆଦିଆ ବର୍‌ଫି‘‘ଚାରି ବର୍ଷ ପୂର୍ବରୁ ମୁଁ ଯେତେବେଳେ ୯୦ ବର୍ଷ ବୟସରେ ପାଦ ଥାପିଲି, ସେତେବେଳେ ମନେ ମନେ ନିଜକୁ କହିଥିଲି: ଏତେ ବୟସ ହୋଇଗଲା, ତଥାପି ଏଯାବତ୍‌ ପଇସାଟିଏ ମଧ୍ୟ ଉପାର୍ଜନ କରିନାହିଁ। ଘର ଓ ପରିବାର ସମ୍ଭାଳିବାରେ ମୋର ସାରା ଜୀବନ କଟିଯାଇଛି। ଯେତେବେଳେ ମୋ ପିଲାମାନେ ସ୍କୁଲ ଯାଉଥିଲେ ଏବଂ ସ୍ବାମୀ ତାଙ୍କର ଅଫିସ୍‌କୁ, ସେତେବେଳେ ମୁଁ ଘଣ୍ଟା ପରେ ଘଣ୍ଟା ବସି ନୂଆ ନୂଆ ରେସିପି ଚେଷ୍ଟା କରୁଥିଲି। କାରଣ ମୁଁ ରୋଷେଇ କରିବାକୁ ଖୁବ୍ ଭଲ ପାଉଥିଲି। ଅଥଚ ମୋର ବୟସ ଯେତେବେଳେ ୮୪ ବର୍ଷ, ସେତେବେଳେ ମୋ ପିଲାମାନେ ମୋଠାରୁ ଦୂର ସ୍ଥାନକୁ ଚାଲିଗଲେ ଏବଂ ମୋର ସ୍ବାମୀ ମଧ୍ୟ ଚାଲି ଯାଇଥିଲେ ଆରପାରିକୁ। ସେତେବେଳେ ମୁଁ ଭୀଷଣ ଭାବରେ ନିଃସଙ୍ଗ ହୋଇପଡ଼ିଥିଲି।
ଶେଷରେ ମୁଁ ମୋ ଝିଅ ପାଖକୁ ଯାଇ ରହିଲି। ଦିନେ ମୁଁ ଝିଅକୁ କହିଲି: ମୋର ନିଜ ପାଇଁ କିଛି ଗୋଟାଏ କରିବା ଦରକାର। ସେ ହସିଦେଇ ମୋତେ କହିଲା- ମାଆ ତୁମେ ପାଖ ବଜାରରେ ତୁମର ବର୍‌ଫି ଓ ଆଚାର ବିକ୍ରି କରିପାର। ମୋ ପିଲାମାନେ ମୋର ହାତ ତିଆରି ବର୍‌ଫି ଓ ଆଚାର ଖୁବ୍ ଭଲ ପାଉଥିଲେ। ତେଣୁ ମୋର ମଧ୍ୟ ମନେହେଲା ସତରେ ଝିଅ ମୋର ଖୁବ୍ ଭଲ ପ୍ରସ୍ତାବ ଦେଇଛି। ବଜାର ମାଲିକ ମଧ୍ୟ ମୋର ପ୍ରସ୍ତାବରେ ରାଜି ହୋଇଗଲେ ଏବଂ ସପ୍ତାହକ ଭିତରେ ବଜାରରେ ମୋର ଗୋଟିଏ ନିଜସ୍ୱ ଦୋକାନ ଖୋଲିଗଲା। ପ୍ରଥମଦିନ ମାତ୍ର କେଇ ଘଣ୍ଟା ଭିତରେ ମୋ ହାତ ତିଆରି ବର୍‌ଫି ସରିଗଲା।

ସେଦିନ ମୁଁ ମୋ ଜୀବନରେ ପ୍ରଥମ ଅର୍ଥ ଉପାର୍ଜନ କଲି। ଆଠ ବାକ୍ସ ବର୍‌ଫି ବିକ୍ରିକରି ପାଇଥିଲି ଦୁଇହଜାର ଟଙ୍କା। ମୋର ଦୁଇ ଆଖି ସେତେବେଳେ ଲୁହରେ ଛଳଛଳ। ମୁଁ ନିଜେ ନିଜ କ୍ଷମତା ବଳରେ ଉପାର୍ଜନ କରିଛି, ୯୦ ବର୍ଷ ବୟସରେ। ତେବେ ମୁଁ ସବୁଠାରୁ ବେଶି ଖୁସି ହୋଇଥିଲି ଯେତେବେଳେ ଜଣେ ଅଳ୍ପ ବୟସର ଝିଅ ମୋ ବର୍‌ଫି ଚାଖିବା ପରେ କହିଥିଲା- ନାନୀ (ଆଈ), ଆପଣ ମୋତେ ମୋ ମା’ଙ୍କ କଥା ମନେ ପକାଇଦେଲେ। ମୁଁ ସେଦିନ ଘରକୁ ଫେରିଆସିବା ପରେ ନୂଆ ନୂଆ ରେସିପି ପାଇଁ ଚେଷ୍ଟା କରିବସିଲି। ସେଭଳି ଉତ୍ତେଜନା ମୁଁ ବହୁଦିନ ଅନୁଭବ କରିନାହିଁ। ଅଳ୍ପ କେଇଦିନ ଭିତରେ ମୋର ବର୍‌ଫିର କଥା ସହରବାସୀ ଜାଣିଗଲେ। ମୋ ବର୍‌ଫି କୁଆଡ଼େ ସେମାନଙ୍କୁ ସେମାନଙ୍କର ପିଲାଦିନ ମନେପକାଇ ଦିଏ। ମୋ ନାତୁଣୀ ବର୍‌ଫି ପାଇଁ ବାକ୍ସ ତିଆରି କରାଇଆଣିଲା। ସେହି ବାକ୍ସ ଉପରେ ଲେଖା ହୋଇଥିଲା- ହରଭଜନ, ଭଲପାଇବା ଦେଇ ତିଆରି ହୋଇଥିବା ବର୍‌ଫି ଯାହା ପିଲାଦିନର କଥା ମନେପକାଇ ଦିଏ। ତା’ପରେ ସବୁକିଛି ଖୁବ୍ ଦ୍ରୁତ ଭାବେ ଘଟିଚାଲିଲା। ଏପରିକି କିଛି ଖବରକାଗଜ ମୋ ସମ୍ପର୍କରେ ଲେଖା ପ୍ରକାଶ କଲେ। ଦିନେ ମୋର ଝିଅ ଧାଇଁ ଆସି ମୋତେ ଗୋଟିଏ ସମ୍ବାଦ ଦେଖାଇଲା, ଯେଉଁଥିରେ ଲେଖା ହୋଇଥିଲା ଯେ, ଆନନ୍ଦ ମହିନ୍ଦ୍ରା ନାମକ ଜଣେ ଭଦ୍ରବ୍ୟକ୍ତି ମୋତେ ‘ଏଣ୍ଟରପ୍ରେନର୍ ଅଫ୍ ଦ ଇୟର’ ଘୋଷଣା କରିଛନ୍ତି। ମୁଁ ତା’ର ଅର୍ଥ କ’ଣ ଜାଣିନଥିଲି। ସେତେବେଳେ ଝିଅ ମୋତେ ତା’ର ଅର୍ଥ ବୁଝାଇ ଦେଇଥିଲା। ଝିଅକୁ ହସି ହସି କହିଥିଲି, ମୁଁ ତ ଆଜୀବନ ଜଣେ ଏଣ୍ଟରପ୍ରେନର୍, କାରଣ ଜୀବନସାରା ମୁଁ ତୁମମାନଙ୍କୁ ଖୁଆଇ ଆସିଛି।

ବର୍ତ୍ତମାନ ମୁଁ ଭୀଷଣ ବ୍ୟସ୍ତ। ନିଃସଙ୍ଗତା କି ଦୁଶ୍ଚିନ୍ତା ମୋ ପାଖକୁ ପଶି ପାରୁନାହାନ୍ତି। ଦିନସାରା ମୁଁ ରୋଷେଇ କରୁଛି। ଏବେ ମୁଁ ପ୍ରଚୁର ଅର୍ଡର୍‌ ପାଉଛି। ତେଣୁ ପ୍ରାୟତଃ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରୁଛି। ପୂର୍ବ ଅପେକ୍ଷା ମୋର ଦେହ ସୁସ୍ଥ ଅଛି। ମୋର ବେଶଭୂଷାରେ ମଧ୍ୟ ପରିବର୍ତ୍ତନ ଆସିଛି। ଯେତେବେଳେ ମୋର ନାତି ନାତୁଣୀମାନେ ସେମାନଙ୍କ କ୍ୟାରିୟର୍‌କୁ ନେଇ ବିଭ୍ରାନ୍ତବୋଧ କରନ୍ତି, ମୁଁ ସେମାନଙ୍କୁ କହୁଛି- ମନ ପରିବର୍ତ୍ତନ କରିବାକୁ କେବେହେଲେ ବିଳମ୍ବ ହୁଏ ନାହିଁ। ଆଈ ଯଦି ୯୦ ବର୍ଷ ବୟସରେ ପହଞ୍ଚି ଏସବୁ କରିପାରୁଛି, ତାହେଲେ ତୁମେମାନେ କାହିଁକି ସଫଳତା ହାସଲ କରିପାରିବ ନାହିଁ! ଦୃଢ଼ ଇଚ୍ଛାଶକ୍ତି ତୁମକୁ ଯେକୌଣସି ବୟସରେ ସଫଳ ହେବାପାଇଁ ସାହାଯ୍ୟ କରିବ।’’ ସତରେ ଅନନ୍ୟା ଅତୁଳନୀୟା ବିବି ସାହେବଙ୍କୁ ସଲାମ୍‌।
ଉପସ୍ଥାପନା- ପ୍ରଦୀପ ରାୟ

ସମ୍ବନ୍ଧିତ ଖବର