ବିମାନବନ୍ଦରରୁ ଜବତ ହେଲା ୩.୭୭କେଜି ଦୁବାଇ ସୁନା: ପୁଣିଥରେ ମଳଦ୍ବାରରେ ଚାଲାଣ ଚେଷ୍ଟା

୪ ସୁନା ମାଫିଆ ଗିରଫ, ମାଷ୍ଟରମାଇଣ୍ଡକୁ ଖୋଜୁଛି ଡିଆର୍‌ଆଇ

ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ କରାଯାଇଛି। କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ଦୁବାଇରୁ ଆସୁଥିବା ୪ଜଣ ଯାତ୍ରୀଙ୍କଠାରୁ ୩.୭୭ କିଲୋ ସୁନା ଜବତ କରିଛି। ଏହାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ। ପ୍ରାଥମିକ ତଦନ୍ତରୁ କୁହାଯାଉଛି ଯେ ଏହି ସୁନା ଚୋରାଚାଲାଣ ପଛରେ ଏକ ବଡ଼ ଗ୍ୟାଙ୍ଗ୍‌ କାମ କରୁଛି। ଏବେ ବି ମାଷ୍ଟରମାଇଣ୍ଡ ଫେରାର୍‌ ଅଛି। ତାକୁ ଧରିବା ପାଇଁ ଗିରଫ ୪ ସଦସ୍ୟଙ୍କୁ ମାରାଥନ ଜେରା ଚାଲିଛି।

ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି, ଏହି ୪ ବିମାନଯାତ୍ରୀ ୬ ତାରିଖରେ ଭୁବନେଶ୍ବରରେ ପହଞ୍ଚିଥିଲେ। ସେମାନଙ୍କ ପାଖେ ସୁନା ଥିବା ସୂଚନା ରହିଥିଲା। ଏଣୁ ଅଧିକାରୀମାନେ ବିମାନବନ୍ଦରରେ ଜଗିରହିଥିଲେ। ଯାତ୍ରୀଙ୍କ ଗତିବିଧିରୁ ଏହି ୪ଜଣଙ୍କ ଉପରେ ସନ୍ଦେହ ହୋଇଥିଲା। ପଚରାଉଚରା ବେଳେ ସେମାନଙ୍କ ଉତ୍ତରରେ କିଛି ତାଳମେଳ ରହି ନଥିଲା। ତେଣୁ ସନ୍ଦେହ ଦୃଢ଼ ହୋଇଥିଲା ଓ ସେମାନଙ୍କୁ ଅଟକ ରଖି ଜେରା କରାଯାଇଥିଲା। ଯାଞ୍ଚ ବେଳେ ୪ଜଣଙ୍କ ମଳଦ୍ବାରରୁ ୩.୭୭କେଜି ଓଜନର ୧୨ଟି କ୍ୟାପ୍‌ସୁଲ ଜବତ କରାଯାଇଛି। ଉକ୍ତ କ୍ୟାପ୍‌ସୁଲ ଭିତରେ ସୁନା ତରଳ ଅବସ୍ଥାରେ ରହିଥିଲା। ଏହି ୪ ବିମାନଯାତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଉଲ୍ଲେଖନୀୟ ଯେ ଗତମାସରେ ମଳଦ୍ବାରରେ ଲୁଚାଇ ସମାନ ଶୈଳୀରେ ଏକ କେଜି ସୁନା ଆଣି ଆସୁଥିବା ଜଣେ ବିମାନଯାତ୍ରୀ ଏହି ବିମାନବନ୍ଦରରେ ଧରା ପଡ଼ିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ସୁନା ଜବତ ଘଟଣା କିଛି ମାସହେଲା ହଠାତ୍‌ ବଢ଼ି ଯାଇଛି। ସେହି ଏପ୍ରିଲ ମାସରେ ହିଁ ମୁମ୍ବାଇ ଚାଲାଣ ପୂର୍ବରୁ ଆୟକର ବିଭାଗ ଚଢ଼ଉ କରି ଡୋମେଷ୍ଟିକ୍‌ କାର୍ଗୋ ଟର୍ମିନାଲ୍‌ରୁ ୩.୮କେଜି ଓଜନର ସୁନା ଜବତ କରିଥିଲା।

ସମ୍ବନ୍ଧିତ ଖବର