ଦାନଶୀଳତା

ଋଗ୍‌ବେଦ କହେ- ଭଗବାନ୍‌ ମଣିଷକୁ ଅନାହାରରେ ମରିବା ପାଇଁ ସୃଷ୍ଟି କରିନାହାନ୍ତି। ମଣିଷ ଖାଇ-ପିଇ ଭଲରେ ବଞ୍ଚିବା, ତାଙ୍କ ଦ୍ବାରା ନିର୍ଦେଶିତ। ମୃତ୍ୟୁ ନିମନ୍ତେ ସେ ଭିନ୍ନ ବ୍ୟବସ୍ଥାମାନ କରିଛନ୍ତି। ଦାନୀମାନଙ୍କର ସ˚ପତ୍ତି କେବେହେଲେ ସରେନାହିଁ। କିନ୍ତୁ, କୃପଣମାନଙ୍କର ଧନ ନିଃଶେଷ ହୋଇଯାଏ; କେହି ଦୟା ଦେଖାନ୍ତିନାହିଁ। କେହି ଦରିଦ୍ର ତୁମ ଦ୍ବାରରେ ପହଞ୍ଚି, ଖାଦ୍ୟ ଗଣ୍ତିଏ ଭିକ୍ଷା କଲେ, ବିରକ୍ତ ନ ହୋଇ ବଦନ୍ୟ ହୁଅ। ମନେରଖ ଦରିଦ୍ର ଜଣକ ଦିନେ ଧନୀ ଥାଇପାରେ ଏବ˚ ତୁମେ ମଧୢ ଦିନେ ନିର୍ଦ୍ଧନ ହୋଇପାର। ଖାଦ୍ୟାଭାବରୁ ଦୁର୍ବଳ ହୋଇପଡ଼ିଥିବା ମଣିଷ ଦେଖିଲେ, ତାଙ୍କ ସହାୟତା ପାଇଁ ନିଜ ପକ୍ଷରୁ ପ୍ରଥମେ ହାତ ବଢ଼ାଅ। ସେ ମାଗିବା ଯାଏ ଅପେକ୍ଷା କରନାହିଁ। ଅସୁବିଧାରେ ପଡ଼ି କେହି ତୁମର ସହାୟତା ଚାହିଁଲେ, ତାଙ୍କୁ ଫେରାଇଦିଅନାହିଁ। ମନେରଖ ତୁମେ ବିପଦରେ ପଡ଼ିଲେ, ତୁମେ ବି ଅନ୍ୟର ସହାୟତା କାମନା କରିବ। ଯେଉଁମାନେ ନିଜର ଖାଦ୍ୟ ବନ୍ଧୁଙ୍କ ସହ ଭାଗ କରନ୍ତିନାହିଁ, ସେମାନେ ପ୍ରକୃତ ବନ୍ଧୁ ନୁହନ୍ତି। ଯେଉଁମାନେ ସାଥୀକୁ ହୀନ ଦୃଷ୍ଟିରେ ଦେଖନ୍ତି, ସେମାନେ ସାଥୀ ନୁହନ୍ତି। ନକଲି ବନ୍ଧୁଙ୍କଠାରୁ ଦୂରେଇ ରହ। ନିଜର ଗୃହକୁ ନକଲି ବନ୍ଧୁ ମୁକ୍ତ ରଖ। ସେମାନଙ୍କୁ ଅଜଣା ଲୋକଙ୍କ ମଧ୍ୟରେ ବନ୍ଧୁ ଖୋଜିବାକୁ ଦିଅ। ଶକ୍ତିଶାଳୀମାନେ ଦୁର୍ବଳଙ୍କୁ ସାହାଯ୍ୟ କରିବା ଉଚିତ। ଶକ୍ତିଶାଳୀମାନେ ଏହା ଭୁଲିଯିବା ଅନୁଚିତ ଯେ, ରଥର ଚକ ପରି ଗଡ଼ିଗଡ଼ି ଜୀବନ ପଥରେ ଅଗ୍ରସର ହେଉଥିବା ବେଳେ, ଧୀରେ ଧୀରେ ଶକ୍ତି ହ୍ରାସ ହୁଏ।

ସମ୍ବନ୍ଧିତ ଖବର