ପୃଥିବୀର ଉତ୍ତର ଚୁମ୍ବକୀୟ ମେରୁ କାନାଡାରୁ ରୁଷ୍‌କୁ ଘୁଞ୍ଚିଗଲା କେମିତି

ନୂଆଦିଲ୍ଲୀ: ପୃଥିବୀର ଉତ୍ତର ଚୁମ୍ବକୀୟ ମେରୁକୁ କାନାଡରୁ ରୁଷ୍‌କୁ ଘୁଞ୍ଚାଇ ଦେଇଥିବା ଶକ୍ତିକୁ ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି।

କାନାଡାର ଉତ୍ତର ଉପକୂଳରେ ଥିବା ଉତ୍ତର ଚୁମ୍ବକୀୟ ମେରୁ ଶହେ ବର୍ଷ ହେ‌ବ ଘୁଞ୍ଜି ଘୁଞ୍ଜି ଆର୍କଟିକ୍ ସାଗର ମଝିରେ ପହଞ୍ଚିବା ପରେ ରୁଷ୍‌ ଆଡ଼କୁ ଗତି କରୁଛି।

ପୃଥିବୀର ଗଭୀର ଅଭ୍ୟନ୍ତରରେ ଥିବା ତରଳ ଲୌହର ଅନିଶ୍ଚିତ ପରିବର୍ତ୍ତନ ଦ୍ବାରା ଏହି ଚଳନ୍ତା ମେରୁ ପରିଚାଳିତ ହେଉଛି। ଏବେ ଦଳେ ଗବେଷକ ବିଶ୍ବାସ କରୁଛନ୍ତି ଯେ ଏହି ପରିବର୍ତ୍ତନ କରାଉଥିବା ଶକ୍ତିକୁ ସେମାନେ ଚିହ୍ନଟ କରି ପାରିଛନ୍ତି। ତାହା ହେଉଛି ପ୍ରତିଦ୍ବନ୍ଦ୍ବିତା ଚଳାଇଥିବା ଦୁଇଟି ଚୁମ୍ବକୀୟ କ୍ଷେତ୍ର। ଗୋଟିଏ ରହିଛି କାନାଡ଼ା ଭୂଗର୍ଭରେ, ଅନ୍ୟଟି ସାଇବେରିଆର ଭୂଗର୍ଭରେ। ଭୂପୃଷ୍ଠ ଅଭ୍ୟନ୍ତରର ବାହ୍ୟ ଭାଗରେ ଥିବା ଏ ଦୁଇ ଚୁମ୍ବକୀୟ କ୍ଷେତ୍ର ଚୁମ୍ବକୀୟ ଉତ୍ତରମେରୁକୁ ଆକର୍ଷଣ କରୁଛନ୍ତି।

ପୃଥିବୀର ଉତ୍ତର ଚୁମ୍ବକୀୟ ମେରୁର ଦ୍ରୁତ ସ୍ଥାନାନ୍ତରଣ ଯୋଗୁଁ ଆର୍ଟିକ୍‌ ଅଞ୍ଚଳରେ ଜାହାଜ, ବିମାନ ଓ ବୁଡ଼ାଜାହାଜଙ୍କୁ ଦିଗ ବାରିବାରେ ସହାୟକ ହେବାକୁ ଗବେଷକମାନେ ଚୁମ୍ବକୀୟ ଦିଗର ଆଗୁଆ ମଡେଲ୍ ପ୍ରସ୍ତୁତ କରିବାକୁ ବାଧ୍ୟ ହେଉଛନ୍ତି।

 

ସମ୍ବନ୍ଧିତ ଖବର