ହିନ୍ଦୁ ଧର୍ମ ଗ୍ରହଣ କଲେ ପ୍ରେମିକଙ୍କୁ ବିବାହ କରିବେ ବୋଲି କହିଲେ ଯୁବତୀ

ଯୋଧପୁର: କେରଳର ଲଭ୍‌ ଜିହାଦ ମାମଲା ନେଇ ସମଗ୍ର ଦେଶରେ ଚର୍ଚ୍ଚା ଲାଗି ରହିଛି। ଏପରିକି ଘଟଣା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁଥିବା ବେଳେ ହାଦିିଆ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଏହିପରି ସମୟରେ ପୁଣି ଏକ ମାମଲା ରାଜସ୍ଥାନର ଯୋଧପୁରରୁ ଆସିଛି। ନିଜ ମୁସଲମାନ ପ୍ରେମିକଙ୍କ ସହିତ ଘରୁ ଲୁଚି ପଳାଇଯାଇଥିବା ଜଣେ ହିନ୍ଦୁ ଯୁବତୀ କହିଛନ୍ତି ଯେ ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିବେ, ମାତ୍ର ଗୋଟିଏ ସର୍ତ୍ତରେ। ସର୍ତ୍ତଟି ହେଉଛି ତାଙ୍କୁ ବିବାହ କରିବା ପାଇଁ ତାଙ୍କ ପ୍ରେମିକଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ପଡ଼ିବ।
ଯୋଧପୁର ପୁଲିସ ସୂତ୍ରରୁ ପ୍ରକାଶ ଯେ ଯୋଧପୁର ଅଞ୍ଚଳର ଜଣେ ୨୦ ବର୍ଷୀୟା ହିନ୍ଦୁ ଯୁବତୀ ମହସିନ୍‌ ଖାଁ ଜଣେ ମୁସଲମାନ ସମ୍ପ୍ରଦାୟର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଭଲ ପାଉଥିଲେ ଓ ଗତ ରବିବାର ଦିନ ଯୁବତୀଜଣକ ଘରୁ ଲୁଚି ମହସୀନଙ୍କ ସହିତ ଫେରାର ହୋଇ ଯାଇଥିାଲ। ଏହି ଘଟଣା ନେଇ ଯୁବତୀଙ୍କ ପରିବାର ଯୋଧପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ପ୍ରେମୀଯୁଗଳଙ୍କ ଉପରେ ନଜର ରଖିଥିଲା। ଗତ ମଙ୍ଗଳବାର ଦିନ ଉଭୟଙ୍କୁ ବିକାନରରୁ ଧରି ପୁଲିସ ଯୋଧପୁର ଆଣିବା ପରେ ଏହି ଘଟଣା ପ୍ରଚାର ହୋଇଯାଇଥିଲା। ଶହଶହ ସଂଖାରେ ହିନ୍ଦୁ ସଙ୍ଗଠନର ଯୁବକଙ୍କ ସହିତ ଯୁବତୀଙ୍କ ପରିବାର ଲୋକୋ ଥାନାରେ ପହଞ୍ଚି ଏହା ଲଭ୍‌ ଜିହାଦ୍‌୍‌ ବୋଲି ହୋ ହଲ୍ଲା କରିଥିଲେ। ଏ ସମ୍ପର୍କରେ ଯୋଧପୁରର ଆସିଷ୍ଟାଣ୍ଟ କମିସନର ଅଫ୍‌ ପୁଲିସ ରୂପା ଯାଦବ କହିଛନ୍ତି ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ମାଜିଷ୍ଟ୍ରଟ୍‌ଙ୍କ ନିକଟରେ ୧୬୪ ଧାରା ଅନୁଯାୟୀ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି। ଏଥିରେ ଯୁବତୀ ଜଣକ ବାରମ୍ବାର କହିଛନ୍ତି ଯେ ଯଦି ମହସୀନ ତାଙ୍କ ( ଇସଲାମ)ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରନ୍ତି, ତେବେ ସେ ତାଙ୍କୁ ବିବାହ କରିବେ। ସେହିପରି ଯୁବତୀ ଜଣକ ନିଜ ପିତାମାତାଙ୍କ ଘରୁକୁ ଯିବାକୁ ମନା କରି ଦେବା ସହିତ ମହସୀନ ହିନ୍ଦୁ ଧର୍ମ ଗ୍ରହଣ କଲା ପର୍ଯ୍ୟନ୍ତ ସେ ତାଙ୍କୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଅପେକ୍ଷା କରିବେ ବୋଲି କହିଛନ୍ତି।
ଯୁବତୀ ଜଣକ ସାବାଳିକା ହୋଇଥିବାରୁ ସେ କେଉଁଠାରେ ରହିବେ ସେ ନିଷ୍ପତ୍ତି ସେ ନିଜେ ନେଇପାରିବେ। ତେଣୁ ଥାନାରେ ସମସ୍ତ କାଗଜପତ୍ର କାର୍ଯ୍ୟ କରି ସାରିବା ପରେ ତାଙ୍କୁ ଯିବାକୁ ଦିଆଯାଇଛି ବୋଲି ରୂପା ଯାଦବ କହିଛନ୍ତି।

ସମ୍ବନ୍ଧିତ ଖବର