ଦଉଡ଼ିଡିଆଁରେ ନୂଆ ରେକର୍ଡ : ଏକ ମିନିଟ୍‌ରେ ୩୭୪ ଥର ସ୍କିପିଂ

ଦୀର୍ଘ ୧୦ ବର୍ଷ ହେଲା ଦଉଡ଼ିଡିଆଁ (ସ୍କିପିଂ)ରେ ରହିଥିବା ବିଶ୍ବ ରେକର୍ଡକୁ ଜଣେ ଚୀନା କିଶୋର ଭାଙ୍ଗି ଦେଇଛନ୍ତି। ଚୀନ୍‌ର ନିଙ୍ଗବୋ ପ୍ରଦେଶ ଅନ୍ତର୍ଗତ ୟୁୟାଓ ସହରରେ ରହୁଥିବା ଝୋଉ କାଇ ନାମକ ୧୬ ବର୍ଷୀୟ ବାଳକ ଏକ ମିନିଟ୍‌ରେ ୩୭୪ ଥର ସ୍କିପିଂ କରି ଗିନିଜ୍‌ ବିଶ୍ବ ରେକର୍ଡରେ ନିଜର ନାମ ଲିପିବଦ୍ଧ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଜାପାନର ଦାଇସୁକ୍‌ ମିମୁରାଙ୍କ ନାମରେ ରହିଥିଲା, ଯିଏ ୨୦୨୩ ମସିହାରେ ଏକ ମିନିଟ୍‌ରେ ୩୪୮ ଥର ସ୍କିପିଂ କରିପାରିଥିଲେ। ଝୋଉ କାଇ ସ୍ବତଃପ୍ରବୃତ୍ତ ଭାବେ ମିମୁରାଙ୍କ ରେକର୍ଡ ଭାଙ୍ଗିବା ଉଦ୍ୟମରେ ଲାଗିପଡ଼ିଥିଲେ ଏବଂ ଏହାର ପ୍ରଚାର ପ୍ରସାର ପାଇଁ ସେ ବନ୍ଧୁମାନଙ୍କର ସହାୟତା ଲୋଡ଼ିଥିଲେ। ଗିନିଜ୍‌ର ରେକର୍ଡ ପରିଚାଳନା ଦଳ ସହିତ ଅନ୍‌ଲାଇନ୍‌ରେ ଯୋଗାଯୋଗ କରିବା ପରେ ସେ ଦ୍ବିତୀୟ ପ୍ରୟାସରେ ହିଁ ଏହି ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି।

ତେବେ ପୂର୍ବରୁ ସେ ବିଦ୍ୟାଳୟସ୍ତରୀୟ ଏକ ପ୍ରତିଯୋଗିତାରେ ମିନିଟ୍‌କୁ ୩୯୮ ଥର ସ୍କିପିଂ କରିଥିଲେ ବୋଲି ଜଣାଯାଇଛି, ମାତ୍ର ଏଭଳି ଅପ୍ରତ୍ୟାଶିତ ଘଟଣା ବିଶ୍ବ ରେକର୍ଡରେ ସ୍ଥାନ ପାଇବା ପାଇଁ ସେତେବେଳେ କୌଣସି ବ୍ୟବସ୍ଥା କରାଯାଇନଥିଲା। ସେ ଦୀର୍ଘ ସାତ ବର୍ଷ ହେଲା ନିଜ ବିଦ୍ୟାଳୟର ସ୍କିପିଂ ଦଳରେ ରହିବା ସହ ପ୍ରଦେଶ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାମାନଙ୍କରେ ଭାଗ ନେଇ ଆସୁଛନ୍ତି। ଏବେ ସପ୍ତାହକୁ ଦୁଇ ଦିନ ପ୍ରଶିକ୍ଷଣ ନେଉଥିବା ଝୋଉ କାଇ ଭବିଷ୍ୟତରେ ନିଜ ପ୍ରଶିକ୍ଷକଙ୍କ ଭଳି ଜଣେ ସ୍କିପିଂ କୋଚ୍‌ ହେବେ ବୋଲି କହିଛନ୍ତି। ଆଗକୁ ସେ ନିଜର ସ୍କିପିଂ ରେକର୍ଡ ଭାଙ୍ଗିବାକୁ ମଧ୍ୟ ଚେଷ୍ଟ କରିବେ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର