ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ: ସ୍ପିନର୍ ଦେଲେ ସହଜ ବିଜୟ

ବାର୍ବାଡସ୍‌: ଘରୋଇ ଦଳର ଶୀର୍ଷକ୍ରମକୁ ଦ୍ରୁତ ବୋଲରମାନେ ଖସାଇ ଦେବା ପରେ ସ୍ପିନ୍‌ ଯୋଡ଼ି ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବ ଅନ୍ୟମାନଙ୍କୁ ଜାଲରେ ଫସାଇ ଦେବା ପରେ ଭାରତ ପ୍ରଥମ ଦିନିକିଆରେ ସହଜ ବିଜୟ ପାଇଛି। ୧୧୫ ରନ୍‌ ଲକ୍ଷ୍ୟରେ ଖେଳିଥିବା ଭାରତ ପାଇଁ ଶୀର୍ଷକ୍ରମରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବ୍ୟାଟିଂ ପାଇ ଆସିନଥିଲେ। ଫଳରେ ଭାରତ ୧୦୦ ରନ୍‌ ଭିତରେ ୫ ୱିକେଟ୍‌ ହରାଇ ଦେଇଥିଲା। ତଥାପି ଈଶାନ କିଶନଙ୍କ ଅର୍ଦ୍ଧଶତକ ଭାରତକୁ ସହଜ ବିଜୟ ଦେଇଥିଲା। ଏଥି ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ୩ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି।
ରୋହିତ ଶର୍ମା ଏହି ମ୍ୟାଚ୍‌ରେ ପାଳି ଆରମ୍ଭ କରିବାକୁ ନଆସି ଦୁଇ ଯୁବ ବ୍ୟାଟର୍‌ ଶୁବମନ ଗିଲ୍‌ ଓ ଈଶାନ କିଶନଙ୍କୁ ଉପରେ ଛାଡ଼ିଥିଲେ। କିନ୍ତୁ ଚତୁର୍ଥ ଓଭରରେ ଗିଲ୍‌ଙ୍କୁ ସ୍ଲିପ୍‌ ଅଞ୍ଚଳରେ କ୍ୟାଚ୍‌ କରାଇ ଜେଡେନ୍‌ ସିଲ୍ସ ପ୍ରାରମ୍ଭିକ ସଫଳତା ଦେଇଥିଲେ।

ଈଶାନଙ୍କ ସହ ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ୱିକେଟ୍‌ରେ ୩୬ ରନ୍‌ ଯୋଡ଼ି ପାଳି ସମ୍ଭାଳିଥିଲେ। ସୂର୍ଯ୍ୟଙ୍କ ସଟ୍‌ରେ ଆତ୍ମବିଶ୍ବାସର ଅଭାବ ଦେଖାଯାଉଥିଲା। ଯେଉଁଥିପାଇଁ ଭୁଲ୍‌ ସଟ୍‌ ଚୟନ କରି ଗୁଡ଼କେଶ ମୋତିଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇଯାଇଥିଲେ। ଈଶାନ କିଶନ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଆଗକୁ ବଢ଼ି ପାରିନଥିଲେ। ଗୁଡ଼କେଶ‌ ମୋତିଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ହାର୍ଦିକ୍ ପାଣ୍ଡ୍ୟାଙ୍କ ରନ୍ ଆଉଟ୍ ଏବଂ ଶାର୍ଦୁଳ ଠାକୁରଙ୍କ ସଅଳ ବିଦାୟ କାରଣରୁ ଭାରତ ୧୦୦ ରନ୍‌ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା। ପଞ୍ଚମ ୱିକେଟ୍‌ର ପତନ ପରେ ରୋହିତ ବ୍ୟାଟିଂ କରିବାକୁ ଆସିଥିଲେ। ୱେଷ୍ଟଇଣ୍ଡିଜ ୨୩ ଓଭରରେ ୧୧୪ ରନ୍‌ କରିଥିବା ବେଳେ ଭାରତ ମଧ୍ୟ ୨୩ତମ ଓଭରରେ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା।

ପୂର୍ବରୁ ରୋହିତ ଶର୍ମା ଟସ୍‌ ଜିତି ସାଇ ହୋପ୍‌ଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲେ। ମ୍ୟାଚ୍‌ର ତୃତୀୟ ଓଭରରେ କାଇଲ୍‌ ମାୟର୍ସଙ୍କୁ ଆଉଟ୍‌ କରି ହାର୍ଦ୍ଦିକ ପାଣ୍ଡ୍ୟା ପ୍ରାରମ୍ଭିକ ସଫଳତା ଦେଇଥିଲା ବେଳେ ପଦାର୍ପଣକାରୀ ମୁକେଶ କୁମାର ଅଷ୍ଟମ ଓଭରରେ ଅଲିକ୍‌ ଅଥାନେଜ୍‌ଙ୍କ ୱିକେଟ୍‌ ନେଇଥିଲେ। ପରବର୍ତ୍ତୀ ଓଭରରେ ବ୍ରାଣ୍ଡନ୍‌ କିଙ୍ଗ୍‌ଙ୍କୁ ଶାର୍ଦୁଳ ଠାକୁର ବୋଲ୍ଡ କରି ଶୀର୍ଷକ୍ରମ ଭାଙ୍ଗିଥିଲେ। ପରବର୍ତ୍ତୀ ୩ ୱିକେଟ୍‌କୁ ରବୀନ୍ଦ୍ର ଜାଦେଜା ଅକ୍ତିଆର କରିବାରୁ ପିଚ୍‌ରେ ସ୍ପିନ୍‌ ଭଲ କାମ କରୁଥିବା ଦେଖାଯାଇଥିଲା। ୧୮ ଓଭର ପରେ କୁଲଦୀପଙ୍କୁ ବୋଲିଂ ପାଇଁ ଅଣାଯାଇଥିଲା। ସେ ନିଜର ୩ ଓଭର ମଧ୍ୟରେ ଭଲ ଖେଳୁଥିବା ହୋପ୍‌ଙ୍କ ୱିକେଟ୍‌ ସହ ମାତ୍ର ୬ ରନ୍‌ ବ୍ୟୟ କରି ନିମ୍ନକ୍ରମର ଅନ୍ୟ ତିନିଜଣଙ୍କୁ ଆଉଟ୍‌ କରି ୪ ୱିକେଟ୍‌ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର