ସୁଭାଷିତ: ତୁଚ୍ଛ ବ୍ୟକ୍ତିଙ୍କୁ ଅଧିକ ଦାୟିତ୍ୱ ଦେଲେ ବିଭ୍ରାଟ

ଅଳପଲୋକେ ଅଧିକାର।
ତୁ କିମ୍ପା ଦେଲୁ ଦାମୋଦର।ା
-ଶ୍ରୀମଦ୍‌ଭାଗବତ, ଜଗନ୍ନାଥ ଦାସ, ୧୦/୧୫
ଅତିବଡ଼ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତର ଏହି ସୁଭାଷିତ ଏକ ସୁପ୍ରଚଳିତ ଲୋକୋକ୍ତିରେ ପରିଣତ ହୋଇଛି। ନିମ୍ନ, ତୁଚ୍ଛ ବା କ୍ଷୁଦ୍ର ବ୍ୟକ୍ତି, ଭାଗବତର ଏହି ଭାଷାରେ ‘ଅଳପଲୋକ’। ସେପରି ବ୍ୟକ୍ତି ଅଧିକ କ୍ଷମତା ବା ଅଧିକାର ପାଇଲେ, ତାହାକୁ ସମ୍ଭାଳି ପାରନ୍ତି ନାହିଁ। ଫଳରେ ନାନା ବିଭ୍ରାଟ ଜାତ ହୁଏ।
ଭାଗବତରେ ଏହାର ପ୍ରସଙ୍ଗ, ଦଶମସ୍କନ୍ଧ, ପଞ୍ଚଦଶ ଅଧ୍ୟାୟର ଗୋପଲୀଳାରେ ଅଛି। ବୃନ୍ଦାବନରେ ଶ୍ରୀକୃଷ୍ଣ ଓ ତାଙ୍କର ସାଥୀମାନେ ଯମୁନା କୂଳର ବାଲିକୁଦରେ ବସି ଅନ୍ନଭୋଜନର ଆନନ୍ଦ ନେଉଥିବା ବେଳେ, ବ୍ରହ୍ମା ତାହା ଦେଖି ଚିନ୍ତିତ ହେଲେ। ସେ ମନେକଲେ, ମାୟାଧର ନିଜେ ମାୟାରେ ପଡ଼ିଗଲେଣି। ଏଣୁ ମୁଁ ମାୟାରେ ଗୋ-ବତ୍ସା ଓ ଗୋପବାଳକଙ୍କୁ ହରଣ କରିନେବି। ଦେଖିବି, ମାୟାଧର କିପରି ମୋ ମାୟାରୁ ପାରି ହେଉଛନ୍ତି।
ଏହା ଭାବି ବ୍ରହ୍ମା ଗୋ-ବତ୍ସା ଓ ଗୋପାଳବାଳକଙ୍କୁ ମାୟାରେ ହରଣ କରି ନେଇ ନିଜ କମଣ୍ଡଳୁରେ ଲୁଚାଇଦେଲେ। ତାହା ଜାଣି ଶ୍ରୀକୃଷ୍ଣ ନିଜ ଶରୀରରୁ ସେହି ବତ୍ସା ଓ ବାଳକଙ୍କୁ ଜାତ କରି, ପୂର୍ବପରି ତାଙ୍କ ସହ କ୍ରୀଡ଼ା କରିବାରେ ଲାଗିଲେ। ତାହା ଦେଖି ବ୍ରହ୍ମା ବିସ୍ମିତ ହେଲେ। ଭାବିଲେ, ମୁଁ ଯାହାଙ୍କୁ ହରଣ କରିନେଇ ମୋ ମାୟା ସଂସାରରେ ରଖିଛି, ସେମାନେ ପୁଣି ଏଠି କିପରି କୃଷ୍ଣଙ୍କ ସହ ଖେଳୁଛନ୍ତି? ସେ ଲଜ୍ଜିତ ହେଲେ। ନିଜର ଅଧିକାର ବା କ୍ଷମତାର ସୀମା ବୁଝିପାରିଲେ। ଯାଇ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ପ୍ରଣାମ କଲେ।
ସେହି ସମୟରେ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ଯେଉଁ ସ୍ତୁତି କରିଥିଲେ, ସେଥିରେ ଉପରୋକ୍ତ କଥାଟି କହିଥିଲେ। ସେ କହିଥିଲେ- ହେ ମାୟାଧର! ଅଜ୍ଞାନପଣରେ ମୁଁ ତୁମକୁ ଭଣ୍ଡିଲି। ତୁମେ ହେଉଛ ଶ୍ରେଷ୍ଠ ମାୟାବୀ। ତାହା ନବୁଝି ମୁଁ ତୁମ ସହିତ ମାୟା କଲି। ତୁମେ ଅଗ୍ନି; ମୁଁ ତାହାର ଶିଖା; ଶିଖା କେବେ ଅଗ୍ନି ହୋଇପାରେନା। କିନ୍ତୁ ତୁମେ ମୋ ପରି କ୍ଷୁଦ୍ର ବ୍ୟକ୍ତିଙ୍କୁ ଅଧିକାର ଦେଲ ବୋଲି ସିନା ଏତେ କଥା ହେଲା! ଅଳପଲୋକକୁ ଅଧିକ ଅଧିକାର ଦେଲେ ସେ ତାହାକୁ ସମ୍ଭାଳି ପାରେ ନାହିଁ। ନାନା ବିଭ୍ରାଟ ସୃଷ୍ଟି କରେ। ଏଣୁ ମୁଁ ତୁମଠାରେ ଅପରାଧୀ। ହେ କରୁଣାନିଧି! ମୁଁ ତୁମର ଶରଣ ପଶୁଛି। ମୋତେ କ୍ଷମାକର।
କିନ୍ତୁ ସୃଷ୍ଟିକର୍ତ୍ତା ବ୍ରହ୍ମା ବିଷ୍ଣୁଙ୍କୁ ଏହା କହିଥିବା ସତ୍ତ୍ୱେ, ଏହାର ମର୍ମ ନବୁଝି, କ୍ଷୁଦ୍ର ଓ ତୁଚ୍ଛ ବ୍ୟକ୍ତିମାନେ ଟିକିଏ ଅଧିକ ଅଧିକାର ପାଇଲେ, ଉତ୍ପାତ ହୁଅନ୍ତି। ଏହା ହିଁ ବିଡ଼ମ୍ବନା।

ସମ୍ବନ୍ଧିତ ଖବର