ବାରିକମାନଙ୍କଠାରୁ କେଶ କିଣିବେ ସରକାର , ଜାଣନ୍ତୁ କିଲୋପ୍ରତି ମିଳିବ କେତେ ଟଙ୍କା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଥିବା ବାରିକମାନଙ୍କଠାରୁ କିଲୋଗ୍ରାମ ପିଛା ୪୦ ଟଙ୍କାରେ କେଶ କିଣିବେ। ଏହି ଯୋଜନାକୁ ସରକାର ପ୍ରଥମେ ୧୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରିବେ। ଏହି କେଶ ସହିତ ଗୋମୂତ୍ର ଓ ଗୋବର ମିଶାଇ ଆମିନୋ ଏସିଡ୍‌ ପ୍ରସ୍ତୁତ କରିବାର ଯୋଜନା କରାଯାଇଛି। ଏଥିପାଇଁ ଲକ୍ଷ୍ନୌ ଓ କାନପୁର ସମେତ ରାଜ୍ୟର ୧୦ଟି ସହରରେ କେଶ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଇତିମଧ୍ୟରେ ଏଥିଲାଗି ଏକ କଂପାନି ସହିତ ସରକାରଙ୍କର ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ସାରିଛି।

କର୍ଣ୍ଣାଟକର ଏକ କଂପାନି ରାଜ୍ୟ ସରକାରଙ୍କ ଗ୍ରାମ ଉଦ୍ୟୋଗ ବିଭାଗକୁ ଏଭଳି ପ୍ରସ୍ତାବ ଦେଇଥିଲେ। ତାପରେ ଉତ୍ତର ପ୍ରଦେଶ ସରକାର ଏଥିନେଇ ଯୋଜନା କରିଥିଲେ। କଂପାନି ତା’ର କେତେକ ଉତ୍ପାଦ ପ୍ରସ୍ତୁତି ଲାଗି ମାସିକ ୨ ଲକ୍ଷ ଲିଟର ଆମିନୋ ଏସିଡ୍‌ ଆବଶ୍ୟକ କରୁଛି। ଆମିନୋ ଏସିଡର ଲିଟର ପିଛା ଦର ୧୫୦ଟଙ୍କା ରହିବ ବୋଲି କୁହାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟର ବାରିକମାନେ ଅତିରିକ୍ତ ରୋଜଗାର ପାଇବେ ବୋଲି ଖଦି ଗ୍ରାମ ଉଦ୍ୟୋଗ ମନ୍ତ୍ରୀ ସତ୍ୟଦେଓ ପାଚୌରି କହିଛନ୍ତି।

ସମ୍ବନ୍ଧିତ ଖବର