ଦୁର୍ଦ୍ଦଶା ବଖାଣିଲେ ଚେସ୍ ଚାମ୍ପିଅନ: କହିଲେ; ଚାକିରି ଓ ପୁରସ୍କାର ଦେବାକୁ କହି ଠକିଦେଲେ ସରକାର

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ପଞ୍ଜାବର ଦିବ୍ୟାଙ୍ଗ ଚେସ୍ ଖେଳାଳି ମଲିକା ହାଣ୍ଡା । ପଞ୍ଜାବ ସରକାର ଉପରେ ରାଗିଯାଇ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ମଲିକା । ବିଶ୍ୱ ଚେସ୍ ଚ୍ୟାମ୍ପିଅନ ମଲିକା ଅଭିଯୋଗ କରିଛନ୍ତି ଯେ, ଚାକିରି ଓ ଆର୍ଥିକ ପୁରସ୍କାର ପାଇଁ ସରକାର ଘୋଷଣା କଲେ, ଏଥିପାଇଁ ତାଙ୍କୁ ନିମନ୍ତ୍ରଣ ମଧ୍ୟ କଲେ, ହେଲେ ତା ପରେ ପୁରା ଭୁଲିଗଲେ । ମଲିକା ଟ୍ୱିଟ କରି ନିଜର ଦୁଃଖ ଓ କ୍ଷୋଭକୁ ସୋସିଆଲ ମିଡିଆରେ ବଖାଣିଛନ୍ତି । ଏନେଇ ସେ ଅନେକ କ୍ଷମତାସୀନ ନେତା ମନ୍ତ୍ରୀଙ୍କୁ ଭେଟିବା ପରେ ଖେଳ ମନ୍ତ୍ରୀଙ୍କୁ ଭେଟିଥିଲେ ବି ଦିବ୍ୟାଙ୍ଗ ଖେଳାଳିଙ୍କ ପାଇଁ କିଛି ପୁରସ୍କାର କିମ୍ବା ଚାକିରି ନାହିଁ ବୋଲି ତାଙ୍କୁ କୁହାଯାଇଥିଲା।

ଏହା ଶୁଣିବା ପରେ ବିଶ୍ୱ ଚାମ୍ପିଅନସିପରେ ଭାଗ ନେଇ ତିନିତିନି ଥର ମେଡାଲ ଜିତିଥିବା ମଲିକା ହାଣ୍ଡା ଏବେ ଅସହାୟ ହୋଇପଡିଛନ୍ତି । ଏନେଇ ଟ୍ୱିଟରରେ ନିଜ ଦୁଃଖ ମାନସିକ ଯନ୍ତ୍ରଣାକୁ ବଖାଣିଛନ୍ତି ମଲିକା। ସେ କହିଛନ୍ତି ଯେ, ପଞ୍ଜାବ ସରକାର ମୋତେ ଚାକିରି ଓ ଆର୍ଥିକ ପୁରସ୍କାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ନିଜ କଥାରୁ ଓହରି ଯାଇଛନ୍ତି । ମୁଁ ଡିସେମ୍ବର ୩୧ ତାରିଖରେ ଖେଳ ମନ୍ତ୍ରୀଙ୍କୁୁ ଭେଟିଥିଲି ହେଲେ ମନ୍ତ୍ରୀ କହିଲେ ମୁଁ ଚାକିରି ଓ ପୁରସ୍କାର ପାଇଁ ଅଯୋଗ୍ୟ । ବଧୀର ଖେଳାଳିଙ୍କ ପାଇଁ ସରକାରଙ୍କର କୌଣସି ନୀତି ନାହିଁ । ଖେଳମନ୍ତ୍ରୀଙ୍କ ଏହି କଥା ମୋତେ ଗଭୀର ଭାବେ ମର୍ମାହତ କରିଛି । ପୂର୍ବ ଖେଳ ମନ୍ତ୍ରୀ ନଗଦ ରାଶି ଦେବାକୁ ଘୋଷଣା କରିଥିଲେ । ପୁରସ୍କାର ଗ୍ରହଣ କରିବାକୁ ମୋ ପାଖରେ ନିମନ୍ତ୍ରଣ ପତ୍ର ବି ଅଛି । କିନ୍ତୁ କରୋନା ପାଇଁ ଏହାକୁ ରଦ୍ଦ କରିଦିଆଗଲା । ଏକଥା ମୁଁ ଏବେକାର କ୍ରୀଡା ମନ୍ତ୍ରୀ ପରଗତ ସିଂହଙ୍କୁ ଜଣାଇବା ପରେ ସେ ଆହୁରି କଠୋର ହୋଇଯାଇଥିଲେ । ପୁରସ୍କାର କଥା ପୂର୍ବ ମନ୍ତ୍ରୀ ଘୋଷଣା କରିଥିଲେ, ମୁଁ ନୁହେଁ ବୋଲି କହିଥିଲେ । ସରକାର ମୋର ୫ ବର୍ଷ ବର୍ବାଦ କରିଦେଲେ । ମୁଁ ବଧୀର ବୋଲି ମୋତେ ଅଣଦେଖା କରୁଛନ୍ତି । ଏଠି ପ୍ରତିଭାର କୌଣସି ମୂଲ୍ୟ ନାହିଁ । କଥା ଦେଇ ମୋତେ ପଞ୍ଜାବ ସରକାର ଠକିଛନ୍ତି ବୋଲି ଟ୍ୱିଟରରେ କହିଛନ୍ତି ମଲିକା ହାଣ୍ଡା ।

ଦିବ୍ୟାଙ୍ଗ ଭାବେ ବିଶ୍ୱ ଚେସ୍ ଚାମ୍ପିିଅନ ହେବାରେ ମଲିକା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା । ଆସନ୍ତୁ ନଜର ପକାଇବା ତାଙ୍କର ସଫଳତା ଉପରେ:
ମଲିକା ହାଣ୍ଡାଙ୍କ ମେଡାଲ ତାଲିକା:
ଅନ୍ତର୍ଜାତୀୟ ପଦକ:
ରୌପ୍ୟ- ଆଇଆଇସିସିଡି ଡିଫ୍ ବ୍ଲିଟ୍ସ ୱାର୍ଲ୍ଡ ଚେସ୍ ଚାମ୍ପିଅନସିପ୍ (୨୦୧୮)
ରୌପ୍ୟ- ଭିନ୍ନକ୍ଷମ ଏସୀୟ ଚେସ୍ ଚ୍ୟାମ୍ପିନ୍ସିପ୍ (୨୦୧୭)
ସ୍ୱର୍ଣ୍ଣ- ଆଇସିସିଡି ୱାର୍ଲ୍ଡ ଓପନ ଇଣ୍ଡିଭିଜୁଆଲ ବ୍ଲିଟ୍ସ ଚେସ୍ ଚାମ୍ପିଅନସିପ୍(୨୦୧୬)
ରୌପ୍ୟ- ଆଇସିସିଡି ବ୍ୟକ୍ତିଗତ ବ୍ଲିଟ୍ସ ୱାର୍ଲ୍ଡ ଚେସ୍ ଚାମ୍ପିଅନସିପ୍(୨୦୧୬)
ସ୍ୱର୍ଣ୍ଣ-ଆଇସିସିଡି ତୃତୀୟ ଏସୀୟ ଚେସ୍ ଚାମ୍ପିଅନସିପ୍ (୨୦୧୫)
ରୌପ୍ୟ- ଆଇସିସିଡି ପ୍ରଥମ ଏସୀୟ ଓପନ୍ ବଧୀର ଚେସ୍ ବ୍ଲିଟ୍ସ ଚାମ୍ପିଅନସିପ୍(୨୦୧୫)
ଜାତୀୟ ପଦକ:
ସ୍ୱର୍ଣ୍ଣ- ୨୨ ତମ ଜାତୀୟ ବଧୀର ଚେସ୍ ଚାମ୍ପିଅନସିପ୍(୨୦୨୦)
ସ୍ୱର୍ଣ୍ଣ- ୨୧ ତମ ଜାତୀୟ ବଧୀର ଚେସ୍ ଚାମ୍ପିଅନସିପ୍(୨୦୧୮)
ସ୍ୱର୍ଣ୍ଣ- ୨୦ ତମ ଜାତୀୟ ବଧୀର ଚେସ୍ ଚାମ୍ପିଅନସିପ୍(୨୦୧୭)
ସ୍ୱର୍ଣ୍ଣ- ୧୯ ତମ ଜାତୀୟ ବଧୀର ଚେସ୍ ଚାମ୍ପିଅନସିପ୍(୨୦୧୭)
ସ୍ୱର୍ଣ୍ଣ- ୧୮ ତମ ଜାତୀୟ ବଧୀର ଚେସ୍ ଚାମ୍ପିଅନସିପ୍(୨୦୧୬)
ସ୍ୱର୍ଣ୍ଣ- ୧୭ ତମ ଜାତୀୟ ବଧୀର ଚେସ୍ ଚାମ୍ପିଅନସିପ୍(୨୦୧୩)
ସ୍ୱର୍ଣ୍ଣ- ଜାତୀୟ ବଧୀର ଚେସ୍ ଚାମ୍ପିଅନସିପ୍(୨୦୧୨)
ବିଶ୍ୱ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରି ଗୌରବ ଆଣିଥିବା ମଲିକା ହାଣ୍ଡାଙ୍କ ଦୁର୍ଦ୍ଦଶା ଶୁଣିବା ପରେ ଏବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ । ଯେଉଁଠି ଏଭଳି ପ୍ରତିଭାକୁ ଚରମ ଅବହେଳା କରାଯାଉଛିି ସେଠି ନିର୍ବାଚନ ପୂର୍ବରୁ ଚନ୍ନି ସରକାର ଦେଉଥିବା ପ୍ରତିଶ୍ରୁତି ସବୁ କେତେ ସତ?

ସମ୍ବନ୍ଧିତ ଖବର