ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି: ନରେନ୍ଦ୍ର ମୋଦୀ

ମେଣ୍ଟ ନେଇ ମଧ୍ୟ ରଖିଲେ ସ୍ପଷ୍ଟ ମତ

ଭୁବନେଶ୍ବର: ଓଡ଼ିଶାରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ରାଜ୍ୟରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱରରେ ରୋଡ୍‌ ସୋ’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମେଣ୍ଟ ନେଇ ମଧ୍ୟ ସ୍ପଷ୍ଟ ମତ ରଖିଛନ୍ତି। ଆମେ ଦୁଇଟି ଦଳ ଅଲଗା।  ସଂସଦରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ମିଳିଛି। କିନ୍ତୁ ବିଧାନସଭାରେ ଆମର ଲଢ଼େଇ ଜାରି ରହଛି। କାରଣ ଓଡ଼ିଆ ଅସ୍ମିତା ଏଠାରେ ବିପଦରେ ପଡ଼ିଛି। ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ଆମେ ପ୍ରତିବଦ୍ଧ ଅଛୁ।

ରୋଡ ସୋ’ ପରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିଛନ୍ତି। ସେ ଆଜି ରାଜଭବନରେ ରାତ୍ରିଯାପନ କରିବେ। ଆସନ୍ତାକାଲି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ  ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ଦ୍ବାରା ସ୍ବାଗତ ପରେ ପ୍ରଧାନମନ୍ତ୍ରୀ ବାଣୀବିହାର ଅଭିମୁଖେ ‌ରୋଡ ସୋ’ରେ ବାହାରିଥିଲେ। ଜନପଥ ଲୋକାରଣ୍ୟରେ ପରିଣତ ହୋଇଥିଲା। ମୋଦୀଙ୍କ ରୋଡ୍‌ ସୋ’ ‌ପାଇଁ କେବଳ ଭୁବନେଶ୍ବରବାସୀ ନୁହଁନ୍ତି। ବରଂ ବହୁ ଦୂରଦୂରାନ୍ତରୁ କର୍ମୀ ଓ ପ୍ରଶଂସକମାନେ ଜନପଥରେ ଗହଳି ଲଗାଇଥିଲେ। ଲୋକେ ପ୍ରାୟ ୬ ଘଣ୍ଟା ହେଲା ଜନପଥରେ ପହଞ୍ଚି ସାରିଥିଲେ। ଓଡ଼ିଶାର କଳା ଜନପଥରେ ଦେଖାଯାଇଥିଲା। ଗୀତ, ନାଚ, ବାଦ୍ୟର ତାଳେତାଳେ ମୋଦୀଙ୍କୁ ସ୍ବାଗତ କରାଯାଇଥିଲା। ବିମାନବନ୍ଦର ଠାରୁ ମୋଦୀ ଯେଉଁ ରାସ୍ତାରେ ଯିବେ ସବୁଠି ବିଜେପିର ପତାକା ଉଡୁଥିଲା। ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ମଧ୍ୟରେ ରହିଥିଲା ୧୨ଟି ମଂଚ, ଯେଉଁଠି ମୋଦୀ ଓ ଓଡ଼ିଶାର ବିଭିନ୍ନ ପ୍ରତିକୃତି ପ୍ରଦର୍ଶନ କରାଯାଇଥିଲା। ବିଜେପି ଶିବିରରେ ପୂରା ଉତ୍ସାହ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର