ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍ ପାଇଁ ଐତିହାସିକ କ୍ଷଣ: ଅଲ୍ ଇଂଲଣ୍ଡରେ ଖେଳିବେ ଋତାପର୍ଣ୍ଣା-ଶ୍ବେତାପର୍ଣ୍ଣା

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ାରେ ଏକ ଐତିହାସିକ କ୍ଷଣ ଆସି ଉପନୀତ ହୋଇଛି। ପ୍ରଥମ ଓଡ଼ିଆ ମହିଳା ବ୍ୟାଡ୍‌ମିଣ୍ଟନ୍ ଯୋଡ଼ି ଭାବେ ମର୍ଯ୍ୟାଦାଜନକ ଅଲ୍ ଇଂଲଣ୍ଡ୍‌ ଓପନ୍ ବ୍ୟାଡ୍‌ମିଣ୍ଟନ୍ ପ୍ରତ‌ିଯୋଗିତାରେ ପଦାର୍ପଣ କରିବେ ପଣ୍ଡା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣା ପଣ୍ଡା। ମଙ୍ଗଳବାର ସକାଳେ ଏହି ଖବର ପହଞ୍ଚିବା ପରେ ଓଡ଼ିଶା ଖେଳ ଦୁନିଆରେ ଖୁସିର ଲହରୀ ଖେଳିଯାଇଛି। ମଙ୍ଗଳବାରଠାରୁ ହିଁ ଇଂଲଣ୍ଡର ବର୍ମିଂହାମସ୍ଥିତ ଉଟିଲିଟା ଆରେନାରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି। ଯାହା ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ପିତାଙ୍କ ସଙ୍କଳ୍ପରୁ ସଂଘର୍ଷ ଭିତରେ ବଢ଼ିଥିବା ଏହି କଟକ ଯୋଡ଼ି ଏବେ ବିଶ୍ବ ମାନ୍ୟତାର ୫୧ତମ ସ୍ଥାନରେ ରହିବାରୁ ମହିଳା ଯୁଗଳ ବର୍ଗରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ରାଉଣ୍ଡରେ ଏହି ଯୋଡ଼ି ଜାପାନର ରିନ୍ ଇୱାନଗା-କିଏ ନାକାନିଶି (ବିଶ୍ବ ମାନ୍ୟତା ୧୩)ଙ୍କୁ ଭେଟିବେ। ସୂଚନା‌ଯୋଗ୍ୟ, ପ୍ରଥମ ତଥା ଏକମାତ୍ର ଓଡ଼ିଆ ଭାବେ ସନତ ମିଶ୍ର ୧୯୮୦ରେ ଅଲ୍‌ ଇଂଲଣ୍ଡରେ ଖେଳି ନୂଆ ଫର୍ଦ ଯୋଡ଼ିଥିଲେ। ଏବେ ଦୀର୍ଘ ୪୪ ବର୍ଷ ପରେ ଏକକାଳୀନ ଦୁଇ ଓଡ଼ିଆ ଅଲ୍ ଇଂଲଣ୍ଡ୍ ପଦାର୍ପଣ କରିଛନ୍ତି। ପୁଲେଲା ଗୋପୀଚାନ୍ଦ ଏକାଡେମିରେ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଥିବା ଏହି ଯୋଡ଼ି ୪ଟି ପ୍ରମୁଖ ମହିଳା ଯୁଗଳ ଅନ୍ତର୍ଜାତୀୟ ଟ୍ରଫି ଜିତିଥିବା ବେଳେ ୨୦୨୨ ମସିହା ପରଠାରୁ ୧୦ ପଦକ ହାସଲ କରିଛନ୍ତି। ୨୪ ବର୍ଷୀୟା ବଡ଼ ଭଉଣୀ ଋତାପର୍ଣ୍ଣାଙ୍କ ଅଭିଜ୍ଞତା ଏବଂ ୧୮ ବର୍ଷୀୟା ଶ୍ବେତାପର୍ଣ୍ଣାଙ୍କ ଯୁବ ପ୍ରତିଭାର ମିଶ୍ରଣ ଏବେ ସେମାନଙ୍କୁ ବିଶ୍ବ ଦରବାରରେ ପହଞ୍ଚାଇ ଦେଇଛି। ଅଲ୍‌ ଇଂଲଣ୍ଡ ପ୍ରଥମ ରାଉଣ୍ଡ୍ ଜିତିବା କଷ୍ଟକର ବ୍ୟାପାର ହୋଇଥିଲେ ମଧ୍ୟ ଏହି ସର୍ବପୁରାତନ ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ପଦାର୍ପଣ କରିବା ଓଡ଼ିଶା ପାଇଁ ସ୍ମରଣୀୟ ତଥା ଐତିହାସିକ କ୍ଷଣ ଆଣିଦେବ। ଅଭିଜ୍ଞତା ଦୃଷ୍ଟିରୁ ମଧ୍ୟ ଏହା ଦୁଇ ଭଉଣୀଙ୍କ ପାଇଁ ଏହା ଯଥେଷ୍ଟ ହେବ। ଓଡ଼ିଶା ସରକାର ଏବଂ କିଟ୍‌ ବିଶ୍ବବିଦ୍ୟାଳୟର ସହଯୋଗ କାରଣରୁ ସେମାନେ ଅଲ୍ ଇଂଲଣ୍ଡ ପହଞ୍ଚି ପାରିଥିବାରୁ ଦୁଇ ଭଉଣୀ କୃତଜ୍ଞତା ଜଣାଇଛନ୍ତି। ଏହି ଐତିହାସିକ କ୍ଷଣ ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍‌କୁ ଏହା ନୂଆ ଦିଶା ‌ଦେଖାଇବ ବୋଲି କହିଛନ୍ତି ବହୁବାର ରାଜ୍ୟ ବିଜେତା ବିଭାଷ କୁମାର ପରିଡ଼ା। ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍ ଯେଉଁଭଳି ସକରାତ୍ମକ ବାତାବରଣରେ ରହିଛି ଏହା ଖେଳ ପାଇଁ ୧୦୦ ପ୍ରତିଶତ ଶୁଭସୂଚନା ବୋଲି ଯୁବ ଖେଳାଳିଙ୍କୁ ଗଢ଼ୁଥିବା ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି।

ମନେପଡ଼ନ୍ତି ସନତ ମିଶ୍ର
ଓଡ଼ିଶାର ଉଦୀୟମାନ ପଣ୍ଡା ଭଉଣୀଙ୍କ ଅଲ୍‌ ଇଂଲଣ୍ଡ ପଦାର୍ପଣ ସ୍ବାଭାବିକ ଭାବେ ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ର କିଂବଦନ୍ତି ବ୍ୟକ୍ତିତ୍ବ ସନତ ମିଶ୍ରଙ୍କୁ ସ୍ମରଣ କରିବାକୁ ବାଧ୍ୟ କରିଛି। ସ୍ବର୍ଗତ ମିଶ୍ର ଥିଲେ ପ୍ରଥମ ତଥା ଏକମାତ୍ର ଓଡ଼ିଆ ଯିଏ ଅଲ୍‌ ଇଂଲଣ୍ଡ ଭଳି ପ୍ରମୁଖ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଖେଳିଥିଲେ। ରେଭେନସା ବିଶ୍ବବିଦ୍ୟାଳୟ ଓ ଭାରତୀୟ ରେଳବାଇ ପାଇଁ ଅନେକ ଗୌରବ ଆଣିଥିବା ଏହି ତାରକା ୧୯୮୦ ମସିହାରେ ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଖେଳିଥିଲେ। ଅନ୍ୟତମ ଭାରତୀୟ ଖେଳାଳି ଲେରୟ ଡି’ସୁଜାଙ୍କୁ ସାଥୀ କରି ଫ୍ରେଞ୍ଚ୍ ଓପନ୍‌ରେ ମଧ୍ୟ ଖେଳିବାର ଗୌରବ ଆଣିଥିଲେ। ୧୯୮୬ ମସିହାର ସିଓଲ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟୀ ଭାରତୀୟ ପୁରୁଷ ଦଳର ଅନ୍ୟତମ ସଦସ୍ୟ ଥିଲେ। ୧୯୮୪ ମସିହାରେ କିଂବଦନ୍ତି ଖେଳାଳି ପ୍ରକାଶ ପାଦୁକୋନଙ୍କ ପାର୍ଟନର ଭାବେ ମଧ୍ୟ ଥମାସ କପ୍‌ ପୁରୁଷ ଦଳଗତ ପ୍ରତିଯୋଗିତାରେ ଖେଳିଥିଲେ। ଜାତୀୟସ୍ତରରେ ମଧ୍ୟ ୪ ଥର ମିଶ୍ରିତ ଯୁଗଳ ସ୍ବର୍ଣ୍ଣ (ମଧୁସ୍ମିତା ଗୋସ୍ବାମୀଙ୍କୁ ନେଇ), ୩ ଥର ପୁରୁଷ ଯୁଗଳ ସ୍ବର୍ଣ୍ଣ ଓ ୨ ଥର ରୌପ୍ୟ (ଲେରୟ ଡି’ସୁଜାଙ୍କୁ ନେଇ) ପଦକ ହାସଲ କରି କିଂବଦନ୍ତି ବ୍ୟକ୍ତିତ୍ବ ଥିଲେ। ବିଶ୍ବବିଦ୍ୟାଳୟସ୍ତରରେ କ୍ରିକେଟ୍‌ ଖେଳିଥିବା ସ୍ବର୍ଗତ ମିଶ୍ର ୧୯୭୪ରୁ ଜଣେ କନିଷ୍ଠ ଖେଳାଳି ଭାବେ ବ୍ୟାଡ୍‌ମିଣ୍ଟନ ଦୁନିଆକୁ ଆସି ୧୮ ବର୍ଷର ଲମ୍ବା କ୍ୟାରିୟର ରଖିଥିଲେ। ୨୦୦୬ ମସିହାରେ ନିଜ ଭୁବନେଶ୍ବର ବାସଭବନରେ ବାଥରୁମ୍‌ରେ ପଡ଼ି ମାତ୍ର ୪୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସେତେବେଳକୁ ସେ ପୂର୍ବତଟ ରେଳବାଇର କ୍ରୀଡ଼ା କଲ୍ୟାଣ ଅଧିକାରୀ ଥିଲେ।

ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ

ଲଣ୍ଡନ: ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ଭାରତୀୟ ତାରକା ପିଭି ସିନ୍ଧୁ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା‌ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କାରିଛନ୍ତି। ମହିଳା ଏକକ ପ୍ରଥମ ରାଉଣ୍ଡ ମୁକାବିଲାରେ ତାଙ୍କ ଜର୍ମାନୀ ପ୍ରତିଦ୍ବନ୍ଦ୍ବୀ ଭୋନି ଲି ଆହତ ଯୋଗୁଁ ଓହରି ଯିବାରୁ ସିନ୍ଧୁ ବିଜୟୀ ଘୋଷିତ ହୋଇଥିଲେ। ଏକାଦଶ ମାନ୍ୟତାପ୍ରାପ୍ତ ସିନ୍ଧୁ ପ୍ରଥମ ଗେମ୍‌କୁ ୨୧-୧୦ରେ ଜିତି ନେଇଥିଲା ବେଳେ ଦ୍ବିତୀୟ ଗେମ୍‌ ଆରମ୍ଭ ପୂର୍ବରୁ ଲି ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ କୋରିଆର ଆନ୍‌ ସେ ୟଙ୍ଗଙ୍କୁ ଭେଟିବେ। ‌ମହିଳା ଏକକରେ ଆକର୍ଷୀ କାଶ୍ୟପ ୧୬-୨୧, ୧୧-୨୧ରେ ତାଇୱାନର ପାଇ ‌ୟୋ-ପୋଙ୍କଠୁ ଏବଂ ପୁରୁଷ ଏକକରେ ଏଚ୍‌ଏସ୍‌ ପ୍ରଣୟ ୨୧-୧୪, ୧୩-୨୧, ୧୩-୨୧ରେ ତାଇୱାନର ସୁ ଲି-ୟାଙ୍ଗଙ୍କଠୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର