ଭାରତ-ପାକ୍‌ ବିଶ୍ୱକପ୍‌ ମ୍ୟାଚ୍‌କୁ ନେଇ ବିସିସିଆଇ ନୁହେଁ ସରକାର ନେବେ ନିଷ୍ପତ୍ତି

ପୁଲଓ୍ଵାମା: ପୁଲୱାମା ହମଲା ପରେ ବିଶ୍ୱକପରେ ଭାରତ ପାକିସ୍ତାନ ବିରୋଧରେ ମ୍ୟାଚ୍‌ ଖେଳିବ କି ନାହିଁ ତାହାକୁ ନେଇ ଏବେ ବି ଦ୍ୱନ୍ଦ ଜାରି ରହିଛି। କ୍ରିକେଟ୍‌ ପ୍ରଶାସକ କମିଟି ସ୍ପଷ୍ଟ କରିଛି ଯେ ଚୂଡାନ୍ତ ନିଷ୍ପତି କେନ୍ଦ୍ର ସରକାର ନେବେ। ତେବେ ଓଡିଶା ଗସ୍ତରେ ଆସିଥିବା ବିସିସିଆଇର କାର୍ଯ୍ୟକାରୀ ସଭାପତି ସି.କେ ଖାନ୍ନା ଏନେଇ ମତ ରଖିଛନ୍ତି। ସେ କହିଛନ୍ତି, ‘ଖେଳକୁ ନେଇ ସରକାର ନିଷ୍ପତି ନେେ। ତେବେ କ୍ରିକେଟ୍‌ ମ୍ୟାଚକୁ ନେଇ ସକରାତ୍ମକ ମନୋଭାବ ରହିବା ଦରକାର।’

କିଛିଦିନ ତଳେ ପାକିସ୍ତାନ ବିପକ୍ଷ ମ୍ୟାଚ ବହିଷ୍କାର କରିବା ନିଷ୍ପତି ବିସିସିଆଇ ସରକାରଙ୍କ ଉପରେ ଛାଡ଼ି ଦେଇଛି। ସରକାର ଯାହା ବି ନିଷ୍ପତି ନେବେ ତାହାକୁ ବିସିସିଆଇ ମାନିବ ବୋଲି ବୋର୍ଡର ସିଓଏ ବିନୋଦ ରାୟ କହିଥିଲେ। ସରକାରଙ୍କ ସହ ଆଲୋଚନା ପରେ ଏନେଇ କୌଣସି ନିଷ୍ପତି ନିଆଯିବ। ବିଶ୍ୱକପକୁ ଆହୁରି ୩ ମାସ ସମୟ ବାକି ଥିବା ବେଳେ ଆଇସିସିର ବୈଠକରେ ବିସିସିଆଇ ପାକିସ୍ତାନକୁ ନେଇ ନିଜର ସମସ୍ୟା ଜଣାଇବ ବୋଲି ବିନୋଦ ରାୟ କହିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ଜୁନ୍‌ ୧୬ରେ ବିଶ୍ୱକପର ଲିଗ୍‌ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର କରାଯାଇଛି। ପାକିସ୍ତାନ ବିପକ୍ଷ ରାଉଣ୍ଡ ରବିନ୍‌ ମ୍ୟାଚ୍‌ ଭାରତ ବହିଷ୍କାର କଲେ, ଉଭୟ ଆଇସିସି ଓ ବିଜ୍ଞାପନ କମ୍ପାନିକୁ ପ୍ରବଳ ମାତ୍ରାରେ ଆର୍ଥିକ କ୍ଷତି ସହିବାକୁ ପଡିପାରେ। ଏହାଛଡା ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚ ନ ଖେଳିଲେ ଏଭଳି ସ୍ଥିତିରେ ପାକିସ୍ତାନକୁ ବିଜୟୀ ଘୋଷିତ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ, ସରକାର ଚାହୁଁଛନ୍ତି ନଟ୍‌ଆଉଟ ପର୍ଯ୍ୟାୟରେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବହିଷ୍କାର କରୁ ଭାରତ। ଏହାପୂର୍ବରୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ହରଭଜନ ସିଂ ମଧ୍ୟ ପାକିସ୍ତାନ ବିପକ୍ଷ ରାଉଣ୍ଡ ରବିନ ମ୍ୟାଚକୁ ଭାରତ ବହିଷ୍କାର କରୁ ବୋଲି ଦାବି କରି ଆସୁଛନ୍ତି। ଗାଙ୍ଗୁଲିଙ୍କ କହିବା ଅନୁଯାୟୀ, ୧୦ଟି ଟିମକୁ ନେଇ ବିଶ୍ୱକପ ଖେଳାଯିବ। ପ୍ରତ୍ୟେକ ଅନ୍ୟ ୯ଟି ଟିମ୍‌ ସହ ରାଉଣ୍ଡ ରବିନ ମ୍ୟାଚ୍‌ ଖେଳିବେ। ତେଣୁ ଭାରତ ରାଉଣ୍ଡ ରବିନ ମ୍ୟାଚରେ ପାକିସ୍ତାନ ସହ ଯଦି ନ ଖେଳେ ତେବେ ମଧ୍ୟ ଭାରତୀୟ ଟିମ୍‌ ଉପରେ ସେଭଳି କୌଣସି ପ୍ରଭାବ ପଡିବ ନାହିଁ।

ସମ୍ବନ୍ଧିତ ଖବର