ଏଭେ‌ରେଷ୍ଟ୍‌ ବିଜେତା ଗଣେଶ ଜେନା: ଦୁଃସାହସର ତିନି ଦଶନ୍ଧି

ଭୁବନେଶ୍ବର(ସୂରଜ ମଲ୍ଲିକ/ମଳୟ ପରିଡ଼ା): ଦୃଢ଼ ମନୋବଳ ଓ ଅଦମ୍ୟ ସାହସ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହି ଉକ୍ତିକୁ ଯଥାର୍ଥ କରିଛନ୍ତି ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା। ଓଡ଼ିଶାରୁ ଦ୍ବିତୀୟ ଓ ପୁରୁଷଙ୍କ ମଧ୍ୟରେ ପ୍ରଥମ କ୍ରୀଡ଼ାବିତ୍ ଭାବେ ବିଶ୍ବର ଉଚ୍ଚତମ ଶୃଙ୍ଗ ହିମାଳୟ ପର୍ବତ (୮୮୪୮ ମିଟର)କୁ ୧୮ ମେ’ ୨୦୧୧ରେ ଚଢ଼ି ସେ ରାଜ୍ୟ ପାଇଁ ଗୌରବ ଆଣିଦେଇଥିଲେ। ଏଥି ସହିତ ହରିଆଣା ସରକାରଙ୍କଠାରୁ ମଧ୍ୟ ଅଦମ୍ୟ ସାହସିକ ପୁରସ୍କାର ପାଇଥିଲେ। ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡିର ବ୍ରାହ୍ମଣ ସୀତାପୁର ଗାଁ’ର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଗଣେଶ। ଛୋଟବେଳେ ସାଙ୍ଗମାନଙ୍କ ସହ ଗାଁ’ ପାଖ ମୁଣ୍ଡିଆରେ ଖେଳୁଥିବା ବେଳେ ବଡ଼ ହୋଇ ଦିନେ ଭାରତର ନାମୀ ପର୍ବତାରୋହୀ ହେବେ ବୋଲି ସ୍ବପ୍ନ ଦେଖିଥିଲେ। ତେବେ ସେ ଏପରି ଆନ୍ତର୍ଜାତିକ ସ୍ତରର ପର୍ବତାରୋହୀ ହେବେ ବୋଲି କଳ୍ପନା କରିନଥିଲେ। ବିଦ୍ୟାଳୟରେ ପାଠ ପଢ଼ିବା ସମୟରୁ ବାର୍ଷିକ କ୍ରୀଡ଼ାରେ ବିଜେତା ହେଉଥିବା ଗଣେଶ ଆଗକୁ ଦୌଡ଼କୁଦରେ କ୍ରୀଡ଼ା ଜୀବନ ସମ୍ପ୍ରସାରଣ କରିବେ ବୋଲି ନିଷ୍ପତି ନେଇଥିଲେ। କିନ୍ତୁ କୌଣସି କାରଣବଶତଃ ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ନିଜ ଲକ୍ଷ୍ୟପଥକୁ ବଦଳାଇବାକୁ ବାଧ୍ୟ ହୋଇ ଦୁଃସାହସିକ କ୍ରୀଡ଼ା ପର୍ବତାରୋହଣରେ ଯୋଗଦେବା ପାଇଁ ସ୍ଥିର କରିଥିଲେ। ପର୍ବତାରୋହଣରେ ଟ୍ରାକିଂ କରିବା, ପର୍ବତାରୋହୀଙ୍କ ସହଯୋଗୀ ଭାବେ ଦଳରେ ସ୍ଥାନ ପାଇଥିଲେ। ପରେ ସେ ଗୁରୁ ରାକେଶ କୁମାର ପନଵାର୍‌ଙ୍କ ପ୍ରଶିକ୍ଷଣରେ ଛୋଟ ଛୋଟ ଶୃଙ୍ଗ ଚଢ଼ିବା ଆରମ୍ଭ କରିଥିଲେ। ଏହା ପରେ ଧୀରେ ଧୀରେ ସଫଳତାର ପାହାଚ ଚଢ଼ିଚାଲିଥିଲେ। ଏହି ଦୁଃସାଧ୍ୟ ପର୍ବତାରୋହଣ କ୍ରୀଡ଼ାରେ ନିଜେ ଖେଳିବା ସହ ସେ ବର୍ତ୍ତମାନ ଯୁବ ପିଢ଼ିଙ୍କୁ ଖେଳିବା ପାଇଁ ପ୍ରେରଣା ଦେବା କାର୍ଯ୍ୟ କରୁଛନ୍ତି। ୨୦ ବର୍ଷରୁ ପାହାଡ଼ ଚଢ଼ିବା ଅଭିଯାନ ଆରମ୍ଭ କରିଥିବା ଗଣେଶ ବର୍ତ୍ତମାନ ସୁଦ୍ଧା ୨୧ଟି ଶୃଙ୍ଗ ଚଢ଼ିସାରିଲେଣି। ତନ୍ମଧ୍ୟରୁ ୧୫ଟି ଶୃଙ୍ଗ ଦେଶ ମଧ୍ୟରେ ଚଢ଼ିଥିବା ବେଳେ ୬ଟି ଦେଶ ବାହାରେ ଚଢ଼ିବାରେ କୀର୍ତ୍ତିମାନ କରିଛନ୍ତି। ଏତଦ୍‌ବ୍ୟତୀତ ୮୧ଟି ଦୁଃସାହସିକ କ୍ରୀଡ଼ା ଶିବିରରେ ମଧ୍ୟ ସେ ଅଂଶଗ୍ରହଣ କରି ଶତକ ଦିଗରେ ଅଗ୍ରସର ହେଉଛନ୍ତି। ଦୀର୍ଘ ୨୭ ବର୍ଷର ପାହାଡ଼ ଚଢ଼ିବା ଭଳି ଦୁଃସାଧ୍ୟ କ୍ରୀଡ଼ାର ଅଭିଜ୍ଞତାକୁ ନେଇ ‘ସମ୍ବାଦ’ ପ୍ରସ୍ତୁତ କରିଛି ଏକ ବିଶେଷ ବିବରଣୀ।

 ଅଭୁଲା ମୁହୂର୍ତ୍ତ
୧୯୯୯ ମସିହା କାର୍‌ଗିଲ ଯୁଦ୍ଧ ସମୟରେ ବାଇକ୍‌ ଅଭିଯାନ ପାଇଁ ପ୍ରଶିକ୍ଷକ ରାକେଶ ପନ୍‌ଵାରଙ୍କ ଦଳ ସହିତ ଯିବା ସମୟରେ ତାଙ୍କ ସହିତ ମୁଁ ଅଲଗା ହୋଇଯାଇଥିଲି। ତା’ ପରେ ଗୋଟେ ରାତି ଗୁରୁଙ୍କ ସହିତ ବିନା ଖାଦ୍ୟ ଓ ଜଳରେ ବିଯୁକ୍ତ ୧୦ ଡିଗ୍ରୀ ତାପମାତ୍ରାରେ ରହିଥିଲି। ସେ କଥା ଆଜି ବି ମନରେ ତାଜା ହୋଇ ରହିଛି। ଆଉ ଏକ ଖୁସିର ମୁହୂର୍ତ୍ତ ହେଉଛି, ଆଜି ପର୍ଯ୍ୟନ୍ତ ବହୁତ ଜାଗାକୁ ଅତିଥି ଭାବେ ଯାଇଛି, କିନ୍ତୁ ବାଂଲାଦେଶର ଆତିଥେୟତା ମୋ ମନ ମୋହି ନେଇଥିଲା। ଜୀବନସାରା ତାଙ୍କ ଆତିଥେୟତା ମନେ ରହିବ।

 ଆଥ୍‌ଲେଟ୍‌ରୁ ପର୍ବତାରୋହୀ
ଆରମ୍ଭରୁ ମୋର କ୍ରୀଡ଼ାରେ ବହୁତ ରୁଚି ଥିଲା। ବ୍ୟକ୍ତିଗତ କାରଣରୁ ଆଥ୍‌ଲେଟିକ୍ସରୁ ଦୂରେଇବା ପରେ କବାଡ଼ି ଖେଳିଥିଲି। ଜାତୀୟ ସ୍ତରରେ କବାଡ଼ି ଖେଳିବା ପରେ ବି ମୋତେ ଆତ୍ମସନ୍ତୋଷ ମିଳିନଥିଲା। ସେଥିପାଇଁ ଦୁଃସାହସିକ କ୍ରୀଡ଼ାରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲି।

 ଦଳୀୟ ଭାବନାର ଖେଳ
ଦୁଃସାହସିକ କ୍ରୀଡ଼ା ଦଳୀୟ ଭାବନା ବଢ଼ାଇଥାଏ। ଅନ୍ୟ କ୍ରୀଡ଼ାରେ ନିଜସ୍ବ ସ୍ୱାର୍ଥ ଅଧିକ ଥାଏ, କିନ୍ତୁ ଦଳୀୟ ଏକତା ଉପରେ ଦୁଃସାହସିକ କ୍ରୀଡ଼ା ଆଧାରିତ। ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଦଳ ସବୁଠୁ ଆଗରେ। ସାଧାରଣ କ୍ରୀଡ଼ାରେ ଭାଇକୁ ଭାଇ ଛାଡ଼ିବ ନାହିଁ। ସାଧାରଣ କ୍ରୀଡ଼ାରେ ‘ମୁଁ ପ୍ରଥମ ହେବି’ ମାନସିକତା ଥାଏ। କିନ୍ତୁ ଦୁଃସାହସିକ କ୍ରୀଡ଼ାରେ ମୁଖ୍ୟ ଲକ୍ଷ୍ୟ ହେଉଛି ଆମେ ସଫଳ ହେବା। ଏଥିରେ ଆପଣ ପ୍ରକୃତିକୁ ଦେଖିବେ, ପ୍ରକୃତି ସହିତ ଖେଳିବେ ଏବଂ ପ୍ରକୃତିକୁ ଉପଭୋଗ କରିବେ। ସିଧାସଳଖ କହିଲେ ପ୍ରକୃତି ସହିତ ରହିବେ ଏବଂ ପ୍ରକୃତି ବିରୁଦ୍ଧରେ ଯିବେ।

 ଏବେ ବି ହିମାଳୟ ସାମର୍ଥ୍ୟ ଓ ଦକ୍ଷତା
ହିମାଳୟ ଆରୋହଣ ପାଇଁ ଏବେ ୩୦ ରୁ ୪୦ ଲକ୍ଷ ଖର୍ଚ୍ଚ ହେବ। ଗୋଟିଏ ଋତୁରେ ଦୁଇଥର ହିମାଳୟ ଆରୋହଣ କରିବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ଅର୍ଥ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ବଞ୍ଚିଥିବା ପର୍ଯ୍ୟନ୍ତ ସେ ଇଚ୍ଛା ମରିବନି। ପ୍ରାୟୋଜକ ମିଳିଲେ ଏବେ ବି ହିମାଳୟ ଆରୋହଣ କରିବି।

 ସଫଳତା ପଛର ନାୟକ
ମନ୍ତ୍ରୀ ଅରୁଣ ସାହୁ ଓ ମୋ ଗୁରୁ ରାକେଶ ପନଵାରଙ୍କ ପାଇଁ ମୁଁ ଏଭେରେଷ୍ଟ୍‌ ଆରୋହଣରେ ସଫଳ ହୋଇଥିଲି। ଏଭେରେଷ୍ଟ୍‌ ଆରୋହଣ ପାଇଁ ସେତେବେଳେ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେ ସମୟରେ ଅରୁଣ ସାହୁ ମୋ ପାଇଁ ୧୨-୧୩ ଲକ୍ଷ ଟଙ୍କା ପ୍ରାୟୋଜିତ କରିଥିଲେ।

 ଯୁବ ପିଢ଼ିଙ୍କୁ ଆହ୍ବାନ
ଦୁଃସାହସିକ କ୍ରୀଡ଼ା ପର୍ବତାରୋହଣକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର ଚେଷ୍ଟା କରୁଛନ୍ତି। ଯେଉଁମାନେ ପର୍ବତାରୋହଣ ପାଠ୍ୟକ୍ରମ କରିବେ, ପ୍ରମାଣପତ୍ର ଆଧାରରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପାଉଣା ମୁକ୍ତ କରୁଛନ୍ତି। ଆଗରୁ ଏହାକୁ ପେସା ଭାବେ ଗ୍ରହଣ କରି ଜୀବିକା ଉପାର୍ଜନ କରି ହେଉନଥିଲା। ବର୍ତମାନ ଏଥିରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଓଡିଶାରୁ ଯେଉଁମାନେ ବାହାରକୁ ଖେଳିବା ପାଇଁ ଯାଉଛନ୍ତି, ସେମାନେ ସାଧାରଣତଃ ଦଳରେ ଯିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେମାନେ ଯଦି ଅଲଗା ଅଲଗା ଯିବେ ଅନ୍ୟ ରାଜ୍ୟର ଖେଳାଳିଙ୍କ ସହ ମିଶିବାର ସୁଯୋଗ ପାଇବେ ଏବଂ ଅନେକ କିଛି ଶିଖିବାକୁ ପାଇବେ। ଓଡ଼ିଶାର ଖେଳାଳିଙ୍କ ସହିତ ଅନ୍ୟ ସମୟରେ ବି ମିଶି ପାରିବେ।

 ସୀତାପୁରରୁ ଏଭେରେଷ୍ଟ୍‌ ଶିଖର
ପାରଳାଖେମୁଣ୍ଡିର ବ୍ରାହ୍ମଣ ସୀତାପୁରରେ ଜନ୍ମିତ ଗଣେଶ କାନ୍ତାରୁ ଓ ସୀତାଙ୍କ ୩ ସନ୍ତାନ ମଧ୍ୟରୁ ଜଣେ। ମହାରାଜା ବାଳକ ହାଇସ୍କୁଲରେ ପଢ଼ିବାବେଳେ ଲଙ୍ଗ୍ ଜମ୍ପ୍‌ ଓ ହାଇଜମ୍ପ୍‌ ଖେଳି ବିଦ୍ୟାଳୟ ବ‌ିଜେତା ହେଉଥିଲେ। ୧୯୮୪ ମସିହାରେ ଅନୁଷ୍ଠିତ କୋଷ୍ଟାଲ୍ ଟ୍ରେକିଂ ହିଁ ଗଣେଶଙ୍କ ଦୁଃସାହସିକ ଯାତ୍ରାର ପ୍ରଥମ ପଦାର୍ପଣ ଥିଲା। ୧୯୮୯ ମସିହାରେ ଭୁବନେଶ୍ବର ଆସିବା ବଡ଼ ମୋଡ଼ ଦେଇଥିଲା। ପାୱାର ହାଉସ୍ ଛକରେ କବାଡ଼ି ଓ ବଲ୍‌ବ୍ୟାଡ୍‌ମିଣ୍ଟନ୍‌ ଖେଳିଥିଲେ। ୧୯୯୮ ମସିହାର ଷ୍ଟକ୍‌ କାଙ୍ଗ୍ରୀ ଆରୋହଣ ତାଙ୍କୁ ଏହି ନିଶାରେ ବାନ୍ଧି ରଖିଥିଲା।

 ଶତକୀୟ ସାହସ
ଅଦ୍ୟାବଧି ୮୧ଟି ଦୁଃସାହସିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସାରିଥିବା ଗଣେଶ ଏବେ ଶତକୀୟ ମାଇଲଖୁଣ୍ଟ ଦିଗରେ ଅଗ୍ରସର। ଦିନେ ଅଂଶଗ୍ରହଣକାରୀ ଥିଲି, ଏବେ ନିଜେ ଶିଖାଉଥିବାରୁ ବଡ଼ ଆତ୍ମସନ୍ତୋଷ ମିଳୁଛି। ଦୁଃସାହସିକ କ୍ରୀଡ଼ା ବି ରାଜ୍ୟରେ ଢେର ଆଗକୁ ଯାଇଛି। ସରକାରଙ୍କୁ ପ୍ରସ୍ତାବ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଦୁଃସାହସିକ କ୍ରୀଡ଼ା ଉତ୍ସବ ହେଉ।

ସମ୍ବନ୍ଧିତ ଖବର