ଗିଲ୍‌ ପରବର୍ତ୍ତୀ କୋହଲି ହେବାକୁ ଚାହାନ୍ତି: ରାଇନା

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ଶେଷ ହେବା ପରେ ଭାରତୀୟ ଯୁବ ବ୍ୟାଟର ଶୁବମନ ଗିଲ୍‌ ସବୁଠୁ ଚର୍ଚ୍ଚିତ ଖେଳାଳି ହୋଇ ଯାଇଥିବେ ବୋଲି ପୂର୍ବତନ କ୍ରିକେଟର୍‌ ସୁରେଶ ରାଇନା କହିଛନ୍ତି। ୨୦୧୮ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଗିଲ୍‌ ଏବେ ଭାରତୀୟ ବିଶ୍ବକପ୍‌ ଦଳର ପ୍ରମୁଖ ସଦସ୍ୟ ପାଲଟି ଯାଇଛନ୍ତି। ବିଶ୍ବକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ମଧ୍ୟ ତାଙ୍କୁ ସାମିଲ କରାଯାଇଛି। ଗତ ଦେଢ଼ ବର୍ଷ ଧରି ଭାରତୀୟ କ୍ରିକେଟ୍‌କୁ ତାଙ୍କର ଅବଦାନ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ସେ ୭୫.୫୦ ହାରରେ ସର୍ବାଧିକ ରନ୍‌ ସଂଗ୍ରହକାରୀ (୩୦୨ ରନ୍‌, ୯୩.୫୦ ଷ୍ଟ୍ରାଇକ୍‌ରେଟ୍‌) ହୋଇଥିଲେ।

ଆଗକୁ ସେ ଭାରତୀୟ କ୍ରିକେଟ୍‌ର ସୁପରଷ୍ଟାର୍‌ ତଥା ପରବର୍ତ୍ତୀ ବିରାଟ କୋହଲି ହେବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଏହି ଧାରା ଚଳିତ ବିଶ୍ବକପ୍‌ ପରଠୁ ଆରମ୍ଭ ହେବ ବୋଲି ରାଇନା କହିଛନ୍ତି। ଗତ ୨୦୧୯ ବିଶ୍ବକପ୍‌ରେ ରୋହିତ ଶର୍ମା ଯେପରି ବିସ୍ଫୋରକ ବ୍ୟାଟିଂ କରିଥିଲେ, ଗିଲ୍‌ ମଧ୍ୟ ସେହିପରି ପ୍ରଦର୍ଶନ ଦେବା ଦକ୍ଷତା ରଖୁଛନ୍ତି। ଯଦି ଦ୍ରୁତ ବୋଲରମାନେ ଭଲଭାବେ ସୁଇଂ କରିପାରିବେନି, ତାହେଲେ ସ୍ପିନରଙ୍କ ପାଇଁ ସେ କାଳ ହୋଇପାରନ୍ତି। ପିଚ୍‌ରେ ଗିଲ୍‌ ଆଦୌ ଶାନ୍ତ ରହିପାରିବେନି। ସଂପୂର୍ଣ୍ଣ ୫୦ ଓଭର ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିପାରିବେ। ତାଙ୍କ ବ୍ୟାଟିଂ ଦେଖିଲେ ଜଣାପଡୁଛି ଯେ, ସେ ନେତୃତ୍ବ ନେବା ପାଇଁ ଜନ୍ମ ହୋଇଛନ୍ତି ବୋଲି ରାଇନା ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର