ନାଫେଡ୍ ଦ୍ବାରା ୬୦ ଟଙ୍କାରେ ବୁଟଡାଲି ବିକ୍ରି

ଉତ୍ପାଦନ ଥାଇ ମଧ୍ୟ ଆବଶ୍ୟକତା ପୂରଣ କରିପାରୁନି ରାଜ୍ୟ, ଲାଭ ଉଠାଉଛନ୍ତି ଅନ୍ୟ ରାଜ୍ୟ କମ୍ପାନି

ଭୁବନେଶ୍ବର: ଡାଲି ଦର ଆକାଶ ଛୁଆଁ ହେଲାଣି। ଏହାକୁ ଦୃଷ୍ଟିରେ ରଖି ନାଫେଡ୍ ପକ୍ଷରୁ କେଜି ପ୍ରତି ୬୦ ଟଙ୍କା ଦରରେ ବୁଟଡାଲି ବିକ୍ରି ଆରମ୍ଭ ହୋଇଛି। ୧୦ଟି ଗାଡ଼ିରେ ମୋବାଇଲ ଦୋକାନ ଜରିଆରେ ଏହାର ବିକ୍ରି ହେଉଛି। ପ୍ରଥମ ଦିନରେ ପୁରୀ, ଖୋର୍ଧା, କଟକ ଓ ଜଟଣୀରେ ବିକ୍ରି କରାଯାଇଛି। ଆଗାମୀ ଦିନରେ ଅନ୍ୟସବୁ ଜିଲ୍ଲାରେ ମଧ୍ୟ ଏହା କାର୍ଯ୍ୟକାରୀ କରାଯିବ ବୋଲି ନାଫେଡ୍ ଅଧିକାରୀ ଭାବ୍ୟା ଆନନ୍ଦ କହିଛନ୍ତି। ଡାଲି ଏକ ପୋଷଣଯୁକ୍ତ ଖାଦ୍ୟ ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ ହୋଇଥିବା କୁହା ଯାଉଛି।

ସୂଚନା ଅନୁଯାୟୀ, ଖାଉଟି ବଜାରରେ ବୁଟ ଡାଲି ଦର ୯୦ ଟଙ୍କା, ହରଡ଼ ଡାଲି ୧୭୦ ଓ ମୁଗ ୧୨୦ ଟଙ୍କାରେ ପହଞ୍ଚିଛି। ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡାଙ୍କ ଅନୁସାରେ, କିଛି ବର୍ଷ ମଧ୍ୟରେ ଡାଲି ଦରରେ ଯେଉଁଭଳି ଉପର ତଳ ହେଉଛି, ସେମିତି ପୂର୍ବରୁ କେବେ ହେଉନଥିଲା। ଏହା ଏକ ଅତ୍ୟାବଶକୀୟ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ହୋଇଥିଲେ ମଧ୍ୟ ଯେଉଁଭଳି ଭଳି କର୍ପୋରେଟ ସଂସ୍ଥାଗୁଡ଼ିକ ଡାଲି ବ୍ୟବସାୟକୁ କବ୍‌ଜା କରୁଛନ୍ତି, ତାହା ଚିନ୍ତାର ବିଷୟ ପାଲଟିଛି। ଏଣେ ରାଜ୍ୟର ସ୍ଥିତି ମଧ୍ୟ ସନ୍ତୋଷଜନକ ନୁହେଁ। ଓଡ଼ିଶାକୁ ବର୍ଷରେ ପ୍ରାୟ ସାଢେ ୯.୪୦ ଲକ୍ଷ ଟନ ଡାଲିର ଆବଶ୍ୟକତା ରହିଛି। ଏଥିରୁ କେବଳ ୯୦ ହଜାରରୁ ୧ ଲକ୍ଷ ଟନ ହିଁ ଓଡ଼ିଶାରେ ଉତ୍ପାଦିତ ହେଉଛି। ବାକି ଆବଶ୍ୟକତା ପୂରଣ ପାଇଁ ବର୍ଷ ତମାମ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି।

ଅନ୍ୟପକ୍ଷରେ କୃଷି ବିଭାଗ ଅନୁସାରେ, ରାଜ୍ୟରେ ୪ଟି ଯୋଜନା ଅନ୍ତର୍ଗତ ଖରିଫରେ ୭ ଲକ୍ଷ ହେକ୍ଟର ଓ ରବିରେ ୧୩ ଲକ୍ଷ ହେକ୍ଟରର ଡାଲି ଚାଷ ହୋଇ ସମୁଦାୟ ହାରାହାରି ୧୦ (ଖରିଫରେ ୩.୫ ଓ ରବିରେ ୬.୫)ଲକ୍ଷ ମେଟ୍ରିକ ଟନର ଡାଲି ଉତ୍ପାଦିତ ହୋଇଥାଏ। ଏଥିରେ ମୁଗ, ବିରି, ହରଡ଼, ଚଣା, କୋଳଥ ସମେତ ବିଭିନ୍ନ ପ୍ରକାର ଡାଲି ଜାତୀୟ ଚାଷ ରହିଛି। ଅର୍ଥାତ୍‌ ରାଜ୍ୟରେ ଚାହିଦା ଠାରୁ ଏଠାରେ ଅଧିକ ପରିମାଣର ଡାଲି ଉତ୍ପାଦନର କ୍ଷମତା ରହିଛି। ଏହା ସତ୍ତ୍ବେ ଓଡ଼ିଆଙ୍କ ପାଖକୁ ଓଡ଼ିଶାରେ ଚାଷ ହେଉଥିବା ୧୦ ଲକ୍ଷ ମେଟ୍ରିକ ଟନରୁ କେବଳ ୧ ଲକ୍ଷ ୮୦ ହଜାର ମେଟ୍ରିକ ଟନ ଡାଲି ପହଞ୍ଚୁଛି। ବାକି ୯ ଲକ୍ଷ ମେଟ୍ରିକ ଟନ୍‌ ଡାଲି ଏଠାରେ ବିକ୍ରି ହେଉଥିଲେ ହେଁ ବିକ୍ରି ପ୍ୟାକେଟରେ ମହାରାଷ୍ଟ୍ର ଓ ଛତିଶଗଡ଼ ଆଦି ଅନ୍ୟ ରାଜ୍ୟର ନାମ ଉଲ୍ଲେଖ ରହୁଛି। ଅର୍ଥାତ୍‌ ଆମରି ଡାଲିକୁ କିଣି ଆମକୁ ହିଁ ଅନ୍ୟ ରାଜ୍ୟର କମ୍ପାନି ଆମକୁ ବିକ୍ରି କରୁଛନ୍ତି। ରାଜ୍ୟରେ ଆବଶ୍ୟକ ଅନୁସାରେ ଡାଲି ମିଲ୍‌ ନଥିବାରୁ ଏଭଳି ଅବସ୍ଥା ହେଉଛି। ଗୋଟିଏ ପଟରେ କେନ୍ଦ୍ର ସରକାର କର୍ପୋରେଟ କବଳରୁ ଡାଲି ଭଳି ଅତ୍ୟାବଶକୀୟ ସାମଗ୍ରୀକୁ ମୁକ୍ତ କରିପାରୁ ନାହାନ୍ତି, ଅନ୍ୟ ପଟରେ ରାଜ୍ୟ ସରକାର ଡାଲି ଉତ୍ପାଦନ ନେଇ ବାହାସ୍ଫୋଟ ମାରୁଥିଲେ ମଧ୍ୟ ତା’ର ଲାଭ ଅନ୍ୟ ରାଜ୍ୟ ଉଠାଉଛନ୍ତି। ଏଭଳି ସ୍ଥିତିରେ ନାଫେଡ୍‌ର ବୁଟଡାଲି ବିକ୍ରି ଅଭିଯାନ ଗ୍ରାହକଙ୍କୁ କେତେ ଆଶ୍ବସ୍ତି ଦେବ, ଦେଖିବାକୁ ବାକି ରହିଲା। ସୂଚନାଯୋଗ୍ୟ ଯେ ନାଫେଡ୍ ପକ୍ଷରୁ ୨୫ ଟଙ୍କା କେଜିରେ ପିଆଜ ମଧ୍ୟ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର