ଅଡ଼ୁଆରେ ଭାରତୀୟ ତୀରନ୍ଦାଜ

ନୂଆଦିଲ୍ଲୀ: ଭାରତୀୟ ତୀରନ୍ଦାଜୀ ସଂଘ (ଏଏଆଇ) ଯଦି ଖୁବ୍‌ ଶୀଘ୍ର ନିଜ ଘରକୁ ନ ସଜାଡ଼େ ତେବେ ଦେଶର ତୀରନ୍ଦାଜ ମାନେ ଅଡୁଆରେ ପଡ଼ିବେ ଏବଂ ବିଭିନ୍ନ ପ୍ରତିଯୋଗିତାରେ ବିଶ୍ୱ ତୀରନ୍ଦାଜୀ ସଂଘ (ଡବ୍‌ଲ୍ୟୁଏ) ପତାକା ତଳେ ପ୍ରତିନିଧିତ୍ୱ କରିବାକୁ ବାଧ୍ୟ ହେବେ। ଅନ୍ତର୍ଜାତୀୟ ସଂଘର ମହାସଚିବ ଟମ୍‌ ଡାଏଲେନ୍‌ ଏଭଳି ଚେତାବନୀ ଶୁଣାଇଛନ୍ତି। ତୀରନ୍ଦାଜମାନଙ୍କୁ ପ୍ରଭାବିତ ହେବାକୁ ଦେବା ସପକ୍ଷରେ ଅନ୍ତର୍ଜାତୀୟ ସଂଘ ନଥିଲେ ମଧ୍ୟ ବର୍ତମାନର ସ୍ଥିତିରେ କୌଣସି ପରିବର୍ତନ ନ ଘଟିଲେ କଠୋର ନିଷ୍ପତ୍ତି ନିଆଯିବ ବୋଲି ଡାଏଲେନ୍‌ କହିଛନ୍ତି। ବିଶେଷ କରି ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଘର ସଜାଡ଼ିବାକୁ ପଡ଼ିବ ବୋଲି ତୀରନ୍ଦାଜରୁ କ୍ରୀଡ଼ା ପ୍ରଶାସକ ପାଲଟିଥିବା ୫୦ ବର୍ଷୀୟ ଡାଏଲେନ୍‌ କହିଛନ୍ତି।
ବର୍ତମାନର ସ୍ଥିତାବସ୍ଥାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରଖାଯାଇପାରିବ ନାହିଁ। ଏକ ନିର୍ଦ୍ଧିଷ୍ଟ ସମୟରେ ଆମକୁ ହୁଏତଃ ଭାରତୀୟ ଖେଳାଳିମାନଙ୍କୁ ବିଶ୍ୱ ତୀରନ୍ଦାଜୀ ସଂଘର ନିରପେକ୍ଷ ବ୍ୟାନର୍‌ ତଳେ ଖେଳିବାକୁ ପଡ଼ିପାରେ। ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ସବୁଠାରୁ ମୁଖ୍ୟ ଚିନ୍ତାର କାରଣ ବୋଲି ଡାଏଲେନ୍‌ କହିଥିଲେ। ବିଶ୍ୱ ସଂଘ ବିଗତ କିଛି ଦିନ ଧରି ଭାରତୀୟ ସଂଘକୁ କାର୍ଯ୍ୟକ୍ଷମ କରିବା ସହିତ ସ୍ୱୀକୃତି ଦେବା ପ୍ରୟାସରେ ରହିଛି। ଖୁବ୍‌ ଶୀଘ୍ର ଏହା ସମ୍ଭବ ହେବ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି। କିନ୍ତୁ ସ୍ଥିତି ନ ବଦଳିଲେ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ। ଏକ ସଂଘର ସୁପରିଚାଳନା ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୨ ମସିହାରେ କ୍ରୀଡ଼ା ନୀତିର ଉଲ୍ଲଂଘନ କାରଣରୁ ଭାରତ ସରକାର ଭାରତୀୟ ତୀରନ୍ଦାଜୀ ସଂଘ (ଏଏଆଇ)ର ସ୍ୱୀକୃତି ପ୍ରତ୍ୟାହାର କରି ନେଇଥିଲେ। ଗତବର୍ଷର ଅଗଷ୍ଟ ମାସରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍‌ଓ୍ଵାଇ କ୍ୟୁରାଇସୀଙ୍କୁ ଏହାର ମୁଖ୍ୟ ପ୍ରଶାସକ ନିଯୁକ୍ତ କରି ସାମ୍ବିଧାନିକ ଚିଠା ପ୍ରସ୍ତାବ ସହିତ ନିର୍ବାଚନ କରାଇବାକୁ କହିଥିଲେ। କିନ୍ତୁ ଅଦ୍ୟାବଧି କିଛି ସମ୍ଭବ ହୋଇ ନାହିଁ।
ଭାରତ କୌଣସିି ପ୍ରମୁଖ ତୀରନ୍ଦାଜୀ ପ୍ରତିଯୋଗିତା ଆୟୋଜନ କରିନାହିଁ। ଅଲିମ୍ପିକ୍ସ ଯୋଗ୍ୟତା ଭାବେ ପରିଚିତ ୨୦୧୯ ମସିହାର ଏସୀୟ ପ୍ରତିଯୋଗିତା ନୂଆଦିଲ୍ଲୀରେ କରାଯିବାର ଥିଲେ ମଧ୍ୟ ଏବେ ବ୍ୟାଙ୍କକ୍‌ ସ୍ଥାନାନ୍ତର କରିନିଆଯାଇଛି। ଭାରତ ତୀରନ୍ଦାଜୀର ଏକ ବଡ଼ ବଜାର ବୋଲି ମଧ୍ୟ ଡାଏଲେନ୍‌ ସ୍ୱୀକାର କରିଛନ୍ତି। କିନ୍ତୁ ଅଲିମ୍ପିକ ପଦକ ନ ଜିତିବା ପର୍ଯ୍ୟନ୍ତ ଭାରତ କିଛି ପ୍ରଭାବ ଛାଡ଼ିପାରିବ ନାହିଁ। ଭାରତ ମଧ୍ୟ ଏହା କରିପାରିବ। ଭାରତରେ ପ୍ରତିଭାର ଅଭାବ ନାହିଁ। ୪ ଥର ବିଶ୍ୱକପ୍‌ ରୌପ୍ୟ ପଦକ ଜିିତିଥିବା ଦୀପିକା କୁମାରୀ ସପ୍ତମ ଥର ପାଇଁ ଭାଗନେବାର ସୁଯୋଗ ମଧ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର