ଭାରତର ଶ୍ରୀଲଙ୍କା ଗସ୍ତ ବାତିଲ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ଭାରତୀୟ କ୍ରିକେଟ୍‌ ଦଳର ଶ୍ରୀଲଙ୍କା ଗସ୍ତ ବାତିଲ ହୋଇଯାଇଛି। ଏହି ଗସ୍ତ ସୂଚୀ ପୂର୍ବରୁ ଜୁନ୍‌ ମାସ ପାଇଁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ କରୋନା ଭୂତାଣୁ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ସ୍ଥଗିତ ରହିଥିଲା। ସୀମିତ ଓଭର ଶୃଙ୍ଖଳା ପାଇଁ ଏହି ଗସ୍ତରେ ଭାରତୀୟ ଦଳ ୩ ଲେଖାଏଁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଥା’ନ୍ତା। ତେବେ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଯୋଗୁଁ ଅଗଷ୍ଟ ମାସରେ ଶ୍ରୀଲଙ୍କା ଗସ୍ତ କରିବାକୁ ଭାରତ ରାଜି ହୋଇଥିଲା।

ବୁଧବାର ଭାରତ ଏଥିପାଇଁ ରାଜି ଥିବା ଜଣାଇଥିଲା ବେଳେ ଗୁରୁବାର ଉଭୟ ବୋର୍ଡର ସହମତିରେ ଗସ୍ତ ସୂଚୀ ପୂରା ବାତିଲ ହୋଇଗଲା। କରୋନା ମହାମାରୀ ପରିସ୍ଥିତି ଏବେ ବି ଅସ୍ପଷ୍ଟ ରହିଥିବ‌ାରୁ ଖେଳାଳି, ଦର୍ଶକ ଓ ଅଧିକ‌ାରୀମାନଙ୍କ ନିରାପତ୍ତାକୁ ଗୁରୁତ୍ବ ଦେଇ ଉଭୟ ବୋର୍ଡ ସ୍ଥଗିତ ପାଇଁ ରାଜି ହୋଇଛନ୍ତି। ଶୃଙ୍ଖଳା ଆଗେଇନେବା ପାଇଁ ଏବର ସ୍ଥିତି ଅନୁକୂଳ ନୁହେଁ। ଏନେଇ ଆମେ ଶ୍ରୀଲଙ୍କା‌ ବୋର୍ଡକୁ ଅବଗତ କରାଇଥିଲୁ ବୋଲି କହିଛନ୍ତି ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) କୋଷାଧ୍ୟକ୍ଷ ଅରୁଣ ଧୂମାଲ। ଏହି ଗସ୍ତ ବାତିଲ ହେବା ପରେ ଭାରତୀୟ ଖେଳାଳିମାନଙ୍କ ପ୍ରଶିକ୍ଷଣ ମଧ୍ୟ ଏବେ ଆରମ୍ଭ ହେବା ନେଇ ଆଶଙ୍କା ଜାତ ହୋଇଛି। ତଥାପି ପ୍ରଶିକ୍ଷଣ ଆରମ୍ଭ ହେବା ପରେ ମ୍ୟାଚ୍‌ ଫିଟ୍‌ନେସ୍‌ ଫେରିପାଇବା ପାଇଁ ଖେଳାଳିମାନଙ୍କୁ ୪ରୁ ୬ ସପ୍ତାହ ଦରକାର ବୋଲି ଧୂମାଲ କହିଛନ୍ତି।

ସମ୍ବନ୍ଧିତ ଖବର