କୋହଲିଙ୍କ ଟେଷ୍ଟ୍‌ ପଦାର୍ପଣକୁ ୯ ବର୍ଷ

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଟେଷ୍ଟ୍‌ ପଦାର୍ପଣକୁ ଆଜି ୯ ବର୍ଷ ପୂରିଯାଇଛି। ଆଜିକୁ ଠିକ୍‌ ୯ ବର୍ଷ ତଳେ ତଥା ୨୦୧୧ ମସିହା ଜୁନ୍‌ ୨୦ ତାରିଖରେ କୋହଲି ପ୍ରଥମ ଟେଷ୍ଟ୍‌ ଖେଳିଥିଲେ। ସେହିବର୍ଷ (୨୦୧୧) ଏପ୍ରିଲ ୨ ତାରିଖରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ବିଶ୍ବକପ୍‌ ବିଜେତା ହୋଇଥିଲା ବେଳେ କୋହଲି ସେହି ଦଳର ଜଣେ ସଦସ୍ୟ ରହିଥିଲେ। ଏହାପରେ ଭାରତର ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଟେଷ୍ଟ୍‌ ଦଳରେ ସାମିଲ ହୋଇଥିଲେ କୋହଲି। ସେତେବେଳେ କୋହଲିଙ୍କୁ ୨୨ ବର୍ଷ ବୟସ ହୋଇଥିଲା। ହେଲେ ଏହି ଯୁବ ତାରକା ତାଙ୍କ ପଦାର୍ପଣ ଟେଷ୍ଟ୍‌କୁ ବ୍ୟକ୍ତିଗତ ପ୍ରଦର୍ଶନ ଜରିଆରେ ସ୍ମରଣୀୟ କରିପାରିନଥିଲେ। କିଙ୍ଗ୍‌ଷ୍ଟନ୍‌ ଜାମାଇକାର ସାବିନା ପାର୍କରେ ଖେଳିଥିବା ତାଙ୍କ ପଦାର୍ପଣ ଟେ‌ଷ୍ଟ୍‌ର ଉଭୟ ପାଳିରେ କୋହଲି ସଂଗ୍ରହ କରିଥିଲେ ମୋଟ ୧୯ ରନ୍‌। ଉଭୟ ପାଳିରେ ମଧ୍ୟ ସେ ସମାନ ବୋଲର ଫିଡେଲ୍‌ ଏଡ୍‌ୱାର୍ଡସଙ୍କ ବଲ୍‌ରେ କଟ୍‌ ବିହାଇଣ୍ଡ ହୋଇଥିଲେ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିଥିବା କୋହଲି ପ୍ରଥମ ପାଳିରେ ୪ ରନ୍‌ କରିଥିଲା ବେଳେ ଦ୍ବିତୀୟ ପାଳିରେ କରିଥିଲେ ୧୫ ରନ୍‌। ଏହାସତ୍ତ୍ବେ ଭାରତ ସେହି ଟେଷ୍ଟ୍‌କୁ ୬୩ ରନ୍‌ରେ ଜିତିଥିଲା।

କିନ୍ତୁ ସେତେବେଳର କୋହଲି ସାବିନା ପାର୍କକୁ ବାଦ୍‌ ଦେଲେ ଏହି ୯ ବର୍ଷ ମଧ୍ୟରେ ମୋଟ ୮୫ ଟେଷ୍ଟ୍‌ ଖେଳିସାରିଲେଣି। ୧୪୩ ପାଳିରେ ସଂଗ୍ରହ କରିସାରିଛନ୍ତି ୭୨୨୧ ରନ୍‌। ତେବେ ସାବିନା ପାର୍କ ଟେଷ୍ଟ୍‌କୁ ମିଶାଇଲେ ୮୬ ଟେଷ୍ଟ୍‌ ତଥା ୧୪୫ ପାଳିରୁ ସେ ୫୩.୬୨ ହାରରେ ସଂଗ୍ରହ କରିଛନ୍ତି ମୋଟ ୭୨୪୦ ରନ୍। ଯେଉଁଥିରେ ସାମିଲ ରହିଛି ୨୭ ଶତକ ଏବଂ ୨୨ ଅର୍ଧଶତକ। ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପୁନେରେ କରିଥିବା ଅପରାଜିତ ୨୫୪ ରନ୍‌ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ରହିଛି। ଏବର ଏହି ଭାରତୀୟ ଅଧିନାୟକ ବିଶ୍ବ କ୍ରିକେଟ୍‌ରେ ଏକମାତ୍ର ବ୍ୟାଟ୍‌ସମ୍ୟାନ୍‌ ଯିଏକି ସମସ୍ତ ତିନି ଫର୍ମାଟ୍‌ରେ ୫୦ରୁ ଅଧିକ ହାର ପାଇଛନ୍ତି। ଟେଷ୍ଟ୍‌ରେ ୫୩.୬୨, ଦିନିକିଆ ଆନ୍ତର୍ଜାତିକରେ ୫୯.୩୩ ଏବଂ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୫୦.୮୦ ହାରରେ କୋହଲି ରନ୍‌ ସଂଗ୍ରହ କରିଛନ୍ତି। ଏହି ତିନିଟିଯାକ ଫର୍ମାଟ୍‌ରେ ମଧ୍ୟ କୋହଲି ମୋଟ ୭୦ ଶତକ ହାସଲ କରିସାରି ସଚିନ୍‌ଙ୍କ ୧୦୦ ଆନ୍ତର୍ଜାତିକ ଶତକର କୀର୍ତ୍ତିମାନ ଭାଙ୍ଗିବାର ସମ୍ଭାବନା ସୃଷ୍ଟି କରିଛନ୍ତି। କୋହଲି ଏବେ ଆଇସିସି ଟେଷ୍ଟ୍‌ ମାନ୍ୟତାର ଦ୍ବିତୀୟ ସ୍ଥାନ‌ରେ ରହିଥିଲା ବେଳେ ଦିନିକିଆ ମାନ୍ୟତାର ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧିତ ଖବର