ରାଜ୍ୟର ୬୦ ସ୍ଥାନରେ ଦିଆଯିବ ଯୋଗ ଶିକ୍ଷା

ରାଜ୍ୟରେ ଖୋଲିବ ୧୦୦ ଆୟୁଷ ୱେଲନେସ୍‌ କେନ୍ଦ୍ର, ଗୋଟିଏ କେନ୍ଦ୍ର ପାଇଁ ଖର୍ଚ ହେବ ୧୫ଲକ୍ଷ ଟଙ୍କା

ଭୁବନେଶ୍ବର : ରାଜ୍ୟର ୬୦ଟି ସ୍ଥାନରେ ଲୋକମାନଙ୍କୁ ଦିଆଯିବ ଯୋଗ ଶିକ୍ଷା। ଏଥିରେ ବିଭିନ୍ନ ପାର୍କ ସମେତ ଆୟୁଷ ମହାବିଦ୍ୟାଳୟ, ଆୟୁର୍ବେଦିକ/ହୋମିଓପ୍ୟାଥିକ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରିବା ଲାଗି ପ୍ରସ୍ତାବ ରହିଛି। ଏହାର ଏକ ତାଲିକା କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟକୁ ପଠାଯାଇଛି। ଲୋକମାନଙ୍କ ଭିତରେ ଯୋଗକୁ ଲୋକପ୍ରିୟ କରିବା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ କିଛି ବର୍ଷ ତଳେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ୧୭ଟି ସ୍ଥାନରେ ଯୋଗ ଶିକ୍ଷା ଦେବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ନିର୍ଦ୍ଦେଶାଳୟର ଅପାରଗତା ଯୋଗୁଁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଯୋଗ ଶିକ୍ଷା ଦେବା ଲାଗି ପ୍ରଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ନିର୍ଦ୍ଦେଶାଳୟ ଜଣେ ହେଲେ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇପାରିଲା ନାହିଁ। ଫଳରେ ଏହି ପ୍ରସ୍ତାବ ଶୀତଳ ଭଣ୍ଡାରକୁ ଚାଲି ଯାଇଥିଲା।

ହେଲେ ପୁନର୍ବାର ଆୟୁଷ ନିର୍ଦ୍ଦେଶାଳୟ ପୂର୍ବାପେକ୍ଷା ଅଧିକ ସ୍ଥାନରେ ଏହି ଯୋଗ ଶିକ୍ଷା ଦେବା ପାଇଁ ଯୋଜନା କରୁଛି। ଏଥିରେ ରାଜ୍ୟର ୭ଟି ଆୟୁଷ ମହାବିଦ୍ୟାଳୟ, ୩ଟି ଜିଲ୍ଲା ହୋମିଓପ୍ୟାଥିକ ମେଡିକାଲ ଅଧିକାରୀ କାର୍ଯ୍ୟାଳୟ, ୭ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ୟୁପିଏଚ୍‌ସି, ରାଜଭବନ, ବିଧାନସଭା ଡିସ‌ପେନ୍‌ସାରି, ରାଜଧାନୀର ୭ଟି ପାର୍କ, ରେଭେନ୍ସା ବିଶ୍ବବିଦ୍ୟାଳୟ, ବିଜେବି ମହାବିଦ୍ୟାଳୟ, ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପାଇକମାଳରେ ଥିବା ଆୟୁର୍ବେଦିକ ମହାବିଦ୍ୟାଳୟରେ ଯୋଗ ଶିକ୍ଷା ଦେବା ଲାଗି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ଆୟୁଷ ନିର୍ଦେଶାଳୟର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏବେ ପୂର୍ବରୁ ୧୭ ପ୍ରସ୍ତାବକୁ ମିଶାଇ ୬୦ଟି ସ୍ଥାନରେ ଯୋଗ ଶିକ୍ଷା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ ଉପଖଣ୍ଡସ୍ତରୀୟ ଯୋଗ ଓ ୱେଲନେସ କେନ୍ଦ୍ର ଖୋଲାଯାଇଛି, ତହିଁରେ କାର୍ଯ୍ୟରତ ଯୋଗ ଇନଷ୍ଟ୍ରକ୍ଟର୍‌ମାନଙ୍କୁ ନିୟୋଜିତ କରାଯିବ। ଫଳରେ ଯୋଗ ଇନଷ୍ଟ୍ରକ୍ଟରମାନଙ୍କୁ ନେଇ ରହିଥିବା ସମସ୍ୟା ଦୂର ହୋଇପାରିବ ବୋଲି ସେ କହିଛନ୍ତି। ମାତ୍ର ଏହି ପ୍ରସ୍ତାବ ନିର୍ଦ୍ଦେଶାଳୟ କିଭଳି କାର୍ଯ୍ୟକାରୀ କରୁଛି, ତାହା ହିଁ ବିରାଟ ପ୍ରଶ୍ନବାଚୀ ହୋଇ ରହିଛି।

India West

ଅପରପକ୍ଷରେ ରାଜ୍ୟ ଆୟୁଷ ନି‌ର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ ୧୦୦ଟି ଆୟୁଷ ୱେଲନେ୍‌ସ କେନ୍ଦ୍ର ଖୋଲାଯିବ। ଏହି କେନ୍ଦ୍ରରେ ଔଷଧୀୟ ବଗିଚା ସୃଷ୍ଟି କରାଯିବା ସହିତ ଯୋଗ ଶିକ୍ଷା ଦେବା ଲାଗି ପ୍ରଶିକ୍ଷକ ଓ ଡେମନଷ୍ଟ୍ରେଟର୍‌ ନିଯୁକ୍ତ କରାଯିବ। ଏହାସହ ଲାବରେଟାରି ସହାୟକ ମଧ୍ୟ ନିଯୁକ୍ତ କରାଯିବ। ରୋଗୀମାନଙ୍କ ରକ୍ତ, ମଳ ଓ ମୂତ୍ର ପରୀକ୍ଷା କରାଯିବ। ଆଶା ଓ ଏଏନ୍‌ଏମ୍‌ ଜରିଆରେ ଆୟୁଷ ବିଷୟରେ ତାଲିମ ଦିଆଯିବ ସହିତ ଲୋକମାନଙ୍କ ମଧ୍ୟରେ ଆୟୁଷ ପ୍ରତି ଆଗ୍ରହ ସୃଷ୍ଟି କରାଯିବ। ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ରାଜ୍ୟରେ ଆୟୁଷର ଯେଉଁ ଆୟୁର୍ବେଦିକ/ହୋମିଓପ୍ୟାଥିକ ଡିସ୍‌ପେନସାରି ରହିଛି, ତାହାର ଏକ ମ୍ୟାପିଂ କରାଯାଇଛି। ଯେଉଁ ଡିସ୍‌ପେନସାରିଗୁଡ଼ିକର ନିଜସ୍ବ ବିଲ୍ଡିଂ ଓ ଔଷଧୀୟ ବଗିଚା ପାଇଁ ଜାଗା ରହିଛି, ସେସବୁକୁ ଚିହ୍ନଟ କରାଯିବା ସହ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆସରିଛି। ଆସନ୍ତା ୧/୨ମାସ ଭିତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ଆସିବା ପରେ କାର୍ଯ୍ୟ ଆରମ୍ଭ ହେବ।

ଅଧିକାରୀଙ୍କ ସୂଚନା ମୁତାବକ, ଆସନ୍ତା ୫ ବର୍ଷରେ ୪ଶହଟି ଆୟୁଷ ୱେଲନେସ୍‌ କେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର ରାଜ୍ୟ ସରକାର ଗତବର୍ଷ ଏହି କେନ୍ଦ୍ର ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରି ନ ଥିଲେ। ଫଳରେ ଗତବର୍ଷ କୌଣସି ପ୍ରସ୍ତାବ ଦିଆଯାଇ ନଥିଲା। ଚଳିତବର୍ଷ ଦୁଇବର୍ଷକୁ ମିଶାଇ ତାଲିକା ପଠାଯାଇଛି। ଗୋଟିଏ ଗୋଟିଏ ଆୟୁଷ ୱେଲନେସ୍‌ କେନ୍ଦ୍ର ଖୋଲିବା ପାଇଁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ ୬୦ ପ୍ରତିଶତ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଓ ୪୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ।

ସମ୍ବନ୍ଧିତ ଖବର