ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ବିଧାୟକଙ୍କ ଚିଠିକୁ ନେଇ ଚର୍ଚ୍ଚା

‘ରଥଯାତ୍ରାରେ ୧୦ରୁ ୧୨ ଜଣ ଲୋକ’

ପୁରୀ : ବହୁଦିନର ନିରବତା ପରେ ଶେଷ ମୁହୂର୍ତ୍ତ‌ରେ ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ଚିଠିରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ରଥଯାତ୍ରା ବନ୍ଦ ପାଇଁ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି। ପରମ୍ପରା ରକ୍ଷା ପୂର୍ବକ ଯେଭଳି ରଥଯାତ୍ରା ଅନୁଷ୍ଠିତ ହେବ, ତାହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଏହି ଚିଠିରେ ରଥଯାତ୍ରାରେ ଲୋକଙ୍କ ସମାଗମ ନେଇ ଯେଉଁ ତଥ୍ୟ ଶ୍ରୀ ଷଡ଼ଙ୍ଗୀ ରଖିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରଥଯାତ୍ରାରେ ମାତ୍ର ୧୦ ରୁ ୧୨ ଜଣ ଲୋକ ରୁହନ୍ତି ବୋଲି ସରକାର କୋର୍ଟଙ୍କୁ ଦର୍ଶାଇଥିବା ଶ୍ରୀ ଷଡ଼ଙ୍ଗୀ ଚିଠିରେ ‌ଉଲ୍ଲେଖ କରିଛନ୍ତି। ଏହା ଶ୍ରୀ ଷଡ଼ଙ୍ଗୀଙ୍କ ଲେଖାତ୍ରୁଟି ହୋଇପାରେ, କିନ୍ତୁ ବିଧାୟକଙ୍କ ଏଭଳି ଚିଠିକୁ ନେଇ ରାଜନୈତିକ ମହଲ ବି ସରଗରମ ହୋଇଉଠିଛି।

ଶ୍ରୀ ଷଡ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ରଥଯାତ୍ରା ପ୍ରସଙ୍ଗରେ ଯେଉଁ ରିଟ୍‌ ପିଟିସନ୍‌ ଫାଇଲ୍ ହୋଇଥିଲା, ତା’ର ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ଆଦେଶ ଦେଇଛନ୍ତି। ଏହାସହ ସାରା ଓଡ଼ିଶାରେ ବି ରଥଯାତ୍ରା ବନ୍ଦ ପାଇଁ ଆଦେଶ ଦିଆଯାଇଛି। କରୋନା ସଂକ୍ରମଣ ଭୟ ଥିବା କୋର୍ଟଙ୍କୁ ଦର୍ଶାଯିବା ପରେ ମାନ୍ୟବର କୋର୍ଟ ଏ ଭଳି ରାୟ ଦେଇଛନ୍ତି। ଯେଉଁଥିରେ ୧୨ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥାଏ ଓ ୧୦ ରୁ ୧୨ଜଣ ଲୋକ ଜମା ହୁଅନ୍ତି ବୋଲି କୋର୍ଟଙ୍କୁ ଦର୍ଶାଯାଇଥିବା ଶ୍ରୀ ଷଡ଼ଙ୍ଗୀ ନିଜ ଚିଠିରେ ଦର୍ଶାଇଛନ୍ତି। ରଥଯାତ୍ରା ବନ୍ଦ ରାୟ ପରେ ଚାରିଆଡ଼େ ଆନ୍ଦୋଳନ ମୁଣ୍ଡ ଟେକିଲାଣି। ପୂର୍ବରୁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ପରେ ରାଜ୍ୟ ସରକାରଙ୍କୁ ବିନା ଭକ୍ତରେ ରଥଯାତ୍ରା ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାରଙ୍କୁ ମାମଲାର ପୁନଃବିଚାର ପାଇଁ ଆବେଦନ କରିବାକୁ ବି ନିବେଦନ କରାଯାଇଛି। ଏହି ଦୃଷ୍ଟିରୁ ପୁରୀର ଲୋକପ୍ରତିନିଧି ହିସାବରେ ରଥଯାତ୍ରା ପ୍ରସଙ୍ଗରେ ପୁନଃ ବିଚାର ଆବେଦନ କରିବାକୁ ସେ ନିବେଦନ କରୁଥିବା କହିଛନ୍ତି। ଏପରିକି ରଥଯାତ୍ରା ସମୟରେ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର