ବିସିସିଆଇକୁ କୋଲକାତା ପୁଲିସର ପ୍ରଶ୍ନ: ସାମି ଦୁବାଇ କାହିଁକି ଯାଇଥିଲେ?

ସାମିଙ୍କୁ ଧୋନିଙ୍କ ସମର୍ଥନ

କୋଲକାତା : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜାହାଁ ଆଣିଥିବା ଅନୈତିକ ସଂପର୍କ ଏବଂ ଘରୋଇ ହିଂସା ଅଭିଯୋଗର ତଦନ୍ତ କରୁଥିବା କୋଲକାତା ପୁଲିସ ଏହି ବିଷୟରେ ବିସିସିଆଇଠାରୁ କେତେକ ଗୋପନ ତଥ୍ୟ ସଂଗ୍ରହ କରିବାର ଅଭିଯାନ ଆରମ୍ଭ କରି ଦେଇଛି। ଦକ୍ଷିଣ ଆଫ୍ରିକାରୁ ଭାରତ ଫେରୁଥିଲା ବେଳେ ସାମି କାହିଁକି ଦୁବାଇରେ ଅଟକି ଥିଲେ ତାହା ଜାଣିବାକୁ ଚାହିଁଛି କୋଲକାତା ପୁଲିସ। ଏଥିନେଇ ବିସିସିଆଇକୁ କୋଲକାତା ପୁଲିସ ଏକ ପତ୍ର ମଧ୍ୟ ଲେଖିଛି। ସାମି ଦୁବାଇରେ ଆଲିସବା ନାମକ ଜଣେ ଯୁବତୀଠାରୁ ପଇସା ନେଇଥିଲେ ବୋଲି ହସିନ ଅଭିଯୋଗ କରିଥିଲେ । ଏପରିକି ସାମି ମ୍ୟାଚ୍‌ ଫିକ୍ସିଂରେ ଜଡ଼ିତ ଥାଇ ପାରନ୍ତି ବୋଲି ସେ ସଂକେତ ଦେଇଥିଲେ। ସେଥିପାଇଁ କୋଲକାତା ପୁଲିସ ଏହି ବିଷୟରେ ଖୋଳତାଡ଼ କରିବା ଆରମ୍ଭ କରି ଦେଇଛି।

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି ମାମଲାରେ ସାମିଙ୍କୁ ସମର୍ଥନ କରିଛନ୍ତିି। ସାମି ଜଣେ ଭଦ୍ର ଲୋକ ସେ ପତ୍ନୀ ହସିନଙ୍କ ସହ କିମ୍ବା ଦେଶ ସହ ବିଶ୍ୱାସଘାତ କରିପାରିବେ ନାହିଁ ବୋଲି ଧୋନି ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରେ କହିଥିଲେ। ସେହିଭଳି ସାମିଙ୍କର ଏହା ବ୍ୟକ୍ତିଗତ ଜୀବନ ହୋଇଥିବାରୁ ଅଯଥା ତଥ୍ୟହୀନ ଖବର ପ୍ରକାଶ ନକରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଥିଲେ। ସେହିଭଳି ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ ମଧ୍ୟ ସାମିଙ୍କୁ ସମର୍ଥନ କରିଛନ୍ତିି।

ସମ୍ବନ୍ଧିତ ଖବର