ଓଡ଼ିଶା ଏଫ୍‌ସି ଜର୍ସି ଉନ୍ମୋଚିତ

ଭୁବନେଶ୍ବର: ଭୁବନେଶ୍ବର ଭିତ୍ତିକ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି ଚଳିତ ମାସ ୧୯ ତାରିଖରେ ମୋହନ ବାଗାନ ସୁପର ଜାଏଣ୍ଟସ୍‌ ବିପକ୍ଷରେ ଏଏଫ୍‌ସି କପ୍‌ ମ୍ୟାଚ୍‌ ଘରୋଇ କଳିଙ୍ଗ ଷ୍ଟାଡିୟମରେ ଖେଳି ନୂଆ ଋତୁ ଆରମ୍ଭ କରିବ। ଏହାର ୩ ଦିନ ପରେ ୨୩‌ରେ କଳିଙ୍ଗରେ ଚେନ୍ନାଇ ଏଫ୍‌ସି ବିପକ୍ଷରେ ଖେଳି ଆଇଏସ୍‌ଏଲ୍‌ ଅଭିଯାନ ଆରମ୍ଭ କରିବ। ଏହି ନୂଆ ଋତୁ ଆରମ୍ଭ ପୂର୍ବରୁ ଓଡ଼ିଶା ଏଫ୍‌ସି ସୋମବାର କଳିଙ୍ଗ ଷ୍ଟାଡିୟମରେ ନିଜ ନୂଆ କିଟ୍‌ ଉନ୍ମୋଚନ କରିଛି। ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ କିଟ୍‌ ଉନ୍ମୋଚନ କରିଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ଓଏଫସି ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋବେରା, ଯୁବ ବିକାଶର ମୁଖ୍ୟ ସନ୍ତୋଷ କାଶ୍ୟପ, ମହାପ୍ରବନ୍ଧକ ଅଭିକ ଚାଟାର୍ଜୀ, ବ୍ୟବସାୟ ମୁଖ୍ୟ ରବି ଖେଦର ଏବଂ କ୍ଲବ୍‌ର ଦୁଇ ଅଧିନାୟକ ଅମ୍ରିନ୍ଦର ସିଂହ ଓ ରୟ କ୍ରିଶନ ଉପସ୍ଥିତ ଥିଲେ। ଘରୋଇ ମ୍ୟାଚ୍‌ ଲାଗି ଖେଳାଳିମାନଙ୍କ ପାଇଁ କଳା ଓ ବାଇଗଣୀ ରଙ୍ଗର ଜର୍ସି ରହିଥିଲା ବେଳେ ରାଜ୍ୟ ବାହାର ମ୍ୟାଚ୍‌ ଲାଗି ଧଳା ରହିଛି। ତୃତୀୟ ଜର୍ସିର ରଙ୍ଗ ହଳଦିଆ ଓ ବାଇଗଣୀ ରଖାଯାଇଛି। ଗୋଲିମାନଙ୍କ ଘରୋଇ ଜର୍ସି ଫ୍ଲୋରେସେଣ୍ଟ ଗ୍ରିନ୍‌ ଏବଂ ବାହାର ଲାଗି ବ୍ଲାକ୍‌ ଓ ତୃତୀୟ ଜର୍ସି ଗୋଲାପି ରଙ୍ଗର ରଖିଛି କ୍ଲବ୍‌।

‘‘ଆଗାମୀ ଋତୁ‌ ଲାଗି ଉତ୍ସାହିତ ରହିଛୁ। ଭଲ କରିବାକୁ ଚେଷ୍ଟା କରିବୁ। ପୂର୍ବ ପ୍ରଦର୍ଶନକୁ ଆମେ ଭଲ ଭାବେ ସମୀକ୍ଷା କରିଛୁ। ଭୁଲ୍‌କୁ ସୁଧାରି ଆଗକୁ ଭଲ କରିବାକୁ ସବୁ ପ୍ରୟାସ କରିବୁ। ସୁପର କପ୍‌ ବିଜୟ ଦଳର ମ‌ନୋବଳକୁ ଉପରେ ରଖିଛି। ଏଏଫ୍‌ସି କପ୍‌ର ପ୍ରଥମ ମ୍ୟାଚ୍‌ ଆମେ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଥିବାରୁ ବିଜୟରୁ ଋତୁ ଆରମ୍ଭ କରିବାକୁ ଚାହିବୁ। ଆମର ଅଭ୍ୟାସ ଭଲ ରହିଛି। କିଛି ନୂଆ ପିଲା ବି ଦଳକୁ ଆସିଛିନ୍ତି ଏବଂ ମୁଁ ବି ନୂଆ। ତଥାପି ‌ଏହି କିଛି ଦିନ ମଧ୍ୟରେ ପିଲାଙ୍କ ସହ ମିଶି ପାରିଛି। ସେମାନଙ୍କ ଦୁର୍ବଳତାକୁ ସୁଧାରିବାକୁ ଚେଷ୍ଟା କରୁଛି। ଆମ ପାଖରେ ଭଲ ପିଲା ଅଛନ୍ତି। ଦଳ ବି ଭଲ ରହିଛି। ଆମ ହାତରେ ଯାହା ହୋଇପାରିବ ତାହା କରିବାକୁ ଚେଷ୍ଟା କରିବୁ। ପ୍ରତି ମ୍ୟାଚ୍‌ ଓ ପ୍ରତି ଦିନ ପରିସ୍ଥିତି ଦେଖି ଯୋଜନା ହେବ। ମୋର ଲକ୍ଷ୍ୟ ଟ୍ରଫି ଜିତିବା’’ ବୋଲି ମୁଖ୍ୟ ପ୍ରଶିକ୍ଷକ ଲୋବେରା କହିଛନ୍ତି।

ସମ୍ବନ୍ଧିତ ଖବର