ସଙ୍କଟରେ ମିରିଗାନ୍‌ ହସ୍ତତନ୍ତ ଶିଳ୍ପ: ହଠାତ ବଢ଼ିଗଲା କଞ୍ଚାମାଲ୍‌ ଦର

ଉତ୍ପାଦ କିଣିବାକୁ ଅମଙ୍ଗ ଗ୍ରାହକ

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ର ପ୍ରସିଦ୍ଧ ମିରିଗାନ୍‌ ହସ୍ତତନ୍ତ ଶିଳ୍ପ ପାଇଁ ସଂକଟ ଦୃଷ୍ଟି ହୋଇଛି। ପୂର୍ବଭଳି କଞ୍ଚାମାଲ ସହଜରେ ଉପଲବ୍ଧ ହେଉନଥିବା ବେଳେ ଦର ମଧ୍ୟ ହଠାତ ବଢ଼ିଯାଇଛି। ସୂତା ଓ ରଙ୍ଗ ଭଳି ସାମଗ୍ରୀ ଦର ପ୍ରାୟ ୮୦୦ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ଲାଗି ରହିଥିବା ବର୍ଷା ମଧ୍ୟ ଉତ୍ପାଦନ ପ୍ରକ୍ରିୟାକୁ ପ୍ରଭାବିତ କରିଛି।

ମିରିଗାନ୍‌ ବୁଣାକାରଙ୍କ ସଂଖ୍ୟା କମିବାରେ ଲାଗିଛି। ମାତ୍ର ୧୩୦ ପରିବାର ଏହି କୌଳିକ ବୃତ୍ତିରେ ବର୍ତ୍ତମାନ ରହିଛନ୍ତି। ଏମିତି ସ୍ଥିତିରେ ମହଙ୍ଗା ମାଡ଼ କାରିଗରଙ୍କ ମୁସ୍କିଲ ବଢ଼ାଇ ଦେଇଛି। ଗୋଟିଏ ମାସରେ ଅତି ବେଶୀରେ ଦୁଇଟି ମିରିଗାନ୍‌ ଶାଢୀ, ଗୋଟିଏ ହଳ ସାର୍ଟକପଡା, ଦୁଇଟି ଗାମୁଛା, ଗୋଟିଏ ଟାଉଲିଆ ଓ ଗୋଟିଏ ଚାଦର ବୁଣାକାର ତିଆରି କରନ୍ତି। ଏବେ ମିରିଗାନ ଶାଢୀର ଦାମ ୧୦ରୁ ୩୫ହଜାର ଟଙ୍କା ଯାଏ ରହିଥିବା ବେଳେ ସାର୍ଟ କପଡା, ଗାମୁଛା, ଟାଉଲଆ ଓ ଚାଦର ଦର ୧୦୦୦ରୁ ୮୦୦୦ ଟଙ୍କା ମଧ୍ୟରେ ରହିଛି। ତେବେ ହଠାତ କଞ୍ଚାମାଲ ଦର ବଢ଼ିଯିବା ଫଳରେ ଉପରୋକ୍ତ ଉତ୍ପାଦ ଦର ମଧ୍ୟ ସେହି ଅନୁପାତରେ ବଢ଼ି ଯାଇଛି। ପ୍ରାକୃତିକ ରଙ୍ଗ ପାଇଁ ବ୍ୟବହାର ହେଉଥିବା ଆଲ ଗଛର ଛାଲି ବୁଣାକାରଙ୍କୁ ସଂଗ୍ରହ କରିବାରେ ସମସ୍ୟା ହେଉଛି।
କଳାହାଣ୍ଡି ଜିଲ୍ଲାରୁ ଆସୁଥିବା ଆଲ ଗଛର ଛାଲି କିଲୋ ପିଛା ଦର ଗତବର୍ଷ ୧୦୦୦ରୁ ୧୨୦୦ ଟଙ୍କା ମଧ୍ୟରେ ରହିଥିଲା, ଯାହା ଚଳିତ ବର୍ଷ ୨୫୦୦ରୁ ୩୦୦୦ ଟଙ୍କା ମଧ୍ୟରେ ରହିଛି। ସେହିପରି ସୂତା ଦର ୧୦୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଗତବର୍ଷ ସୂତା କାଟା ଦର ୫୦୦୦ରୁ ୭୦୦୦ଟଙ୍କା ରହିଥିଲା ବେଳେ ଚଳିତ ବର୍ଷ ୬୦୦୦ରୁ ୮୦୦୦ ଟଙ୍କା ରହିଛି। ଗୋଟିଏ ପଟେ କଞ୍ଚାମାଲ ଦର ବୃଦ୍ଧି ଏବଂ ଅନ୍ୟପଟେ ଗ୍ରାହକ ମୁହଁ ଫେରାଇ ନେବା ଫଳରେ ଉତ୍ପାଦନ ପ୍ରକ୍ରିୟା ପ୍ରଭାବିତ ହୋଇଛି। ଯଦି ଏହି ପରିସ୍ଥିତି ଆହୁରି କିଛି ମାସ ଲାଗିବ ତେବେ ବୁଣାକାର ହାତବାନ୍ଧି ବାସିବା ବ୍ୟତୀତ ଆଉ କୌଣସି ବିକଳ୍ପ ରହିବ ନାହିଁ। କୋଟପାଡ ୱ‌େଭର୍ସ‌ ସମବାୟ ସୋସାଇଟି ପକ୍ଷରୁ କୁହାଯାଇଛି, ପୂର୍ବ ଭଳି ଆଉ ଆଲ ଛାଲି ମିଳୁନାହିଁ। ବାହାର ଜିଲ୍ଲା ଉପରେ ଛାଲି ପାଇଁ ନିର୍ଭର କରିବାକୁ ପଡ଼ୁଥିବା ବେଳେ ଦର ପ୍ରାୟ ଦୁଇ ଗୁଣ ବଢ଼ିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏଠାରେ ପ୍ରାୟ ଏକ ହଜାର ଆଲ୍‌ ଗଛ ରୋପଣ ହୋଇଛି। କିନ୍ତୁ ଏହି ଗଛଗୁଡ଼ିକୁ ପରିପକ୍ବ ହେବାକୁ ଆହୁରି ୮ରୁ ୯ବର୍ଷ ଲାଗିଯିବ।

ସମ୍ବନ୍ଧିତ ଖବର