ପାର୍ଥିବଙ୍କ କ୍ରିକେଟ୍ ଜୀବନରେ ପୂର୍ଣ୍ଣଚ୍ଛେଦ, ସମସ୍ତ ପ୍ରକାର ଫର୍ମାଟ୍‌ରୁ ନେଲେ ଅବସର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଉପେକ୍ଷିତ ୱିକେଟ୍‌ରକ୍ଷକ ପାର୍ଥିବ ପଟେଲ ବୁଧବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କ ୧୮ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମାତ୍ର ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା ପାର୍ଥିବ ବୁଧବାର ଟ୍ବିଟ୍‌ କରି ନିଜ ଅବସର ସୂଚନା ଦେଇଥିଲେ। ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥିବା ଏହି ଗୁଜରାଟ କ୍ରିକେଟର୍‌ ଭାରତ ପାଇଁ ୨୫ ଟେଷ୍ଟ୍‌, ୩୯ ଦିନିକିଆ ଏବଂ ଦୁଇଟି ଟି-୨୦ ଖେଳି ଯଥାକ୍ରମେ ୯୩୪, ୭୩୬ ଓ ୩୬ ରନ୍ କରିଥିଲେ। ୨୦୧୮ ଜାନୁଆରିରେ ସେ ନିଜ ଶେଷ ମ୍ୟାଚ୍‌ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ଖେଳିଥିଲେ। ୨୦୦୨ ମସିହାରେ ଭାରତର ଇଂଲଣ୍ଡ ଗସ୍ତରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ।

ନିଜ ଛବିର ଏକ ପୃଷ୍ଠଭୂମି ଉପରେ ପାର୍ଥିବ ଭାବବିହ୍ବଳ ପତ୍ର ଜରିଆରେ କ୍ରିକେଟ୍‌ ଦୁନିଆରୁ ଅବସର ନେଇଛନ୍ତି। କ୍ରିକେଟ୍ ଯାତ୍ରାର ପ୍ରଥମ ଶ୍ରେୟ ସେ ପିତାଙ୍କୁ ଦେଇଛନ୍ତି। ୧୮ ବର୍ଷର କ୍ରିକେଟ୍ ଜୀବନରେ ସଂଶ୍ଲିଷ୍ଟ ସମସ୍ତ ବ୍ୟକ୍ତି, ନିଜ ରାଜ୍ୟ ଗୁଜରାଟ କ୍ରିକେଟ୍‌ ସଂଘ ଓ ଅନ୍ୟ ଅନୁଷ୍ଠାନକୁ ଧନ୍ୟବାଦ ଦେଇଛନ୍ତି। ଜଣେ ୧୭ ବର୍ଷୀୟ ବାଳକ ଉପରେ ବିସିସିଆଇ ଭରସା ରଖିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତ ଅଧିନାୟକ, ବିଶେଷ କରି ମୋ ପ୍ରଥମ ଅଧିନାୟକ ଦାଦା (ସୌରଭ ଗାଙ୍ଗୁଲି)ଙ୍କ ନିକଟରେ ମୁଁ ଋଣୀ ବୋଲି ଉଲ୍ଲେଖ କରିଛନ୍ତି। ସାଥୀ ଖେଳାଳି ଓ ବିପକ୍ଷ ଦଳର ଖେଳାଳିଙ୍କ ସହ ବଂଧୁତାରୁ ବହୁ କିଛି ଶିଖିଛି ବୋଲି ମଧ୍ୟ ସ୍ବୀକାର କରିଛନ୍ତି।

ଭାରତୀୟ ଦଳର ଅଷ୍ଟ୍ରେଲିଆ ଓ ପାକିସ୍ତାନ ଗସ୍ତରେ ୱିକେଟ୍‌ ପଛପଟେ ଖରାପ ପ୍ରଦର୍ଶନ କରିବା ପରେ ୨୦୦୪ ମସିହାରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା। ଏହା ପରେ ସେ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ। ୧୯୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୪୩ରୁ ଊର୍ଧ୍ବ ହାରରେ ୨୭ ଶତକ ସହ ୧୧,୨୪୦ ରନ୍‌ ସଂଗ୍ରହ‌ କରିବା ତାଙ୍କ ପ୍ରଭାବୀ ପ୍ରଦର୍ଶନର ପ୍ରମାଣ ଛାଡ଼ିଛି। ୧୯୩ ଲିଷ୍ଟ୍ ‘ଏ’ ଏବଂ ୨୦୪ ଟି-୨୦ ମ୍ୟାଚ୍‌ ଖେଳିଥିଲେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌। ୨୦୧୬-୧୭ ଋତୁରେ ଗୁଜରାଟର ନେତୃତ୍ବ ନେଇ ପ୍ରଥମ ଥର ରଣଜୀ ଟ୍ରଫି ବିଜେତା ହୋଇଥିଲେ, ଫାଇନାଲରେ ତାଙ୍କ ଦଳ ଶକ୍ତିଶାଳୀ ମୁମ୍ବାଇକୁ ପରାସ୍ତ କରିଥିଲା। ଏହି ଲମ୍ବା ଖେଳ ଜୀବନ ମଧ୍ୟରେ ୩୫ ବର୍ଷୀୟ ପାର୍ଥିବ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର୍ କିଙ୍ଗ୍ସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ପାଇଁ ଖେଳିଥିଲେ। ଗତ ଆଇପିଏଲ୍‌ରେ ସେ ଆର୍‌ସିବି ଦଳରେ ଥାଇ ଖେଳିବା ସୁଯୋଗ ପାଇନଥିବାରୁ ଅବସର ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଭୁବନେଶ୍ବରରେ ଓଡ଼ିଶା ବିପକ୍ଷରେ ରଣଜୀ ଦ୍ବିଶତକ
ଭୁବନେଶ୍ବର: ପାର୍ଥିବ ପଟେଲ୍‌ଙ୍କ ଓଡ଼ିଶା ସମ୍ପର୍କ ବି କିଛି କମ୍ ନୁହେଁ। ଭୁବନେଶ୍ବରରେ ଓଡ଼ିଶା ବିପକ୍ଷରେ ଦ୍ବିଶତକ ଏହା ମଧ୍ୟରେ ସବୁଠାରୁ ସ୍ମରଣୀୟ ରହିଛି। ୨୦୦୮-୦୯ ଋତୁରେ ଭୁବନେଶ୍ବରର ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ରଣଜୀ ଟ୍ରଫି ସୁପର୍‌ଲିଗ୍‌ର ଏକ ମ୍ୟାଚ୍‌ରେ ପାର୍ଥିବ ଏକା ଏକା ଓଡ଼ିଶାକୁ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ବର୍ଷା ଭିଜା ଏହି ମ୍ୟାଚ୍‌ରେ ଗୁଜରାଟ ୩୯୪ ରନ୍ କରିଥିବାବେଳେ ଅଧିନାୟକ ପାର୍ଥିବ ୨୦୬ ରନ୍‌ କରି ଓଡ଼ିଶା ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ସ୍ପିନର୍‌ ମନୀଷ ପାର୍ମର ଉଭୟ ପାଳିରେ ୬ ଲେଖାଏଁ ୱିକେଟ୍ ନେଇ ଓଡ଼ିଶାକୁ ପାଳି ପରାଜୟ ପାଇଁ ବାଧ୍ୟ କରିଥିଲେ। ପିନାଟି ଜୟଚନ୍ଦ୍ରଙ୍କ ନେତୃତ୍ବରେ ଓଡ଼ିଶା ଖେଳିଥିବା ଏହି ମ୍ୟାଚ୍‌ରେ ମଧ୍ୟ ନଟରାଜ ବେହେରା ଏବଂ ବିଭୂଦତ୍ତ ପଣ୍ଡା ପଦାର୍ପଣ କରିଥିଲେ।

କ୍ବାର୍ଟରଫାଇନାଲ୍ ତିକ୍ତତାକୁ ଭୁଲିନାହାନ୍ତି ଗୋବିନ୍ଦ
ଓଡ଼ିଶାର ସ୍ମରଣୀୟ ୨୦୧୬-୧୭ ଋତୁରେ ମଧ୍ୟ ପାର୍ଥିବ ପଟେଲଙ୍କ ଗୁଜରାଟ ପ୍ରତିବଂଧକ ସାଜିଥିଲା। ଦୀର୍ଘ ୧୫ ବର୍ଷ ପରେ ଓଡ଼ିଶା କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଜୟପୁରରେ ଭେଟିଥିଲା ପାର୍ଥିବଙ୍କ ଦଳକୁ। ଓଡ଼ିଶା ପାଳି ଅଗ୍ରଣୀ ଭିତ୍ତିରେ ହାରିଯାଇଥିଲେ ମଧ୍ୟ ପାର୍ଥିବଙ୍କ ବଡ଼ ପ୍ରଶଂସକ ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର‌ ସେହି ମ୍ୟାଚ୍‌ରୁ ପାଇଥିବା ତିକ୍ତ ଅନୁଭୂତିକୁ ଏବେ ବି ଭୁଲି ନାହାନ୍ତି। ‘ମୁଁ ପାର୍ଥିବଙ୍କ ବଡ଼ ପ୍ରଶଂସକ, ତାଙ୍କ ଅଧୀନରେ ମଧ୍ୟ ଖେଳିଛି। କିନ୍ତୁ ଓଡ଼ିଶା ବିପକ୍ଷ କ୍ବାର୍ଟର ଫାଇନାଲରେ ତାଙ୍କ ଆଚରଣ ମୋତେ ବିତସ୍ପୃହ କରି‌ଦେଇଥିଲା। ଘାସୁଆ ପିଚ୍ ଦେଖି ମୁଁ ଟସ୍ ଜିତି ‌ଫିଲ୍ଡିଂ ନିଷ୍ପତ୍ତି ନେଇଥିଲି। ପ୍ରାରମ୍ଭିକ ଝଟ୍‌କା ପାଇ ଗୁଜରାଟର ୩ ୱିକେଟ୍ ଆମେ ସଅଳ କାଢ଼ି‌ ନେଇଥିଲୁ। ମାତ୍ର ଗୋଟିଏ ବଲ୍‌ ତାଙ୍କ ଶରୀରରେ ବାଜିବା ପରେ ସେ ଅମ୍ପାୟାରଙ୍କ ନିକଟରେ ପିଚ୍‌ ଖରାପ ଅଭିଯୋଗ କରିବାରୁ ମ୍ୟାଚ୍‌ ପ୍ରାୟ ଘଣ୍ଟାଏ କାଳ ଅଟକିଥିଲା। ପିଚ୍‌ ମରାମତି ଓ ଲୟ ହାତଛଡ଼ା ହେବା ସତ୍ତ୍ବେ ଆମେ ସେମାନଙ୍କୁ ୨୬୩ ରନ୍‌ରେ ରୋକିଥିଲୁ। କିନ୍ତୁ ସେହି ମୁହୂର୍ତ ମ୍ୟାଚ୍‌ର ଟର୍ନିଂ ପଏଣ୍ଟ୍‌ ଥିଲା। ଏହାକୁ ନେଇ ମୁଁ ପାର୍ଥିବ ଭାଇଙ୍କ ସହ ଯୁକ୍ତିତର୍କ କରିଥିଲି ଏବଂ ବିରକ୍ତ ବି ହୋଇଥିଲି। ଖେଳ ଭାବନାଠାରୁ ଏହା ନିଶ୍ଚିତ ଦୂରରେ ଥିଲା। ଏହି ତିକ୍ତତାକୁ ଛାଡ଼ିଦେଲେ ମୁଁ ତାଙ୍କର ବଡ଼ ପ୍ରଶଂସକ। ମହେନ୍ଦ୍ର ସିଂହ ଧୋନିଙ୍କ ଉପସ୍ଥିତି ପାଇଁ ତ‌ାଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ଲମ୍ବା ହୋଇପାରିନଥିଲା। ତଥାପି ଜଣେ ବଡ଼ ଖେଳାଳି ଥିଲେ। ତାଙ୍କୁ ଅନୁସରଣ କରି ଗୁଜରାଟରୁ ଯଶପ୍ରୀତ୍ ବୁମରା ଓ ଅକ୍ଷର ପଟେଲଙ୍କ ଭଳି ଖେଳାଳି ବାହାରିଛନ୍ତି’ ବୋଲି କହିଥିଲେ ଗୋବିନ୍ଦ।

ସମ୍ବନ୍ଧିତ ଖବର