ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ହରାଇପାରନ୍ତି ରାହାଣେ, ଈଶାନ୍ତ

ମୁମ୍ବାଇ: ଟେଷ୍ଟ ‌ସ୍ପେସାଲିଷ୍ଟ ଅଜିଙ୍କ୍ୟ ରାହାଣେ ଓ ଦ୍ରୁତ ବୋଲର ଈଶାନ୍ତ ଶର୍ମା ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ପଡ଼ିପାରନ୍ତି। ଅନ୍ୟପକ୍ଷେ ଶୁବମନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଚୁକ୍ତିରେ ଉନ୍ନତି ମିଳିପାରେ। ସେହିପରି ଭାରତର ଭବିଷ୍ୟତ ଟ୍ବେଣ୍ଟି-୨୦ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଗ୍ରୁପ୍‌ ବି’ରୁ ଗ୍ରୁପ୍‌ ସି’କୁ ଉଠିବା ସମ୍ଭାବନା ରହିଛି। ତେବେ ଆସନ୍ତା ୨୧ ତାରିଖରେ ହେବାକୁଥିବା ବିସିସିଆଇର ଆପେକ୍ସ କାଉନସିଲ ବୈଠକ‌ ପରେ ଏହି ଖେଳାଳିମାନଙ୍କ ବିଷୟରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ଟେଷ୍ଟ ୱିକେଟ୍‌ରକ୍ଷକ ବ୍ୟାଟର ରିଦ୍ଧିମାନ ସାହାଙ୍କୁ ବର୍ଷ ଆରମ୍ଭରୁ ଭାରତୀୟ ଦଳ ପାଇଁ ଆଉ ମନୋନୀତ ହେବେ ନାହିଁ ବୋଲି କୁହାଯିବା ପରେ ସେ ଏହି ଚୁକ୍ତିରୁ ବାଦ୍‌ ପଡ଼ିବା ସ୍ପଷ୍ଟ ହୋଇଛି।

କେନ୍ଦ୍ରୀୟ ଚୁକ୍ତିରେ ଏ+ ଖେଳାଳିଙ୍କୁ ବର୍ଷକୁ ୭କୋଟି, ଏ ଗ୍ରେଡ୍‌କୁ ୫ କୋଟି, ଗ୍ରେଡ୍‌ ବି’ ଓ ସି’କୁ ଯଥାକ୍ରମେ ୩ ‌ଓ ୧ କୋଟି ଟଙ୍କା ବାର୍ଷିକ ପ୍ରଦାନ କରାଯିବ। ଗତ ଏକବର୍ଷ ଧରି ଭାରତୀୟ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରୁଥିବା ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ୍‌, ଈଶାନ୍‌ କିଶନଙ୍କୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତିରେ ଭଲ ଗ୍ରେଡ୍‌ ମିଳିବା ନେଇ ଅନୁମାନ କରାଯାଉଛି। ଏହି ବୈଠକ ପାଇଁ ୧୨ ପଏଣ୍ଟର ଏଜେଣ୍ଟା ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ କିମ୍ବା ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତର ପ୍ରଦର୍ଶନ ବିଷୟରେ କୌଣସି ଆଲୋଚନା କରାଯିବ ନାହିଁ। ତଥାପି ଯଦି କାଉନସିଲ ଅଧ୍ୟକ୍ଷ ଚାହିଁବେ କିଛି ଅଣତାଲିକାଭୁକ୍ତ ବିଷୟ ଉପରେ ବୈଠକରେ ଆଲୋଚନା ହୋଇପାରେ।

ଏକ ଗୁରୁତ୍ବପୂର୍ଣ୍ଣ ବିଷୟକ୍ରମେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ଘରୋଇ କ୍ରିକେଟ୍‌ରେ ବର୍ଷା ଓ ଖରାପ ଆଲୋକ ସମୟରେ ଫଳାଫଳ ନିର୍ଣ୍ଣୟ କରାଯାଉଥିବା ଭିଜେଡି ନିୟମର ଉଦ୍ୟୋକ୍ତା ଭି. ଜୟଦେବନଙ୍କ ପାଇଁ ଆର୍ଥିକ ସହଯୋଗ ବ୍ୟବସ୍ଥା ବିଷୟରେ ଆଲୋଚନା ହେବ। ଆନ୍ତର୍ଜାତିକସ୍ତରରେ ଡକ୍‌ୱର୍ଥ ଲେୱିସ୍‌ ଷ୍ଟର୍ଣ୍ଣ (ଡିଏଲ୍‌ଏସ୍‌) ପଦ୍ଧତି ବ୍ୟବହାର ହେଉଥିଲା ବେଳେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି, ବିଜୟ ହଜାରେ ଟ୍ରଫି, ଦେଓଧର ଟ୍ରଫି ଓ ଚାଲେଞ୍ଜର ଟ୍ରଫିରେ ଭିଜେଡି ପଦ୍ଧତିକୁ ଲାଗୁ କରାଯାଉଛି।

ସମ୍ବନ୍ଧିତ ଖବର