ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରୁ ଗଳିତ ବାଘ ମୁଣ୍ଡ ଉଦ୍ଧାର, ୨ ଗିରଫ  

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଂଜ ଅଞ୍ଚଳ ଖୋଲଗଡ଼ ସଂରକ୍ଷିତ ଶରଧାପୁର ନିକଟ ଆଷାଡ଼ିଆ ଗାଁ ଜଙ୍ଗଲରୁ ଏକ କଲରାପତରିଆ ଗଳିତ କଟାମୁଣ୍ତ, ବାଘ ଚମଡ଼ା ପୋଡ଼ାଯାଇଥିବା ପାଉଁଶ ଜବତ କରିଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଶରଧାପୁର ଗ୍ରାମର ଅଜିତ ନାଏକ (୨୨) ଓ ଚୈତନ୍ୟ କୁଜୁର (୩୬) ଙ୍କୁ ଗିରଫ କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣ ଫେରାର ଥିବା ଜଣାପଡ଼ିଛି।

ବନ ବିଭାଗର ସୂଚନା ଅନୁସାରେ, ଅଭିଯୁକ୍ତମାନେ ୭/୮ ଦିନ ତଳେ ରେଢ଼ାଖୋଲ ରେଂଜ ଅଞ୍ଚଳ ଖୋଲଗଡ଼ ସଂରକ୍ଷିତ ଶରଧାପୁର ନିକଟ ଆଷାଡ଼ିଆ ଗାଁ ଜଙ୍ଗଲକୁ ଶିକାର କରିବା ଉଦ୍ଦେଶ୍ୟରେ ଯାଇଥିଲେ। ହେଲେ ହଠାତ୍‌ ସେମାନଙ୍କ ସମ୍ମୁଖକୁ ଏକ କଲରାପତରିଆ ବାଘ ଚାଲି ଆସିଥିଲା। ସେମାନେ ପ୍ରାଣ ବିକଳରେ ବାଘକୁ ଗୁଳି କରି ମାରିଥିଲେ। ବାଘଟି ମରିଯିବା ପରେ ସେମାନେ ବାଘ ଚମଡ଼ାକୁ ପୋଡ଼ି ଦେଇ ଥିବା ବେଳେ ବାଘ ମୁଣ୍ତଟିକୁ ପୋତି ଦେଇ ଥିଲେ। ଖବର ପାଇ ଡିଏଫ୍‌ଓ ରମାକାନ୍ତ ନାୟକ ଦୁଇ ଅଭିଯୁକ୍ତଙ୍କ ଘରେ ସଦଳବଳ ଚଢ଼ଉ କରିଥିଲେ। ଦୁଇ ଅଭିଯୁକ୍ତ ଅଜିତ ଓ ଚୈତନ୍ୟକୁ କାବୁ କରିବା ପରେ ଉଭୟ ବାଘ ଶିକାର ଘଟଣାକୁ ସ୍ବୀକାର କରିଥିଲେ। ଜଙ୍ଗଲରୁ କଟାମୁଣ୍ତ ଜବତ କରାଯାଇଥିଲା। ସେହିପରି ବାଘ ଚମଡ଼ାକୁ ପୋଡ଼ି ଦେଇ ଥିବା ପାଉଁଶକୁ ଜବତ କରିଥିଲେ। ପାଉଁଶକୁ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। ଅଜିତ ଓ ଚୈତନ୍ୟକୁ ଗିରଫ କାରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଛି। ସେପଟେ ମୁଖ୍ୟ ଶିକାରୀ ପାଇକମାଳ ଗ୍ରାମର ବିଜୟ ସାହୁ (୪୦) ଓ ଅନ୍ୟମାନେ ଶରଧାପୁର ଗ୍ରାମର ସବା ନାୟକ (୪୦), ଶୁକଦେବ ପୂର୍ତ୍ତୀ (୪୦) ଓ ଅଜୟ ବନଛୋର (୪୦) ଫେରାର ଥିବା ଡିଏଫ‌୍ଓ ସୂଚନା ଦେଇଛନ୍ତି। ଚଢଉ ବେଳେ ରେଂଜର ମୈତ୍ରୀ ମନଜିତ ବିଶ୍ବାଳ ସମେତ ବନ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର