ଲମ୍ବଡିଆଁରେ ଶାଇଲିଙ୍କୁ ରୌପ୍ୟ; ଭାରତକୁ ୩ ପଦକ

ଅଳ୍ପକେ ପଦକରୁ ବଞ୍ଚିତ ହେଲେ ପ୍ରିୟା, ଡୋନାଲ୍ଡ

ନାଇରୋବି: ଭାରତୀୟ କିଶୋରୀ ଶାଇଲି ସିଂହ ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ରବିବାର ଲମ୍ବଡିଆଁ ଫାଇନାଲ୍‌ରେ ସେ ୬.୫୯ ମିଟର ଡେଇଁ ଏହି ଐତିହାସିକ ସଫଳତା ପାଇଥିଲେ। ସ୍ବର୍ଣ୍ଣ ଜିତିଥିବା ସ୍ବିଡେନ୍‌ର ମାଜା ଆସ୍କାଗ (୬.୬୦ ମିଟର) ମାତ୍ର ଗୋଟିଏ ସେଣ୍ଟିମିଟର ପଛରେ ରହି ଅଳ୍ପରେ ପ୍ରଥମ ସ୍ଥାନ ଅଧିକାର କରିବାରେ ବିଫଳ ହୋଇଥିଲେ। ୟୁକ୍ରେନର ମାରିଲା ହୋରିଏଲୋଭା (୬.୫୦) କାଂସ୍ୟ ପଦକ କରାୟତ୍ତ କରିଥିଲେ। ଉତ୍ତରପ୍ରଦେଶର ଝାନ୍‌ସିରେ ଜନ୍ମିତ ଶାଇଲି ବେଙ୍ଗାଲୁରୁରେ ରବର୍ଟ ଅଂଜୁ ବବି ଜର୍ଜଙ୍କଠୁ ପ୍ରଶିକ୍ଷଣ ନେଉଛନ୍ତି। ୨୦୦୩ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଅଂଜୁ କାଂସ୍ୟ ଜିତିବାର ବର୍ଷକ ପରେ ଶାଇଲିଙ୍କ ଜନ୍ମ। କୋଭିଡ ପାଇଁ ପ୍ରାୟ ୨ ବର୍ଷ ପ୍ରତିଦ୍ବନ୍ଦ୍ବିତା କରିନଥିବା ଶାଇଲି ଜୁନ୍‌ରେ ପତିଆଲାରେ ଆୟୋଜିତ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟାବର୍ତ୍ତନରେ ୧୭ ବର୍ଷୀୟ ଶାଇଲି ୬.୪୮ ମିଟର ଡେଇଁ ୨୦ ବର୍ଷରୁ କମ୍‌ରେ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ।

ଶାଇଲିଙ୍କ ଏହି ସଫଳତା ମଧ୍ୟ ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଚଳିତ ସଂସ୍କରଣରେ ଭାରତର ତୃତୀୟ ଏବଂ ଇତିହାସରେ ସପ୍ତମ ପଦକ। ପୂର୍ବ ସଂସ୍କରଣ ଗୁଡ଼ିକରୁ ସୀମା ଆନ୍ତିଲ୍‌ (୨୦୦୨ କିଙ୍ଗଷ୍ଟନ୍‌, ଡିସ୍‌କସ୍ କାଂସ୍ୟ), ନଭଜିତ୍ କୌର ଧୀଲୋଁ (୨୦୧୪ ଆମେରିକା, ଡିସ୍‌କସ୍ କାଂସ୍ୟ), ନୀରଜ ଚୋପ୍ରା (୨୦୧୬ ପୋଲାଣ୍ଡ, ଜାଭଲିନ୍‌ ସ୍ବର୍ଣ୍ଣ) ଏବଂ ହୀମା ଦାସ (୨୦୧୮ ଫିନଲାଣ୍ଡ୍‌, ୪୦୦ ମିଟର୍‌ ସ୍ବର୍ଣ୍ଣ) ପ୍ରମୁଖ ପଦକ ଜିତିଥିଲେ।

ଅଳ୍ପକେ ପଦକରୁ ବଞ୍ଚିତ ହେଲେ ପ୍ରିୟା, ଡୋନାଲ୍ଡ
୨୦ ବର୍ଷରୁ କମ୍ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭାରତ ୩ ପଦକ ସହ ଅଭିଯାନ ଶେ‌ଷ କରିଛି। ୪ ଗୁଣା ୪୦୦ ମିଟର ମିଶ୍ରିତ ରିଲେ ଦଳ ଭାରତକୁ ପ୍ରଥମ ପଦକ ଭେଟି ଦେଇଥିଲା। ଏହି ପ୍ରଥମ ପଦକଟି କାଂସ୍ୟ ରୂପରେ ଆସିଥିଲା। ଏହାପରେ ୧୦,୦୦୦ ମିଟର ରେସ୍‌ ଚାଲିରେ ଅମିତ କୁମାର ରୌପ୍ୟ ଏବଂ ଉଦ୍‌ଯାପନୀ ଦିବସରେ ଶାଇଲି ରୌପ୍ୟ ଜିତି ଭାରତର ପଦକ ସଂଖ୍ୟାକୁ ୩ରେ ପହଞ୍ଚାଇଥିଲେ। ଯାହା ୨୦ ବର୍ଷରୁ କମ୍ ଦୌଡ଼କୁଦରେ ଭାରତର ଶ୍ରେଷ୍ଠ ସଫଳତା ‌‌ରବିବାର ଶେଷ ଦିନରେ କିନ୍ତୁ ଭାରତ ଅଳ୍ପକେ ୩ଟି ପଦକରୁ ବଞ୍ଚିତ ହୋଇଥିଲା। ୪୦୦ ମିଟର ଦୌଡ଼ରେ ପ୍ରିୟା ମୋହନ, ଟ୍ରିପଲ୍‌ ଜମ୍ପ୍‌ରେ ଡୋନାଲ୍ଡ ମାଖିମୈରାଜ ଏବଂ ଭାରତୀୟ ମହିଳା ୪ ଗୁଣା ୪୦୦ ମିଟର ରି‌ଲେ ଦଳ ଚତୁର୍ଥ ସ୍ଥାନରେ ରହି ପଦକଠୁ ବଞ୍ଚିତ ରହିଥିଲେ।

ପଦକ ବିଜେତା ମିଶ୍ରିତ ରିଲେ ଦଳର ସଦସ୍ୟା ପ୍ରିୟା (୫୨.୭୭ ସେକେଣ୍ଡ) ଫାଇନାଲ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ କେନିଆର ସିଲ୍‌ଭିଆ ଚେଲାଙ୍ଗାଟଙ୍କଠୁ ୦.୫୪ ସେକେଣ୍ଡ ଅଧିକ ସମୟ ନେଇ ‌ପୋଡିୟମରେ ଠିଆ ହେବାରୁ ବଞ୍ଚିତ ହୋଇଥିଲେ। ନାଇଜେରିଆର ଇମାଓବଙ୍ଗ ସି ଓକୋ (୫୧.୫୫) ସ୍ବର୍ଣ୍ଣ, ପୋଲାଣ୍ଡର କୋର୍ନେଲିଆ ଲେସିୱିଜ୍‌ (୫୧.୯୭) ରୌପ୍ୟ ଏବଂ ଚେଲାଙ୍ଗାଟ (୫୨.୨୩) କାଂସ୍ୟ ଜିତିଥିଲେ। ସେହିପରି ଟ୍ରିପଲ୍‌ ଜମ୍ପ୍‌ରେ ଡୋନାଲ୍‌ଡ (୧୫.୮୨ ମିଟର) ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ପଦକ ଜିତିବାରେ ବିଫଳ ହୋଇଥିଲେ। କାଂସ୍ୟ ବିଜେତା ଫ୍ରାନ୍ସର ସିମନ ଗୋର୍‌ (୧୫.୯୫)ଙ୍କଠୁ ମାତ୍ର ୩ ସେଣ୍ଟିମିଣ୍ଟର ଦୂରରେ ରହିଥିଲେ। ସ୍ବିଡେନ୍‌ର ଗାବ୍ରିଏଲ ୱାଲମାର୍କ (୧୬.୪୩) ସ୍ବର୍ଣ୍ଣ ଏବଂ ଜାମାଇକାର ଜୟଡନ ହିବର୍ତ (୧୬.୦୫) ରୌପ୍ୟ ପଦକ କରାୟତ୍ତ କରିଥି‌ଲେ। ପାୟଲ ଭୋରା, ସୁମି, ରଜିତା କୁଞ୍ଜ ଓ ପ୍ରିୟା ମୋହନଙ୍କୁ ନେଇ ଗଠିତ ଭାରତୀୟ ରିଲେ ଦଳ ୩:୪୦.୪୫ ସେକେଣ୍ଡ ସମୟ ନେଇ ଚତୁର୍ଥ ସ୍ଥାନରେ ରହିଥିଲେ। ନାଇଜେରିଆ (୩:୩୧.୪୬) ‌ସ୍ବର୍ଣ୍ଣ, ଜାମାଇକା (୩:୩୬.୫୭) ରୌପ୍ୟ ଏବଂ ଇଟାଲି (୩:୩୭.୧୮) କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର