ଦିଲ୍ଲୀରୁ ଗିରଫ: ଦୁଷ୍କର୍ମ କଳଙ୍କିତ ସନ୍ତରଣ ପ୍ରଶିକ୍ଷକ ବାସନ୍ଦ

ନୂଆଦିଲ୍ଲୀ: ଦୁଷ୍କର୍ମ କଳଙ୍କିତ ସନ୍ତରଣ ପ୍ରଶିକ୍ଷକ ସୁରଜିତ ଗାଙ୍ଗୁଲିଙ୍କୁ ଗୁରୁବାର ଗୋଆ ସନ୍ତରଣ ସଂଘ (ଜିସିଏ) ବହିଷ୍କୃତ କରିବା ପରେ ଶୁକ୍ରବାର ଭାରତୀୟ ସନ୍ତରଣ ସଂଘ (ଏସ୍‌ଏଫ୍‌ଆଇ) ବାସନ୍ଦ କରିଛି। ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗକ୍ରମେ ଏସ୍‌ଏଫ୍‌ଆଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବେଳେ ସନ୍ତରଣ ସଂପର୍କିତ ଯେକୌଣସି କାର୍ଯ୍ୟକଳାପରୁ ଦୁରେଇ ରହିବାକୁ ନିର୍ଦେଶ ଦେଇଛି। ଏନେଇ ଏସ୍‌ଏଫ୍ଆଇ ମଧ୍ୟ ତା’ର ସମସ୍ତ ୨୯ ରାଜ୍ୟ ଶାଖାକୁ ନିର୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସର୍କୁଲାର ଜାରି କରିଛି। ଜିସିଏଠାରୁ ରିପୋର୍ଟ ପାଇବା ପରେ ଭାରତୀୟ ସନ୍ତରଣ ମହାସଂଘ ସୁରଜିତଙ୍କୁ ବାସନ୍ଦ କରିଛି। ଗୁରୁବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମାମଲାରେ ହସ୍ତକ୍ଷେପ କରି ସୁରଜିତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଗୋଆର ମାପୁସା ପ୍ରଶିକ୍ଷଣ କେନ୍ଦ୍ରରେ କାର୍ଯ୍ୟରତ ସୁରଜିତ ଜଣେ ୧୫ ବର୍ଷୀୟା ଜାତୀୟ ସ୍ତରୀୟ ସନ୍ତରଣ ତାରକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହେବା ପରେ ଗୋଆ ପୁଲିସ ମଧ୍ୟ ତାଙ୍କୁ ଗିରଫ କରିବାକୁ ଖୋଜୁଥିଲା। ହେଲେ ଶୁକ୍ରବାର ରାତିରେ ନୂଆଦିଲ୍ଲୀର କଶ୍ମୀରୀ ଗେଟ୍‌ ଇଲାକାରୁ ପୁଲିସ ତାଙ୍କୁ ଗିରଫ କରି‌ନେଇଛି। ଏନେଇ ଏସ୍‌ପି (ଉତ୍ତର) ଉତ୍କୃଷ୍ଟ ପ୍ରସୁନ୍‌ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର