ବନ୍ଧୁତ୍ବ ଦିବସରେ ପିଲାବେଳର ପୁରୁଣା ଫଟୋ ଛାଡ଼ିଲେ ସଚିନ

ମୁମ୍ବାଇ: ବନ୍ଧତ୍ବ ଦିବସ-୨୦୨୦ ଅବସରରେ କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକର ରବିବାର ପିଲାବେଳର ସାଙ୍ଗମାନଙ୍କ ସହ କଟାଇଥିବା ନିଜର ପୁରୁଣା ସ୍ମୃତିକୁ ମନେପକାଇଛନ୍ତି। ଏଥିସହ ‌‌ସେ ପିଲାବେଳେ ସାଙ୍ଗମାନଙ୍କ ସହ ଉଠାଇଥିବା କିଛି ପୁରୁଣା ‌ଫଟୋକୁ ନିଜ ଟ୍ବିଟର୍‌ ପୃ‌ଷ୍ଠାରେ ପ୍ରକାଶ କରିଛନ୍ତି। ଏହି ଫଟୋରେ ସଚିନ ଅନ୍ୟ ୬ ଜଣ ସାଙ୍ଗଙ୍କ ସହ ରହିଛନ୍ତି। ଫଟୋଟି ମୁମ୍ବାଇସ୍ଥିତ ସଚିନଙ୍କ ତତ୍‌କାଳୀନ ଅବିଭାବକଙ୍କ ଘର ବାହାରେ ଥିବା ଏକ ପାର୍କରେ ଉଠାଯାଇଥିଲା। ‘‘ବନ୍ଧୁତା ହେଉଛି କ୍ରିକେଟ୍ ପଡ଼ିଆରେ ଫ୍ଲଡ୍‌ଲାଇଟ ଭଳି। ସେମାନେ ପ୍ରତ୍ୟେକ କୋଣ ଅନୁକୋଣରୁ ତୁମର ସଫଳତାକୁ ଉପଭୋଗ କରିଥା’ନ୍ତି। କିନ୍ତୁ ଯଦି ସେମାନେ ଅନୁଭବ କରନ୍ତି ଯେ ଆପଣ ଅନ୍ଧାରରେ ଅଛନ୍ତି। ତେବେ ଚାରିପାଖରେ ଉଜ୍ଜ୍ୱଳତା ପ୍ରଦାନ କରିବାକୁ ନିଜକୁ ଆଲୋକିତ କରି ଦେଇଥା’ନ୍ତି। ମୋ ପାଇଁ, ପ୍ରତିଦିନ ହେଉଛି, ଫ୍ରେଣ୍ଡସିପ୍ ଡେ’’ ବୋଲି ୪୭ ବର୍ଷୀୟ ସଚିନ ନିଜ ଟ୍ବିଟର୍‌ ପୃଷ୍ଠାରେ ‌ଉଲ୍ଲେଖ କରିଛନ୍ତି।

ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଅଫିସିଆଲ୍‌ ଟ୍ବିଟର୍‌ ପୃଷ୍ଠାରେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଓ ‌ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ପୁରୁଣା ଭିଡିଓକୁ ସେୟାର କରି ବନ୍ଧୁତ୍ବ ଦିବସର ଶୁଭେଚ୍ଛା ଜଣାଇଥିଲା। ଏହି ଟ୍ବିଟ୍‌ର ଜବାବରେ ରାଇନା ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଥିଲେ। ‘‘ଆମର ଏହି ସୁନ୍ଦର ସ୍ମୃତିର ଭିଡିଓ ଛାଡ଼ିଥିବାରୁ ଧନ୍ୟବାଦ। ଧୋନି ଭାଇ ଖାଲି ମୋର ବନ୍ଧୁ ନୁହନ୍ତି। ବରଂ ସେ ମୋ ପାଇଁ ମାର୍ଗଦର୍ଶକ ତଥା ପରାମର୍ଶଦାତା। ମୋର କଠିନ ସମୟରେ ସେ ସର୍ବଦା ରହିଥା’ନ୍ତି। ଧନ୍ୟବାଦ ମାହି ଭାଇ। ହାପି ଫ୍ରେଣ୍ଡସିପ୍ ଡେ! ଆପଣଙ୍କ ସହ ଶୀଘ୍ର ଦେଖାହେବ।’’ ବୋଲି ରାଇନା ଲେଖିଛନ୍ତି। କ୍ରିକେଟ୍‌ର ଭଗବାନ ଭାବେ ପରିଚିତ ତେନ୍ଦୁଲକର ଭାରତ ପକ୍ଷରୁ ୨୦୦ ଟେଷ୍ଟ୍‌ ମ୍ୟାଚ୍‌ ଖେଳି ୧୫,୯୨୧ ରନ୍‌ ଏବଂ ୪୬୨ ଦିନକିଆରେ ୧୮,୪୨୬ ରନ୍‌ କରିଥିଲା ବେଳେ କେବଳ ଗୋଟିଏ ଟି-୨୦ (ଦକ୍ଷିଣ ଆଫ୍ରିକା ବିପକ୍ଷ, ୨୦୦୬)ମ୍ୟାଚ ଖେଳିଛନ୍ତି। ସୂଚନାଯୋଗ୍ୟ ଯେ ବନ୍ଧୁତ୍ବ ଦିବସ ପ୍ରତ୍ୟେକ ବର୍ଷର ଅଗଷ୍ଟ ମାସ ପ୍ରଥମ ରବିବାରରେ ପାଳନ କରାଯାଏ।

ସମ୍ବନ୍ଧିତ ଖବର