ଆଣ୍ଟିଗୁଆରେ ଇଣ୍ଡିଜ୍ ଅଗ୍ରଣୀ

ଆଣ୍ଟିଗୁଆ: ସ୍ଥାନୀୟ ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ୍‌ରେ ଚାଲିଥିବା ଇଂଲଣ୍ଡ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ଅଗ୍ରଣୀ ନେଇଛି। ଇଂଲଣ୍ଡର ପ୍ରଥମ ପାଳି ଜବାବରେ ଘରୋଇ ଦଳ ଦ୍ବିତୀୟ ଦିନ ଚା’ପାନ ବିରତି ବେଳକୁ ୫ ୱିକେଟ୍‌ରେ ୨୧୨ ରନ୍ ସଂଗ୍ରହ କରିଛି। ଫଳରେ ହାତରେ ୫ ୱିକେଟ୍‌ ଥାଇ ଘରୋଇ ଜାସନ୍‌ ହୋଲ୍‌ଡରଙ୍କ ଦଳ ୨୫ ରନ୍ ଆଗୁଆ ରହିଛି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ ୩୦/୦ରୁ ଖେଳିଥିଲା। ଜନ୍‌ କ୍ୟାମ୍ପ୍‌ବେଲ୍‌ (୪୭, ୧୧୮ ବଲ୍‌, ୫ଚୌକା) ଦଳୀୟ ସ୍କୋର୍‌ର ୭୦ ବେଳେ ବେନ୍‌ ଷ୍ଟୋକ୍ସଙ୍କ ବୋଲିଂରେ ବଟଲରଙ୍କୁ କ୍ୟାଚ୍ ଦେଇ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ଏହା ପରେ ସାଇ ହୋପ୍‌ ଏବଂ ବ୍ରାଥ୍‌ୱେଟ୍‌ ଆଉ ଏକ ଅର୍ଧଶତକୀୟ ଭାଗୀଦାରି କରିଥିଲେ। ଉଭୟ ମଧ୍ୟ ନିଜ ନିଜ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ଷ୍ଟୁଆର୍ଟ ବ୍ରଡ୍ ଗୋଟିଏ ଓଭରରେ ହୋପ୍‌ ‌ଏବଂ ରସ୍ତନ ଚେଜ୍‌ଙ୍କୁ ଆଉଟ୍ କରି ଇଂଲଣ୍ଡକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ୍ ହାରି ଇଂଲଣ୍ଡ ୦-୧ରେ ପଛୁଆ ରହିଛି।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୧୮୭ (ମୋଇନ୍ ଅଲୀ-୬୦, ଜନି‌ ବେୟାରଷ୍ଟୋ-୫୧, ବେନ୍ ଫୋକ୍ସ-୩୫, କେମାର ରୋଚ୍‌-୪/୩୦, ସାନନ୍ ଗାବ୍ରିଏଲ୍‌-୩/୪୫, ଆଲଜାରି ଯୋସେଫ-୨/୩୮, ଜାସନ୍ ହୋଲ୍‌ଡର-୧/୪୩)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୮୦ ଓଭରରେ ୨୧୨/୫ (କ୍ରେଗ୍ ବ୍ରାଥ୍‌ୱେଟ୍‌-୪୯, ଜନ୍ କ୍ୟମ୍ପ୍‌ବେଲ୍‌-୪୭, ସାଇ ହୋପ୍‌-୪୪, ଡାରେନ୍ ବ୍ରାଭୋ-୧୮*, ସନ୍ ଡାଓରିଚ୍‌-୧୯*, ଷ୍ଟୁଆର୍ଟ ବ୍ରଡ୍‌-୨/୩୯, ମୋଇନ୍ ଅଲୀ-୨/୪୯, ବେନ୍‌ ଷ୍ଟୋକ୍ସ-୧/୪୨)।

ସମ୍ବନ୍ଧିତ ଖବର