ମହିଳା ଦିନିକିଆ ଶୃଙ୍ଖଳା ଜିତିଲା ଭାରତ, ୱେଷ୍ଟ୍‌ଇଣ୍ଡିଜ୍‌କୁ ୨-୧ରେ ହରାଇଲା

ଚାମ୍ପିଅନ୍‌ସିପ୍‌ ପଏଣ୍ଟ୍‌ ତାଲିକାରେ ଭାରତ ତୃତୀୟ

ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ମାତ୍ର ୧ ରନ୍‌ରେ ପରାସ୍ତ ହୋଇଥିବା ଭାରତ ଆଉ ପଛକୁ ଫେରିନଥିଲା। କ୍ରମାଗତ ଦୁଇଟି ମ୍ୟାଚ୍‌ ଜିତି ଶୃଙ୍ଖଳା କବ୍‌ଜା କରିବା ପରେ ୪ ପଏଣ୍ଟ୍‌ ଅକ୍ତିଆର କରିଥିଲା। ଫଳରେ ଆଇସିସି ଚାମ୍ପିଅନ୍‌ସିପ୍‌ରେ ଭାରତ ଏବେ ୧୮ ମ୍ୟାଚ୍‌ରୁ ୨୦ ପଏଣ୍ଟ୍‌ ପାଇ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛି। ଏହି ଦଳ ଦକ୍ଷିଣ ଆଫ୍ରିକା (ଚତୁର୍ଥ)ଠାରୁ ୪ ପଏଣ୍ଟ୍‌ ଆଗରେ ରହିଛି। ଅନ୍ୟପକ୍ଷରେ ୨୧ ମ୍ୟାଚ୍‌ରୁ ୧୩ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ୍‌ ନିମ୍ନକ୍ରମରୁ ଦ୍ବିତୀୟରେ ରହିଛି। ଅଷ୍ଟ୍ରେଲିଆ (୧୮ ମ୍ୟାଚ୍‌, ୩୪ ପଏଣ୍ଟ) ଏବଂ ଇଂଲଣ୍ଡ (୧୮ ମ୍ୟାଚ୍‌, ୨୪ ପଏଣ୍ଟ୍‌) ଯଥାକ୍ରମେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୭|୧୧: ଆଇସିସି ମହିଳା ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଭାରତ ଜିତିନେଇଛି। ବୁଧବାର ରାତିରେ ସ୍ଥାନୀୟ ସାର୍‌ ଭିଭିଆନ୍‌ ରିଚାର୍ଡସ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆକୁ ୬ ୱିକେଟ୍‌ରେ ଜିତି ଭ୍ରମଣକାରୀ ଭାରତ ୨-୧ରେ ଶୃଙ୍ଖଳା କବ୍‌ଜା କରିଛି। ଘରୋଇ ଦଳର ଅଧିନାୟିକା ଷ୍ଟିଫାନି ଟେଲର (୭୯ ରନ୍‌)ଙ୍କ ଅର୍ଧଶତକକୁ ବେକାର କରି ପ୍ରାରମ୍ଭିକ ଯୋଡ଼ି ଜେମିମା ରୋଦ୍ରିଗ୍ବେଜ (୬୯ ରନ୍‌) ଓ ସ୍ମୃତି ମନ୍ଧାନା (୭୪ ରନ୍‌) ନିଜ ନିଜର ଦମ୍‌ଦାର ଅର୍ଧଶତକ ବଳରେ ଭାରତକୁ ସହଜ ବିଜୟ ଭେଟି ଦେଇଥିଲେ। ମନ୍ଧାନା ମ୍ୟାଚ୍‌ର ଏବଂ ଟେଲର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଘରୋଇ ଦଳ ଟେଲରଙ୍କ ଅର୍ଧଶତକ ସାଙ୍ଗକୁ ଷ୍ଟାସି ଆନ୍‌ କିଙ୍ଗ୍‌ (୩୮), ହାଲେ ମାଥ୍ୟୁ (୨୬) ଓ କ୍ୟାସୋନା ନାଇଟ୍‌ (୧୬)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ସତ୍ତ୍ବେ ୧୯୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଷଷ୍ଠ ୱିକେଟ୍‌ରେ ଟେଲର ଓ କିଙ୍ଗ୍‌ଙ୍କ ୯୬ ରନ୍‌ ଭାଗୀଦାରି ପାଳିର ଉଲ୍ଲେଖନୀୟ ଥିଲା। ଅଭିଜ୍ଞ ଝୁଲଣ ଗୋସ୍ବାମୀ (୨/୩୦), ପୁନମ୍‌ ଯାଦବ (୨/୩୫) ଭାରତ ପକ୍ଷରୁ ସଫଳ ବୋଲର ରହିଥିଲେ। ଶିଖା ପାଣ୍ଡେ, ରାଜେଶ୍ବରୀ ଗାଏକ୍ବାଡ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲା ବେଳେ ଇଣ୍ଡିଜ୍‌ର ୩ ଜଣ ରନ୍‌ ଆଉଟ୍‌ ହୋଇଥିଲେ। ଜବାବରେ ଜେମିମା ଓ ମନ୍ଧାନା ପ୍ରଥମ ୱିକେଟ୍‌ରେ ୨୫ ଓଭରରେ ୧୪୧ ରନ୍‌ ଯୋଡ଼ି ଭାରତ ବିଜୟ ସହଜ କରିଥିଲେ। ତେବେ ୯ ରନ୍‌ ବ୍ୟବଧାନର ଉଭୟେ ହାଲେ ମାଥ୍ୟୁସ୍‌ଙ୍କ ଶିକାର ହୋଇଥିଲେ। ୧୫୦ ରନ୍‌ରେ ୨ ୱିକେଟ୍‌ ହରାଇବା ପରେ ଭାରତ ପାଳିକୁ ଆଗେଇ ନେଇଥିଲେ ପୁନମ୍‌ ରାଉତ (୨୪) ଓ ଅଧିନାୟିକା ମିତାଲି ରାଜ (୨୦)। ଦୁହେଁ ତୃତୀୟ ୱିକେଟ୍‌ରେ ୪୦ ରନ୍‌ ଯୋଡ଼ି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ଶେଷରେ ଭାରତ ୪୭ ବଲ୍‌ ପୂର୍ବରୁ ୬ ୱିକେଟ୍‌ ହାତରେ ଥାଇ ମ୍ୟାଚ୍‌ ଜିତି ନେଇଥିଲା। ମାଥ୍ୟୁସ୍‌ ଘରୋଇ ଦଳର ସଫଳ ବୋଲର ଭାବେ ୩ ୱିକେଟ୍‌ ଦଖଲ କରିଥିଲେ।

ସମ୍ବନ୍ଧିତ ଖବର