କଟକ ରାଜନୀତିରେ ମହିଳା ସଶକ୍ତୀକରଣକୁ ଧକ୍କା : ୭୧ବର୍ଷରେ ଜଣେ ସାଂସଦ, ୪ ବିଧାୟିକା, ଜଣେ ମନ୍ତ୍ରୀ

୨୦୦୦ ପରରୁ କେହି ଜଣେ ବି ବିଧାୟିକା ନାହାନ୍ତି

କଟକ,(ସୀମନ୍ତିକା ନନ୍ଦ): ହଜାରେ ବର୍ଷର ସହର ତଥା ରାଜ୍ୟର ପୁରୁଣା ରାଜଧାନୀ କଟକ, ରାଜ୍ୟ ରାଜନୀତିକୁ ସବୁବେଳେ ନୂଆ ଦିଗ୍‌ଦର୍ଶନ ଦେଇଆସୁଥିବାବେଳେ କଟକ ଜିଲ୍ଲାରେ ମହିଳାଙ୍କ ପ୍ରତିନିଧିତ୍ବ ଆଶାନୁରୂପ ନୁହେଁ। ଜିଲ୍ଲାର ୭୧ବର୍ଷର ନିର୍ବାଚନ ତଥା ରାଜନୈତିକ ଇତିହାସକୁ ଯଦି ପର୍ଯ୍ୟାଲୋଚନା କରାଯାଏ ତେବେ ଜିଲ୍ଲାରେ ମହିଳା ରାଜନେତା, ବିଶେଷକରି ବିଧାୟିକାଙ୍କ ସଂଖ୍ୟା ଅତି ନଗଣ୍ୟ। ଜିଲ୍ଲାର ୯ଟି ନିର୍ବାଚନମଣ୍ଡଳୀରେ ୭୧ବର୍ଷରେ ମାତ୍ର ୪ଜଣ ମହିଳା ବସିଛନ୍ତି ବିଧାୟିକା ଆସନରେ। ସେହିଭଳି, ଏକମାତ୍ର ମହିଳା ଭାବେ ଜୟନ୍ତୀ ପଟ୍ଟନାୟକ ଲୋକସଭାକୁ ନିର୍ବାଚିତ ‌େହାଇଛନ୍ତି।

କଟକର ପ୍ରଥମ ମହିଳା ସାଂସଦ ଭାବେ ଜୟନ୍ତୀ ପଟ୍ଟନାୟକ ୧୯୮୧ମସିହା ଉପ-ନିର୍ବାଚନରେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ତାଙ୍କ ପରଠାରୁ ଏ ପର୍ଯ୍ୟନ୍ତ କେହି ଜଣେ ହେଲେ ବି ମହିଳା ସାଂସଦ ଭାବେ ନିର୍ବାଚିତ ହୋଇପାରିନାହାନ୍ତି। ଯଦିଓ ବିଶିଷ୍ଟ ଚଳଚ୍ଚିତ୍ର ନାୟିକା‌ ଅପରାଜିତା ମହାନ୍ତି ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ, ବିଜୟର ସ୍ବାଦ ଚାଖିପାରି ନଥିଲେ।

ସେହିପରି ୯ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ତିନୋଟିରେ; ଅର୍ଥାତ୍‌. କଟକ ସଦର, ଆଠଗଡ଼ ଓ ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରେ ଜିତିଛନ୍ତି ମହିଳା। ବାକି ୬ଟି ନିର୍ବାଚନମଣ୍ଡଳୀରେ ଆଜି ପର୍ଯ୍ୟନ୍ତ କେହି ମହିଳା, ବିଧାୟିକା ଆସନରେ ବସି ନାହାନ୍ତି। ୮୦ଦଶକ ପୂର୍ବରୁ; ଅର୍ଥାତ୍‌, ୧୯୫୭ରେ ବଡମ୍ବା-ନରସିଂହପୁର ନିର୍ବାଚନମଣ୍ଡଳୀରେ ଗଣତନ୍ତ୍ର ପରିଷଦରୁ ରାଣୀ ସାହେବା କନକଲତା ଦେବୀ ନିର୍ବାଚନ ଲଢ଼ି ବିଧାୟିକା ହୋଇଥିଲେ। ସେହିପରି ୧୯୭୭ରେ ଆଠଗଡ-ତିଗିରିଆ ନିର୍ବାଚନମଣ୍ଡଳୀରେ ଜନତା ଦଳରୁ ରାସମଞ୍ଜରୀ ଦେବୀ ମଧ୍ୟ ବିଧାୟିକା ଆସନରେ ବସିଥିଲେ। ଏହାପରେ ଦୀର୍ଘ ୧୫ବର୍ଷ ଧରି ମହିଳାମାନଙ୍କ ହାତରେ ନଥିଲା ବିଧାୟକ ଆସନ। ପୁଣି କଟକ ସଦର ନିର୍ବାଚନମଣ୍ଡଳୀରୁ ଲଗାତାର ଦୁଇଥର ମହିଳାଙ୍କ ହାତକୁ ଯାଇଥିଲା। ୧୯୯୫ରେ କଟକ ସଦର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରୁ ବିଜୟଲକ୍ଷ୍ମୀ ସାହୁ ବିଧାୟିକା ହୋଇଥିବାବେଳେ ଏହା ପରେ ୨୦୦୦ରେ ବିଜେପି ଟିକେଟ୍‌ରେ ନିବେଦିତା ପ୍ରଧାନ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ବିଜୟଲକ୍ଷ୍ମୀ ସାହୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ରାଣୀ ସାହେବା କନକଲତା ଦେବୀ, ରାସମଞ୍ଜରୀ ଦେବୀ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଗୁରୁତ୍ବପୂର୍ଣ୍ଣ ହେଉଛି, ୨୦୦୦ ମସିହା ପରଠାରୁ ଜଣେ ବି ବିଧାୟିକା ନାହାନ୍ତି।

ଯଦି ଆମେ କେବଳ ୨୦୧୪ ନିର୍ବାଚନକୁ ପର୍ଯ୍ୟାଲୋଚନା କରିବା ତେବେ ୯ଟି ନିର୍ବାଚନମଣ୍ଡଳୀରୁ କେବଳ ମାହାଙ୍ଗା, ବଡମ୍ବା, ବାଙ୍କୀ, ନିଆଳି ଓ କଟକ ସଦର ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥ ପାଇଁ ୭ଜଣ ମହିଳା ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ଏବେ ବି ଯଦି ଜିଲ୍ଲାର ୨୦୧୯ ନିର୍ବାଚନ କଥା ଚିନ୍ତା କରାଯାଏ ତେବେ ମହିଳା ଆଶାୟୀ ଓ ପ୍ରତିନିଧିଙ୍କ ସଂଖ୍ୟା ଉଦ୍‌ବେଗର ବିଷୟ ହୋଇଛି। ଫଳରେ, ସରକାରଙ୍କ ୫୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କେବଳ ପଂଚାୟତିରାଜ ବ୍ୟବସ୍ଥାକୁ ଛାଡ଼ିଦେଲେ ବିଧାୟକ, ସାଂସଦଙ୍କ ଚୟନ କ୍ଷେତ୍ରରେ ଏହା କାମରେ ଆସୁନଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର