ହେଲିକପ୍ଟର୍‌ ଦୁର୍ଘଟଣାରେ ‘ରାଫେଲ୍‌’ ବିମାନ ପାଇଁ ସୁଖ୍ୟାତ ବିତ୍ତଶାଳୀ ଫରାସୀ ରାଜନେତା ଓଲିଭିୟର୍‌ ଡାସଲଟ୍‌ ମୃତ

ନୂଆଦିଲ୍ଲୀ: ଫ୍ରାନ୍‌ସ୍‌ର ଉତ୍ତରାଞ୍ଚଳ ଅନ୍ତର୍ଗତ ନୋର୍ମାଣ୍ଡି ଅଞ୍ଚଳରେ ରବିବାର ଦିନ ଏକ ହେଲିକପ୍ଟର୍‌ ଦୁର୍ଘଟଣା ଯୋଗୁଁ କୋଟିପତି ଫରାସୀ ରାଜନେତା ଓଲିଭିୟର୍‌ ଡାସଲ୍‌ଟ୍‌ଙ୍କର (ଫରାସୀ ଭାଷାରେ ଓଲିଭିଏ ଡାସୋ) ମୃତ୍ୟୁ ଘଟିଥିବା ଖବର ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ଓଲିଭିୟର୍‌ ଡାସଲ୍‌ଟ୍‌ ହେଉଛନ୍ତି ଫ୍ରାନ୍‌ସ୍‌ର ପ୍ରସିଦ୍ଧ ବିମାନ ଉତ୍ପାଦନକାରୀ କମ୍ପାନି ‘ଡାସଲ୍‌ଟ୍‌ ଏଭିଏସନ୍‌’ର ସଂସ୍ଥାପକ ମାର୍କେଲ୍‌ ଡାସଲ୍‌ଟ୍‌ଙ୍କ ନାତି। ଅଲିଭିୟର୍‌ ଥିଲେ ଜେଜେ ମାର୍କେଲ୍‌ଙ୍କର ଖୁବ୍‌ ପ୍ରିୟ।

‘ଡାସଲ୍‌ଟ୍‌ ଗ୍ରୁପ୍‌’ ଅଧୀନସ୍ଥ ‘ଡାସଲ୍‌ଟ୍‌ ଏଭିଏସନ୍‌’ ହେଉଛି ରାଫେଲ୍‌ ଲଢୁଆ ଜେଟ୍‌ ବିମାନ ସମେତ ବ୍ୟାବସାୟିକ ଏବଂ ସାମରିକ ଜେଟ୍‌ର ଉତ୍ପାଦନକାରୀ ଫରାସୀ ବିମାନ ଓ ମହାକାଶଯାନ କମ୍ପାନି।

Image Courtesy of Digitalfyme.com

ଓଲିଭିୟର୍‌ ଡାସଲ୍‌ଟ୍‌ ଥିଲେ ତାଙ୍କ ପରିବାର ନିୟନ୍ତ୍ରଣରେ ଥିବା ‘ଡାସଲ୍‌ଟ୍‌ ଗ୍ରୁପ୍‌’ର ଯୋଜନା ଓ ବିକାଶ କମିଟିର ଅଧ୍ୟକ୍ଷ।

ଟୁଇଟ୍‌ କରି ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ କହିଛନ୍ତି, ଅଲିଭୟର୍‌ ଡାସଲ୍‌ଟ୍‌ ଫ୍ରାନ୍‌ସ୍‌କୁ ଶ୍ରଦ୍ଧା କରୁଥିଲେ। ମୂଲ୍ୟାୟନ କରିବାକୁ ଗଲେ, ଜୀବଦ୍ଦଶା ମଧ୍ୟରେ ସେ ଶିଳ୍ପର କପ୍ତାନ୍‌, ସାଂସଦ, ସ୍ଥାନୀୟ ନିର୍ବାଚିତ ଅଧିକାରୀ, ବାୟୁସେନାର ରିଜର୍ଭ କମାଣ୍ଡର୍‌ ଭାବେ ଦେଶ ସେବାରୁ କେବେ ନିବୃତ୍ତ ହୋଇ ନାହାନ୍ତି। ତାଙ୍କର ଆକସ୍ମିକ ମୃତ୍ୟୁ ଏକ ପ୍ରଭୂତ କ୍ଷତି। ତାଙ୍କ ପରିବାର ଏବଂ ସେ ଶ୍ରଦ୍ଧାକରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ମୋର ସମବେଦନା।

୨୦୦୨ରୁ ରକ୍ଷଣଶୀଳ ‘ଲେସ୍‌ ରିପବ୍ଲିକାନ୍‌ ପାର୍ଟି’ ପକ୍ଷରୁ ସାଂସଦ ଥିବା ଡାସଲ୍‌ଟ୍‌ ତାଙ୍କର ଦୁଇ ଭାଇ ଓ ଭଉଣୀଙ୍କ ସମେତ ବିଶ୍ୱର ୩୬୧ତମ ବିତ୍ତଶାଳୀ ବ୍ୟକ୍ତିରେ ପରିଗଣିତ ହେଉଥିଲେ। ରାଜନୈତିକ ଭୂମିକା ନିମନ୍ତେ ସେ ଡାସଲ୍‌ଟ୍‌ ବୋର୍ଡରୁ ଓହରି ଆସିଥିଲେ। କମ୍ପାନି ବୋର୍ଡରେ ସାମିଲ ହୋଇ ରାଜନୀତି କଲେ ସ୍ୱାର୍ଥଜନିତ କୌଣସି ବିବାଦ ଉପୁଜିବ ବୋଲି ତାଙ୍କର ଆଶଙ୍କା ଥିଲା ବୋଲି ‘ରଏଟର୍ସ’ ରିପୋର୍ଟ କରିଛି।

ସମ୍ବନ୍ଧିତ ଖବର