୨୮ରେ ଭାରତର ‘ଗେମ୍‌ ଚେଞ୍ଜର୍‌ ସାଟେଲାଇଟ୍‌’ ପୃଥିବୀ ନିରୀକ୍ଷଣ ଉପଗ୍ରହ ପ୍ରକ୍ଷେପଣ ଯୋଜନା

ବେଙ୍ଗାଲୁରୁ: ଭାରତ ଆଗାମୀ ୨୮ରେ ପୃଥିବୀ ନିରୀକ୍ଷଣ ଉପଗ୍ରହ ପ୍ରକ୍ଷେପଣ ଯୋଜନା ଚୂଡ଼ାନ୍ତ କରିଛି। ଏହି ଉପଗ୍ରହ ଭାରତ ପାଇଁ ‘ଗେମ୍‌ ଚେଞ୍ଜର୍‌’ ସାବ୍ୟସ୍ତ ହେବ ଏବଂ ଭାରତର ସୀମାରେ ବାସ୍ତବିକ ସମୟ (ରିଅଲ୍‌ ଟାଇମ୍‌)ର ଫଟୋ ଉପଲବ୍ଧ କରାଇବ। ଏହି ଉପଗ୍ରହ ପ୍ରାକୃତିକ ବିପଦଗୁଡ଼ିକର ତ୍ବରିତ ମୁକାବିଲା ଦିଗରେ ମଧ୍ୟ ସହାୟକ ହେବ। ଜିସାଟ୍‌-୧ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ମହକାଶ କେନ୍ଦ୍ରରୁ ଜିଏଏସ୍‌ଏଲ୍‌ଭି-ଏଫ୍‌ ୧୦ ରକେଟ୍‌ ମାଧ୍ୟମରେ ପ୍ରକ୍ଷେପଣ ଯୋଜନା ହୋଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଜଣେ ଅଧିକାରୀ ଆଜି କହିଛନ୍ତି ଯେ ଆମେ ୨୮ ମାର୍ଚ୍ଚରେ ଅତୀବ ଗୁରୁତ୍ବପୂର୍ଣ୍ଣ ଇମେଜିଂ ଉପଗ୍ରହ ପ୍ରକ୍ଷେପଣ କରିବାକୁ ଯାଉଛୁ, ତେବେ ସେଦିନର ପାଣିପାଗ ସ୍ଥିତି ଉପରେ ଅନେକ କିଛି ନିର୍ଭର କରୁଛି। ଏହି ଉପଗ୍ରହ ୩୬ ହଜାର କିଲୋମିଟର ଉଚ୍ଚତାରେ କକ୍ଷପଥରେ ଅବସ୍ଥାପିତ ହେବ। ଭାରତର ସ୍ଥଳ ଭାଗ, ମହାସାଗର ଏବଂ ସୀମା ଉପରେ ନିରନ୍ତର ନଜର ରଖିବାରେ ଏହି ଉପଗ୍ରହ ସକ୍ଷମ ହେବ ଏବଂ ଦେଶର ସୁରକ୍ଷା ସ୍ଥିତି ସୁଦୃଢ଼ ହୋଇପାରିବ।

ଜିସାଟ୍‌ ଉପଗ୍ରହର ‌ଓଜନ ୨୨୬୮ କିଲୋଗ୍ରାମ ଏବଂ ଏହା ବିଶ୍ବର ଅନ୍ୟତମ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ଉପଗ୍ରହ ବୋଲି ଇସ୍ରୋ କହିଛି। ଇସ୍ରୋ ଅଧ୍ୟକ୍ଷ କେ ସିବନ୍ ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେଉଁ ବୈଷୟିକ କାରଣ ପାଇଁ ଜିସାଟ୍‌-୧ ଅଭିଯାନକୁ ସ୍ଥଗିତ ରଖାଯାଇଥିଲା, ତାହାର ସମାଧାନ ଏବେ ହୋଇସାରିଛି ଏବଂ ଉପଗ୍ରହ ପ୍ରେରଣରେ କୌଣସି ସମସ୍ୟା ନାହିଁ। କୋଭିଡ୍‌ ଲକ୍‌ଡାଉନ୍‌ ସମୟରେ କେତେ କାମ ପ୍ରଭାବିତ ହୋଇଥିଲା ଏବଂ ସ୍ଥିତି ସ୍ବାଭାବିକ ହେବାପରେ ସବୁକିଛି ତ୍ବରାନ୍ବିତ ହୋଇଛି ବୋଲି ସିବନ କହିଛନ୍ତି।

ସମ୍ବନ୍ଧିତ ଖବର