ସବୁଜ ପ୍ରତିକାଧାରୀ ଉନ୍ନୟନ ପରିଷଦ ମିଳିତ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ

ଭୁବନେଶ୍ୱର: ସବୁଜ ପତ୍ରିକାଧାରୀଙ୍କୁ ମାସିକ ଭତ୍ତା ଓ ସହରାଞ୍ଚଳ ଘରଡ଼ିହହୀନଙ୍କୁ ଘରଡ଼ିହ ପ୍ରଦାନ ଦାବିରେ ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ ଓ ରାଜ୍ୟ ସବୁଜ ପ୍ରତିକାଧାରୀ ଉନ୍ନୟନ ପରିଷଦ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କର୍ମକର୍ତା ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ମାସିକ ୭୫୦ଟଙ୍କା ଭତ୍ତା ଓ ସହରାଞ୍ଚଳ ଘରଡ଼ିହହୀନଙ୍କୁ ୪.୪୦ଡିସିମିଲ୍‌ ଘରଡ଼ିହ ପ୍ରଦାନ ଦାବି କରି ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଓ ଆର୍ଥିକ ସଙ୍କଟରୁ ରକ୍ଷା କରିବା କ୍ଷେତ୍ରରେ ସରକାରୀ କର୍ମଚାରୀ ସବୁଜ ପତ୍ରିକାଧାରୀଙ୍କ ପରିବାରର ଯେତିକି ଭୂମିକା ରହିଛି। ବେସରକାରୀ ସବୁଜ ପତ୍ରିକାଧାରୀଙ୍କ ମଧ୍ୟ ରହିଛି। ହେଲେ ସରକାରୀ ବ୍ୟବସ୍ଥାରେ କର୍ମଚାରୀମାନେ ସବୁ ସୁବିଧା ପାଉଥିଲା ବେଳେ ଅଣକର୍ମଚାରୀ ସବୁଜ ପତ୍ରିକାଧାରୀମାନେ କାହିଁକି ପାଇବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଖୁବ୍‌ ଶୀଘ୍ର ଦାବିପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଆଜିର ଧାରଣା ବେଳେ ପରିଷଦ ସାଧାରଣ ସମ୍ପାଦକ ଦେବରାଜ ନାଏକ, ରଶ୍ମିତା ପ୍ରଧାନ, ବାସନ୍ତୀ ସେଠୀ, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ରବୀନ୍ଦ୍ର ନାଥ ନାୟକ, ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର