ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ସଂସ୍କୃତ ଦିବସ

ଭୁବନେଶ୍ୱର: ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ତରଫରୁ ଆଜି ଜୟଦେବ ଭବନରେ ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଏଥିରେ ଉଦ୍‌ଘାଟକ ଭାବେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ମୁଖ୍ୟବକ୍ତା ଭାବେ ପଣ୍ଡିତ ପ୍ରବୋଧ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଭାଷା ଏକ ସାର୍ବଜନୀନ ଭାଷା ବୋଲି କହିଥିଲେ। ଏହା ଏକ ଜୀବନ୍ତ ଭାଷା ହେଇଥିବାରୁ ବିଭିନ୍ନ ଧର୍ମ, ଭୂଖଣ୍ଡରେ ପ୍ରଚଳିତ ହୋଇଥାଏ। ସେଥିପାଇଁ ସଂସ୍କୃତ ଭାଷାର ପ୍ରାଧାନ୍ୟ ରହିବା ଆବଶ୍ୟକ ଓ ଏହାକୁ ପଢ଼ିବାକୁ ଲୋକ ଆଗ୍ରହ ପ୍ରକାଶ କରିବା ଦରକାର ବୋଲି ସେମାନେ କହିଥିଲେ। ଆଜିର ଏହି ସଭାରେ ୫ଟି ପୁସ୍ତକ ଲୋକାର୍ପିତ ହୋଇଥିଲା। ସେହିପରି ପଦ୍ମିନୀ ଦାସ, ଚତୁର୍ଭୁଜ ପାଣିଗ୍ରାହୀ, ନିରଞ୍ଜନ ଦାଶ, ଅରୁଣ କୁମାର ସାହୁ, ଭାସ୍କର ମହାପାତ୍ର, ସସ୍ମିତା ସ୍ୱାଇଁ ଓ ପ୍ରମୋଦ କୁମାର ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗୌତମ ମହାରଣା ସ୍ୱାଗତ ଭାଷଣ ଓ ସାଧାରଣ ସମ୍ପାଦକ ନରସିଂହ ଜେନା ସଂପାଦକୀୟ ବିବରଣୀ ପାଠ କରିଥିଲେ। ବିପିନ ବିହାରୀ ଶତପଥୀ ଧନ୍ୟବାଦ ଦେଇଥିଲେ। ବିଦ୍ୟାଧର ମିଶ୍ର, ଗୋପାଳକୃଷ୍ଣ ପାଢ଼ୀ, ନୃସିଂହ ଚରଣ ପଣ୍ଡା ଓ ଜ୍ଞାନରଞ୍ଜନ ପତି ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର