ଭଦ୍ରକ ତିହିଡିରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟ କରି ଆକ୍ରମଣ କଲେ ଅଜଣା ଲୁଟେରା

ତିହିଡି: ରେଡ ଜୋନରେ ଥିବା ଭଦ୍ରକ ଜିଲ୍ଲାରେ ଆଜି ଏକ ବଡ ଧରଣର ଡକାୟତିର ଅଭିଯୋଗ ହୋଇଛି | ଜିଲ୍ଲାର ସ୍ଥାନେ ସ୍ଥାନେ ପୁଲିସ ମୁତୟନ ଥିବାବେଳେ ଜଣେ ଏଲପିଜି ଗ୍ୟାସ ବିତରଣ କମ୍ପାନୀର କର୍ମଚାରୀଙ୍କଠାରୁ ୧୦ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଥିବାର ଖବର ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡିର ଝିରପୁରଠାରେ ଜଣେ ବ୍ୟକ୍ତିଙ୍କଠାରୁ ୧୦.୮ ଲକ୍ଷ ଟଙ୍କା ଲୁଟ୍ କରି ଲୁଟେରା ତାଙ୍କୁ ଆହତ କରିଥିବାର ଅଭିଯୋଗ ହୋଇଛି।

ଏହି ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏକ ଏଲପିଜି ଏଜେନ୍ସିର କର୍ମଚାରୀ ପ୍ରମୋଦ ଭଞ୍ଜ ବୋଲି ଜଣାପଡିଛି | ପ୍ରମୋଦ ଏ ନେଇ ତିହିଡି ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ପ୍ରମୋଦ ଏଲପିଜି ଏଜେନ୍ସିର ୧୦.୮ ଲକ୍ଷ ଟଙ୍କାକୁ ଜମା କରିବା ପାଇଁ ୟୁକୋ ବ୍ୟାଙ୍କର ତିହିଡି ଶାଖାକୁ ଯାଉଥିଲେ ।

ମଝି ରାସ୍ତାରେ ତିନିଜଣ ବାଇକ୍ ଚାଳକ ତାଙ୍କୁ ଅଟକାଇ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଚାଲିଯାଇଥିଲେ | ପରେ ସ୍ଥାନୀୟ ଲୋକମାନେ ପ୍ରମୋଦଙ୍କ ଉଦ୍ଧାର କରି ଚିକିତ୍ସା ପାଇଁ ତିହିଡି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଘଟଣା ବାବଦରେ ଜାଣିବା ପରେ ପୁଲିସ ବର୍ତ୍ତମାନ ତଦନ୍ତ କରୁଛି |

ସମ୍ବନ୍ଧିତ ଖବର