ଜଗତସିଂହପୁରରେ ଜାରି ହେଲା ୧୨ ଘଣ୍ଟିଆ କର୍ଫ୍ୟୁ, ସଂଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ

ଜଗତସିଂହପୁର: ଜଗତସିଂହପୁରରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କଲା ଜିଲ୍ଲା ପ୍ରଶାସନ।  ଏଣିକି ଲକଡାଉନ୍ ଥିବା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ସଂଧ୍ୟା ୭ଟାଠାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।  ଏଥିସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଆଜିଠାରୁ ଲକଡାଉନ୍ ଶେ‌ଷ ହେବା ପର୍ଯ୍ୟନ୍ତ ଏହି ୧୨ଘଣ୍ଟିଆ କର୍ଫ୍ୟୁ ସମଗ୍ର ଜିଲ୍ଳାରେ ଜାରି ରହିବ। ଅତ୍ୟ‌ାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। କରୋନା ସଂକ୍ରମଣ ମୁକାବିଲାକୁ ପ୍ରଭାବଶାଳୀ କରିବା ଲାଗି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଯଦିଓ ଏଯାବତ୍ ଜଗତସଂହପୁର ଜିଲ୍ଲାରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ଓ ଜିଲ୍ଲା ଗ୍ରିନ୍ ଜୋନରେ ରହିଛି, ତଥାପି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଅନ୍ୟ ପକ୍ଷରେ ଜିଲ୍ଲାରେ ମଦ ଦୋକାନ ଖୋଲିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି।

ସମ୍ବନ୍ଧିତ ଖବର